ପିଇବା ପାଣିରେ ସାବୁନ୍ ଫେଣ, ଲୋକେ ହନ୍ତସନ୍ତ

ଚନ୍ଦ୍ରଶେଖରପୁର: କୁଆଖାଇ ନଦୀରୁ ଯୋଗାଣ ହେଉଥିବା ପାଇପ୍ ପାଣିରେ ସାବୁନ୍ ଫେଣ ଓ ଦୁର୍ଗନ୍ଧ। ଏମିତି ଅଭିଯୋଗ କରିଛନ୍ତି ଚନ୍ଦକା ଓ ମଞ୍ଚେଶ୍ବର ଅଞ୍ଚଳର ପାଇପ୍ ପାଣି ବ୍ୟବହାର କରୁଥିବା ଲୋକେ। ଚନ୍ଦକା ଭୋଳା ରେସିଡେନ୍‌ସି ଓ ମଞ୍ଚେଶ୍ବର ଡିଏଚପିଏଲ୍ କମ୍ପ୍ଲେକ୍ସ୍ ବାସିନ୍ଦା ଏନେଇ ଗତ ସପ୍ତାହରେ ନିକଟସ୍ଥ ପିଡବ୍ଲ୍ୟୁଡିକୁ ସୂଚନା ଦେଇଥିଲେ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ଚନ୍ଦକା, ନନ୍ଦନକାନନ ଏବଂ ବାରଙ୍ଗ ଆଖପାଖ ଅଞ୍ଚଳକୁ କୁଆଖାଇରୁ ଯୋଗାଣ ହେଉଥିବା ପାଇବା ପାଣି ପାଇପ୍ ଲାଇନ୍ ଜଙ୍କସନ୍ ଚାମ୍ବର ଚାବି ଖୋଲି ସ୍ଥାନୀୟ ଯୁବକ ଗାଧୋଇବା ଓ ଶୌଚ ହେବା ଫଳରେ ପାଣିରେ ସାବୁନ୍ ଫେଣ ଆସିବା ସହ ଓ ଦୁର୍ଗନ୍ଧ ହେଉଛି। ମେଣ୍ଢାଶାଳ, କାଟେଣି, କାଣ୍ଟାବାଡ଼ ପାଇପ୍ ଲାଇନ୍ ଜଙ୍କସନ୍ ଚାମ୍ବରରେ ଏଭଳି ଘଟଣା ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ନାଗରିକ ମଞ୍ଚ ପକ୍ଷରୁ ଚନ୍ଦକା ଥାନା ଓ ଫାଣ୍ଡିରେ ଅଭିଯୋଗ କରାଯିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ତାଗିଦ କରିଥିଲା। ହେଲେ ପର ଦିନଠାରୁ ସମାନ ପରିସ୍ଥିତି ଦେଖାଯାଇଥିଲା। ସେହିଭଳି ମଞ୍ଚେଶ୍ବର ରୋକଟ, ଭୋଟପଡ଼ା ପାଇପ୍ ଲାଇନ୍ ଜଙ୍କସନ ଚାମ୍ବର ଚାବି ଖୋଲି ଯୁବକମାନେ ଯୋଗାଣ ପାଣିରେ ଗାଧୋଉ ଥିବାରୁ ମଞ୍ଚେଶ୍ବର ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି। ଏନେଇ ଚନ୍ଦ୍ରଶେଖରପୁର ଜଳ ଯୋଗାଣ ବିଭାଗ ଶାଖା କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ଘଟଣାର ତଦନ୍ତ ଚାଲିଥିବା ଜଣା ପଡ଼ିଛି। ବିଭିନ୍ନ ସ୍ଥାନରେ ପାଣି ଚ୍ୟାନେଲ୍ ଚାବି ‌ଖୋଲିଯିବା ଫଳରେ ପିଇବା ପାଣି ନଷ୍ଟ ହେଉଛି ଓ ଅବଶ୍ୟକ ପରିମାଣର ପାଣି ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏପରି ଘଟଣାକୁ ଅଣଦେଖା କରାଗଲେ ଲୋକେ ପିଇବା ପାଣି ବ୍ୟବହାର କରି ରୋଗରେ ପଡ଼ିବେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର