ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ହତ୍ୟାକାରୀକୁ ଖୋଜୁଛି ପୁଲିସ !

ଆଜି ବାହାଘରକୁ ମାସେ ପୂରୁଥିଲା

ଭୁବନେଶ୍ୱର : ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା। ପୁଲିସ ଜବତ କରିଥିବା ଆଦିତ୍ୟଙ୍କ ଡାଏରିରେ ଭିନ୍ନ ତଥ୍ୟ ରହିଥିବା ବେଳେ ପୁଲିସ ଆଜି ହତ୍ୟା ମାମଲା ରୁଜୁ କରିଥିବାରୁ ଘଟଣା ପଛରେ ନିଶ୍ଚୟ କିଛି ବଡ଼ ରହସ୍ୟ ଛପି ରହିଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସୁଚିନ୍ତିତ ଷଡ଼ଯନ୍ତ୍ର ଦ୍ବାରା ତାଙ୍କୁ ହତ୍ୟା କରାଯାଇଛି ବୋଲି ‘ପିପୁଲ ଫର୍‌ ସେବା’ର ସଦସ୍ୟମାନେ ଜିଦ୍‌ କରିବାରୁ ରେଳବାଇ ଥାନା ହତ୍ୟା ମାମଲା ରୁଜୁ କରିଛି। ଦଫା ୩୦୨/୩୪ ବଳରେ ରେଳବାଇ ପୁଲିସ ମାମଲା ରୁଜୁ କରିଛି। ତେଣୁ ଏବେ ହତ୍ୟାକାରୀ ପଛରେ ପଡ଼ିବ ପୁଲିସ। ଯୋଜନାବଦ୍ଧଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ଗୋଷ୍ଠୀକୁ ଠାବ କରିବା ପାଇଁ ପୁଲିସ ଅଣ୍ଟା ଭିଡ଼ିବ। ଅପରପକ୍ଷରେ ଆଜି ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରେଳବାଇ ପୁଲିସର ହସ୍ତଗତ ହୋଇଛି। ମୁଣ୍ଡର ପଛ ଭାଗରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ୬ତାରିଖ ରାତି ୮ଟାରୁ ୯ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଏହି ଶକ୍ତ ଆଘାତ ଟ୍ରେନ୍‌ ଧକ୍କା ଯୋଗୁଁ ହୋଇଛି କି ତାଙ୍କ ମୁଣ୍ଡକୁ ପଛରୁ ପିଟି ଅନ୍ୟତ୍ର ହତ୍ୟା କରିବା ପରେ ରେଳ ଧାରଣାରେ ଶୁଆଇ ଦିଆଯାଇଛି, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଜବତ ଡାଏରିରେ ଥିବା ହସ୍ତାକ୍ଷର କାହାର ଜାଣିବା ପାଇଁ ଏହାକୁ ପୁଲିସ ‌ଫୋରେନ୍‌ସିକ୍ ଲାବରେଟାରିକୁ ପଠାଇଛି।

ଆଜି ବାହାଘରକୁ ମାସେ ପୂରୁଥିଲା
ଆଜି ଆସିଥା’ନ୍ତା ଆଦିତ୍ୟଙ୍କ ଆଉ ଏକ ଭିଡିଓ। ଦାମ୍ପତ୍ୟ ଜୀବନ କେମିତି ସୁଖମୟ ହେବ, ସେ କହିଥା’ନ୍ତେ! ହାପି ହୋମ୍‌ରେ ପାଳନ ହୋଇଥା’ନ୍ତା, ବିବାହର ମାସ ପୂର୍ତ୍ତି। କିନ୍ତୁ ଏ ସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଲମ୍ବା ଦାମ୍ପତ୍ୟ ଜୀବନ ବିତେଇବା ପୂର୍ବରୁ ସେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ବିବାହର ମାତ୍ର ୩ ସପ୍ତାହ ପରେ ତାଙ୍କର ମୃତ୍ୟୁ ଘଟିଛି।

ଲୋକୋ ପାଇଲଟ୍‌ଙ୍କ ବୟାନ ଉପରେ ନଜର
ହତ୍ୟା ମାମଲା ରୁଜୁ ହେବା ପରେ ଏହାକୁ ନେଇ ସାଧାରଣରେ ଉତ୍ସୁକତା ବଢ଼ି ଯାଇଛି। ଧାରଣା, ଆନ୍ଦୋଳନ, ବିକ୍ଷୋଭ ଝିନ୍‌ଝଟ୍‌ରୁ ମୁକ୍ତି ପାଇବା ପାଇଁ ରେଳବାଇ ପୁଲିସ ଅପମୃତ୍ୟୁ ଘଟଣାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଛି କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେଣୁ ଏବେ ହତ୍ୟା ମାମଲା ରୁଜୁ କରିବା ପରେ ପୁଲିସର ତଦନ୍ତ ଉପରେ ଲୋକଙ୍କ ନଜର ରହିଛି। ଯଦି ଏହା ଏକ ହତ୍ୟାକାଣ୍ଡ, ତେବେ ଅନ୍ୟକୁ ବଞ୍ଚିବାର ରାସ୍ତା ଦେଖାଉଥିବା ଜଣେ ଯୁବ ସମାଜସେବୀକୁ କିଏ କାହିଁକି ହତ୍ୟା କରିବ? ହତ୍ୟା ପଛର କ’ଣ କାରଣ? ଅନୁଷ୍ଠାନକୁ ଆସିଥିବା ଦାନ ଅର୍ଥ ଉପରେ କାହାର ଆଖି ଥିଲା କି? ପତି-ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସାମାନ୍ୟ ମତାନ୍ତରର କିଏ ଫାଇଦା ନେଇଛି? ପୂର୍ବରୁ ହତ୍ୟା କରି କେହି ଧାରଣାରେ ଫିଙ୍ଗି ଦେଇଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଏହି ମାମଲାକୁ ରହସ୍ୟମୟ କରିଦେଇଛି। ତେବେ ଏବେ ବଡ଼ ନଜର ରହିଛି, ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ୍‌ ଲୋକୋ ପାଇଲଟ୍‌ଙ୍କ ବୟାନ ଉପରେ। ସେମାନଙ୍କର ବୟାନ, ପରିଜନଙ୍କ ବୟାନ, ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ କରାଯାଉଛି ଓ ପରେ ଆଇନ ଅନୁଯାୟୀ କାର୍ଯ୍ୟାନଷ୍ଠାନ ହେବ ବୋଲି ରେଳବାଇ ଥାନା ପୁଲିସ କହିଛି।

 

ସମ୍ବନ୍ଧିତ ଖବର