ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ୧୯ ବର୍ଷରେ ପାଦ ଥାପିଥିବା ବେଳେ ଦେଶର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ତାଲିକାରେ ନିଜକୁ ସାମିଲ କରିବାର ଲକ୍ଷ୍ୟ ରଖିଛି। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରୢାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌)-୨୦୨୪ରେ ସୋଆ ଦେଶରେ ଚତୁର୍ଦ୍ଦଶ ସ୍ଥାନ ହାସଲ କରିଥିବା ବେଳେ ୟୁଜିସି ପକ୍ଷରୁ କାଟାଗୋରି-୧ର ମାନ୍ୟତା ପାଇଥିବା କହିଛନ୍ତି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ। ଶୁକ୍ରବାର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି, ଏକ ନମ୍ର ପ୍ରୟାସରୁ ନିଜର ଯାତ୍ରା ଆରମ୍ଭ କରିଥିବା ସୋଆ ଲମ୍ବା ପଥ ଅତିକ୍ରମ କରିସାରିଛି। ବର୍ତ୍ତମାନ ସରକାରୀ ଅନୁଦାନ ସହାୟତାରେ ଏହି ବିଶ୍ୱବିଦ୍ୟାଳୟର ୧୧୫ଟି ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିସହ ସୋଆର ୧୮ଟି ବହୁବିଧ ଗବେଷଣା କେନ୍ଦ୍ର ଓ ୬୦ଟି ଲାବୋରେଟୋରି କାର୍ଯ୍ୟକ୍ଷମ ଅଛି।

Advertisment

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍‌ର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସୋଆ ଏଭଳି ଏକ ପ୍ରକଳ୍ପ ସମ୍ପର୍କରେ ଚିନ୍ତା କରିବା ଉଚିତ, ଯେଉଁଥିରେ ସ୍ୱାସ୍ଥ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ ଓ ଜୈବ ବିଜ୍ଞାନ କ୍ଷେତ୍ରରେ ଗବେଷଣା କରୁଥିବା ଗବେଷକମାନେ ମିଳିତ ସହଭାଗିତାରେ କାର୍ଯ୍ୟ କରି ଏକ ଡାଟାବେସ୍ ପ୍ରସ୍ତୁତ କରିବେ। ଯେଉଁଥିରେ ବହୁବିଧ ସହଭାଗିତାର ଆବଶ୍ୟକତା ରହିଥିବ। ଏହି କାର୍ଯ୍ୟ ଆନ୍ତର୍ଜାତିକସ୍ତରରେ କରିବା ଆବଶ୍ୟକ ଯେପରି ସାରା ଦେଶ ସୋଆର ଏହି କାର୍ଯ୍ୟକୁ ଅନୁଶୀଳନ କରିବ। କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ବକ୍ତବ୍ୟ ରଖିଥିଲେ। ସୋଆ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ଦିବ୍ୟଜ୍ୟୋତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।