‘ହାପି ହୋମ୍‌’ରୁ ଖୁସି ଚାଲିଗଲା

ପୁରୁଣା ଭୁବନେଶ୍ବର : ତ୍ରିଲୋଚନ ବିହାରରେ ଆଦିତ୍ୟଙ୍କର ଥିଲା ‘ହାପି ହୋମ’ ନାମରେ ଏକ ବୃଦ୍ଧାଶ୍ରମ। ବିଭିନ୍ନ ଜାଗାରୁ ଉଦ୍ଧାର ହେଉଥିବା ଅସହାୟ ବୃଦ୍ଧ, ବୃଦ୍ଧାମାନେ ଏଠାରେ ରହୁଥିଲେ। ଆଦିତ୍ୟଙ୍କ ମୃତ୍ୟୁ ପରେଏହି ‘ହାପି ହୋମ୍‌’ରୁ ଖୁସି ଯେମିତି ନିଖୋଜ ହୋଇଯାଇଛି। ଆଦିତ୍ୟଙ୍କୁ ମନେ ପକାଇ ଅନ୍ତେବାସୀ କାନ୍ଦୁଛନ୍ତି। ‘ଆମେ ଯେତେବେଳେ ହତାଶ ହୋଇ ଆତ୍ମହତ୍ୟା କରିବାକୁ ଯାଉଥିଲୁ, ଆଦିତ୍ୟ ଆମକୁ ସାହସ ଦେଇଥିଲେ। ଯେଉଁଥିପାଇଁ ଆମେ ବଞ୍ଚିଛୁ। ହେଲେ ସେ ଆତ୍ମହତ୍ୟା କରିଦେଲେ’ ଏମିତି କହି ସେମାନେ ବାହୁନି ହେଉଛନ୍ତି।

ପୂର୍ବରୁ ଏଠାରେ ୩୫ଜଣ ବୟସ୍କ ବ୍ୟକ୍ତି ରହୁଥିବା ବେଳେ ଏବେ ୧୩ଜଣ ରହୁଛନ୍ତି। ଗଲା ଜୁନ୍‌ ୨୦ ତାରିଖରେ ରାଜଧାନୀ ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ ଏନ୍‌ଏଚ୍‌ କଡରୁ ‘ନିର୍ମଳ ବାବା’ ନାମକ ଜଣେ ଅସହାୟ ଓ ରୋଗଗ୍ରସ୍ତ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଚିକିତ୍ସା ପରେ ସେ ଏଠାକୁ ଆସିଥିଲେ। ଆଦିତ୍ୟଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଛନ୍ତି। ନୂଆ ଜୀବନ ଦେଇ ସେ ଚାଲିଗଲେ ବୋଲି କହି କାନ୍ଦି ପକାଉଛନ୍ତି। ଏଠାରେ ରେଷେୟା ଥିବା ମହିଳା କହିଛନ୍ତି ଜୀବନଠୁ ହାରି ମୁଁ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ଆଦିତ୍ୟ ମୋତେ ନୂଆ ଜୀବନ ଦେଇଥିଲେ। ସେ ଆଜି ନାହାନ୍ତି ବୋଲି ବିଶ୍ବାସ ହେଉନି।

ଅଧା ରହିଗଲା ମାନସିକ
ଆଶ୍ରମ ପାଇଁ ଜାଗା ମିଳିଗଲେ ଦାଢ଼ି କାଟିବେ ବୋଲି ମାନସିକ ରଖିଥିଲେ। ବାହା ହେବା ପାଇଁ ଦାଢ଼ି କାଟିଦେଲେ। ମାନସିକ ଅଧାରେ ରହିଗଲା। ହେଲେ ବାହା ହେବାକୁ ଚାହୁନଥିଲେ ଆଦିତ୍ୟ। ହଠାତ୍‌ ନିର୍ବନ୍ଧ ହେଲା। ହଠାତ୍‌ ମଧ୍ୟ ବାହାଘର। ତାହା ପୁଣି ଶ୍ବଶୁରଘର ପାଖ ମନ୍ଦିରରେ। ବାହାଘର ପରେ ନିରବତା। ନିରବତା ପରେ ଅସ୍ବାଭାବିକ ମୃତ୍ୟୁ। କ’ଣ ଏମିତି ହେଲା ଯେ ହଠାତ୍‌ ତାଙ୍କୁ ବାହା ହେବାକୁ ପଡ଼ିଲା? ବାହାଘର ପରେ ସେ ନିରବ ହୋଇଗଲେ କାହିଁକି? ବାହାଘର ସହ ଆତ୍ମହତ୍ୟାର କ’ଣ ସମ୍ପର୍କ ରହିଛି? ତେବେ ଜବତ ଡାଏରିରେ ସେ ଶ୍ରୀ (ପତ୍ନୀ ବିଦ୍ୟାଶ୍ରୀ)ଙ୍କୁ ଖୁବ୍‌ ଭଲ ପାଉଥିବା ଲେଖିଛନ୍ତି। ଉପରେ ଥାଇ ମଧ୍ୟ ତାଙ୍କୁ ବହୁତ୍‌ ମିସ୍‌ କରିବେ ବୋଲି ଉଲ୍ଲେଖ କରିଛନ୍ତି।

ଚର୍ଚ୍ଚାରେ ଡୋନେସନ୍‌ ଟଙ୍କ‌ା
ସକାରାତ୍ମକ ଚିନ୍ତାଧାରା ରଖୁଥିବା ଆଦିତ୍ୟ ଯେ ଆତ୍ମହତ୍ୟା କରିଥିବେ ତାହା କେହି ବିଶ୍ବାସ କରି ପାରୁନାହାନ୍ତି। କ’ଣ ଏମିତି ଘଟଣା ଘଟିଲା ଯାହାକୁ ସମ୍ମୁଖୀନ କରିନପାରି ସେ ଆତ୍ମହତ୍ୟା କଲେ? ଡାଏରିରୁ ଆଉ ଏକ ତଥ୍ୟ ମିଳିଛି। ବାହାଘର ସମୟରେ ‘ପିପୁଲ୍‌ ଫର ସେବା’ ସଂସ୍ଥାର ଆକାଉଣ୍ଟରୁ ଆଦିତ୍ୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ। ତେବେ ସେ ଅନୁଷ୍ଠାନର ଅନ୍ୟଜଣେ ସଦସ୍ୟଙ୍କୁ ୭୦ ହଜାର ଟଙ୍କା ଦେଇଥିଲେ। ଏହି ୭୦ ହଜାର ସଂସ୍ଥାର ଆକାଉଣ୍ଟରେ ଜମା କରିବାକୁ ସେ ଲେଖିଛନ୍ତି। ଡୋନେସନ୍‌ ଟଙ୍କାକୁ ନେଇ କିଛି ଦ୍ବନ୍ଦ୍ବ ନଥିଲା ତ? ଯେଉଁଥିପାଇଁ ଆଦିତ୍ୟ କହି ପାରିଲେନି କିମ୍ବା ସହି ପାରିଲେନି?

ପତ୍ନୀଙ୍କ ସହ ଗଣ୍ଡଗୋଳ
ଆଦିତ୍ୟଙ୍କ ବାପା-ମା’ ସୁନ୍ଦରପଦା ଏକାମ୍ର ବିହାର ଭଡ଼ା ଘରେ ପୁଅ-ବୋହୂଙ୍କ ସହ ରହୁଥିଲେ। ୮ ଦିନ ତଳେ ସେମାନେ ଗାଁକୁ ଯାଇଥିଲେ। ଘଟଣାଦିନ ରାତିରେ ଚାକିରି କରିବା କଥାକୁ ନେଇ ପତ୍ନୀଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଆଦୌ ରାଗୁନଥିବା ଆଦିତ୍ୟ ରାଗି ଯାଇ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଘରୁ ପଳାଇବାକୁ କହିଥିଲେ। ସନ୍ଧ୍ୟା ୭ଟା ବେଳେ ସ୍କୁଟି ନେଇ ବିଦ୍ୟାଶ୍ରୀ ଘରୁ ପଳାଇଥିଲେ। ଅଧଘଣ୍ଟାଏ ପରେ ଆଦିତ୍ୟ ମଧ୍ୟ ଚାଲି ଯାଇଥିଲେ। ହେଲେ ସେ ଫୋନ୍‌ କିମ୍ବା ଗାଡ଼ି ନେଇନଥିଲେ। ରାତି ୧୧ଟା ଯାଏ ବିଦ୍ୟାଶ୍ରୀଙ୍କ ଫୋନ୍‌ ଆଦିତ୍ୟ ଉଠାଇନଥିଲେ କିମ୍ବା କଲ୍‌ ମଧ୍ୟ କରିନଥିଲେ। ଏଣୁ ବିଦ୍ୟାଶ୍ରୀ ‘ପିପୁଲ ଫର ସେବା’ ଅନୁଷ୍ଠାନର ଅନ୍ୟତମ ସଦସ୍ୟା ତଥା ଆଦିତ୍ୟଙ୍କ ସମ୍ପର୍କୀୟା ଭଉଣୀ ବିଜୟଲକ୍ଷ୍ମୀଙ୍କୁ ରାତି ୧୧ଟା ୩୪ରେ ଫୋନ୍‌ କରିଥିଲେ। ବିଜୟଲକ୍ଷ୍ମୀ ଭଡ଼ାଘର ଯାଞ୍ଚ କରିବା ପରେ ରୁମ୍‌ ଚାବି ଫ୍ରିଜ୍‌ ଭିତରେ ଥିଲା। ରୁମ୍‌ରେ ମୋବାଇଲ ଓ ଘଣ୍ଟା ଥିଲା। ହେଲେ ଆଦିତ୍ୟ ନଥିଲେ। ଏଣୁ ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ବାହାରେ ଖୋଜିଥିଲେ। ମୁଖ୍ୟ ରେଳଷ୍ଟେସନ ଖୋଜିବା ପରେ ସହରର ବିଭିନ୍ନ ଜାଗା ଖୋଜି ଲିଙ୍ଗରାଜ ଷ୍ଟେସନ ଆସିଥିଲେ। ସେଠାରେ ସକାଳ ୫ଟା୪୨ରେ ଆଦିତ୍ୟଙ୍କ ମୃତଦେହ ପଡ଼ିଥିବା ଦେଖିବା ପରେ ସମସ୍ତଙ୍କୁ ଖବର ଦେଇଥିଲେ। ସେଠାରୁ ଏକ ଅଜଣା ମୋବାଇଲ ନମ୍ବର(୭୭୩୫୬୨୩୦୯୮)ରୁ ସମ୍ପର୍କୀୟା ଭଉଣୀ ବିଜୟଲକ୍ଷ୍ମୀଙ୍କୁ କଲ୍‌ କରି ଆଦିତ୍ୟଙ୍କ ମୃତ୍ୟୁ ଖବର ଜଣାଇଥିଲେ। ଏହି ଅଜଣା ନମ୍ବର କାହାର ସେ ନେଇ ରେଳବାଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର