ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘ସଙ୍ଗୀତାୟନ’ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକା ଶୁଚିସ୍ମିତା ମନ୍ତ୍ରୀ, ସମ୍ମାନିତ ଅତିଥି ଭାବେ ତବଲା ବାଦକ ଗୁରୁ ଅଜୟ କୁମାର ଚୌଧୁରୀ, ଗୀତିକାର ପିତାମ୍ବର ମିଶ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁରୁ ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଶିଳ୍ପୀ ଚନ୍ଦନ ନାୟକ ରାଗାଙ୍ଗରେ ଏକକ ଗାୟନ କରିଥିଲେ। ଏହାପରେ ଶିଳ୍ପୀ ପୂର୍ଣ୍ଣିମା ନାଥ, ତୃପ୍ତିମୟୀ ଦୀକ୍ଷିତ ଭାବାଙ୍ଗ ଓ ନାଟ୍ୟାଙ୍ଗରେ ଦ୍ବୈତ ଗାୟନ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ପ୍ରଦୀପ କୁମାର ଦାସ, ଶ୍ରୀନିବାସ ଶତପଥୀ, ମୁରଲୀଧର ସ୍ୱାଇଁ, ସୁଦର୍ଶନ ସାହୁ, ବିବେକାନନ୍ଦ ଓ ଶକ୍ତି ସହଯୋଗ କରିଥିଲେ। ଗୁରୁ ବିଜୟ କୁମାର ଜେନାଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ପୂର୍ଣ୍ଣିମା ନାଥ ଓ ତୃପ୍ତିମୟୀ ଦୀକ୍ଷିତ ଯୁଗଳବନ୍ଦୀ ଗାନ କରିଥିଲେ। ଗୁରୁ ଭାରତୀ ଜେନା, ପ୍ରଦୀପ କୁମାର ଦାସ, ତାପସ ନାୟକ ବଂଶୀବାଦନ କରିଥିଲେ। ତବଲାରେ ବିଶ୍ୱରଞ୍ଜନ ନନ୍ଦ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ।