ଚର୍ଚ୍ଚାରେ ସମାଜସେବୀ ଆଦିତ୍ୟ ଦାଶଙ୍କ ବାହାଘର; ପାଟକୁରା ଶିବ ମନ୍ଦିରରେ କାହିଁକି ହୋଇଥିଲା ବିବାହ?

ଭୁବନେଶ୍ବର:  ବାହା ହେବାକୁ ଚାହୁନଥିବା ଆଦିତ୍ୟ ହଠାତ୍‌ ବାହା ହୋଇଥିଲେ। ତାହା ପୁଣି ମନ୍ଦିରରେ ଓ ଲକ୍‌ଡାଉନ୍‌ କଟକଣା ବେଳେ। ବଡ଼ କଥା ହେଉଛି, ସମାଜସେବା ପାଇଁ ନିଜ ଆୟରୁ ଖର୍ଚ୍ଚ କରୁଥିବା ଆଦିତ୍ୟ ଏହି ଅଚାନକ୍‌ ବାହାଘର ପାଇଁ ସଂସ୍ଥା ଆକାଉଣ୍ଟରୁ ୫୦ ହଜାର ନେଇ ଖର୍ଚ୍ଚ କରିଥିଲେ। ଅଳ୍ପ ଦିନ ଭିତରେ ସଂସ୍ଥା ଆକାଉଣ୍ଟରେ ଉକ୍ତ ଟଙ୍କା ଜମା କରିଦେବାକୁ ଚାହିଥିଲେ ମଧ୍ୟ ପାରିନଥ‌ିଲେ। ନିଜ ଇଚ୍ଛା ବିରୋଧରେ ବାଧ୍ୟ ହୋଇ ବାହାଘରରେ ଅନୁଷ୍ଠାନ ଅର୍ଥ ଖର୍ଚ୍ଚ କରିଥିବାରୁ ସେ ଅନୁତପ୍ତ ଥିବା ଡାଏରିରୁ ଜଣାପଡ଼ିଛି। ସେଥିପାଇଁ ସେ ଭାଙ୍ଗି ପଡ଼ିଥିଲେ ବୋଲି ଡାଏରିରେ ଲେଖିଛନ୍ତି। ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଏହି ବାହାଘରରେ ସେ ସମୁଦାୟ କେ‌ତେ ଟଙ୍କା ଖର୍ଚ୍ଚ କରିଥିଲେ, ସେ ବାବଦରେ ପୁଲିସ ଖୋଳତାଡ଼ କରୁଛି। ଅନୁଷ୍ଠାନର ଅନ୍ୟ ଜଣେ ସଦସ୍ୟଙ୍କୁ ସେ ୭୦ ହଜାର ଟଙ୍କା ଦେଇଥିବା ମଧ୍ୟ ଡାଏରିରେ ସେ ଲେଖିଛନ୍ତି। ତେଣୁ ଡାଏରି‌ରେ ଲିଖିତ ତଥ୍ୟ ବହୁ କଥା ଦର୍ଶାଉଛି ବୋଲି ଆଲୋଚନା ହେଉଛି।

ପାଟକୁରା ଶିବ ମନ୍ଦିରରେ କାହିଁକି ହୋଇଥିଲା ବିବାହ?
ଗରଦପୁର/କରିଲୋପାଟଣା : ସମାଜସେବୀ ଆଦିତ୍ୟ ଦାଶଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କ ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ଏଭଳି ପ୍ରଶ୍ନ ଉପରୁ ପରଦା ଉଠି ନ ଥିବା ବେଳେ ଆଦିତ୍ୟଙ୍କ ବିବାହ ପ୍ରସଙ୍ଗରେ ‌ଏବେ ଯୋଡ଼ି ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ପାଟକୁରା। ସେ ପାଟକୁରା ଭଳି ମଫସଲ ଅଞ୍ଚଳ‌କୁ ଆସି କାହିଁକି ବିବାହ କଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଆଦିତ୍ୟଙ୍କ ବିବାହ ଗତ ଜୁନ୍‌ ୯ତାରିଖରେ ପାଟକୁରା ଥାନା ଭଗବାନପୁର ପଞ୍ଚାୟତ ଧାନମଣ୍ଡଳ ଗାଁର ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିରରେ ସଂପନ୍ନ ହୋଇଥିଲା। ଆଦିତ୍ୟଙ୍କ ଘର ବୌଦ୍ଧରେ ହୋଇଥିବା ବେଳେ ସେ ଭୁବନେଶ୍ବରରେ ଭଡ଼ାରେ ରହୁଥିଲେ। ତାଙ୍କ ପତ୍ନୀଙ୍କ ଘର କଟକ ସହରରେ। କଟକ ଓ ଭୁବନେଶ୍ବର ଭଳି ସହରର ବିଭିନ୍ନ ସ୍ଥାନରେ ଏକାଧିକ ମନ୍ଦିର ଓ ମଣ୍ତପ ଥିଲେ ବି ସେମାନେ କାହିଁକି ଏହି ଶିବ ମନ୍ଦିରକୁ ବାଛିଲେ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଏହି ବିବାହକୁ ନେଇ ଉଭୟଙ୍କ ପରିବାରଙ୍କ ସହମତି ଥିଲା କି ନାହିଁ, ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଜରୁରୀ ହୋଇପଡ଼ିଛି। ମନ୍ଦିର ପୂଜାରୀ ସତ୍ୟବ୍ରତ ମିଶ୍ରଙ୍କ କହିବାନୁଯାୟୀ, ଦୁହେଁ ମନ୍ଦିରରେ ପହଞ୍ଚି ବିବାହ କରିବାକୁ କହିଥିଲେ। ରସିଦ୍‌ କଟାଯିବା ପରେ ସେମାନଙ୍କ ବିବାହ କରାଇଥିଲି। ଦୁହିଁଙ୍କ ବ୍ୟତୀତ ସେମାନେ ଆସିଥିବା ଗାଡ଼ିର ଚାଳକ ଓ ଅନ୍ୟ ଜଣେ ଏଠାକୁ ଆସିଥିଲେ। ଚାଳକଜଣକ ଗାଡ଼ିରେ ରହିଥିଲେ। ଅନ୍ୟ ବ୍ୟକ୍ତିଜଣକ ବାହାରେ ଅପେକ୍ଷା କରିଥିଲେ। ଅନ୍ୟପକ୍ଷରେ ସେମାନଙ୍କ ବିବାହରେ ଉଭୟ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲା ବେଳେ ଏହା ପଛରେ ସେମାନଙ୍କ ସମ୍ମତି ଥିଲା କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମାନେ କାହା ସହାୟତାରେ ଆସି ଗରଦପୁର ବ୍ଲକର ଏହି ନିପଟ ମଫସଲରେ ଥିବା ମନ୍ଦିରରେ ବାହା ହୋଇଥିଲେ, ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ସାଙ୍ଗ-ପତ୍ନୀ ମୁହାଁମୁହିଁ
ଅନୁଷ୍ଠାନର ଅନ୍ୟତମ ସଦସ୍ୟ ‘ପପୁ’ ଆଦିତ୍ୟଙ୍କଠାରୁ ୭୦ହଜାର ଟଙ୍କା ନେଇଥିଲେ। କିନ୍ତୁ ବାହାଘର ପୂର୍ବରୁ ଫେରାଇ ନଥିଲେ। ଏଣୁ ହଠାତ୍ ବାହାଘର ଠିକ୍‌ ହେବାରୁ ଆଦିତ୍ୟ ଅନୁଷ୍ଠାନ ଆକାଉଣ୍ଟରୁ ୫୦ ହଜାର ଉଠାଇଥିଲେ। ବାହାଘର ପରେ ଏହି ଟଙ୍କାକୁ ନେଇ ସେ ଚିନ୍ତାଗ୍ରସ୍ତ ଥିଲେ। ଯେମିତି ହେଉ ବୃଦ୍ଧାଶ୍ରମ ନିର୍ମାଣ ହେବ। ମଦ ବିରୋଧରେ ଆନ୍ଦୋଳନ ଚାଲୁ ରହିବ। ଏଥିପାଇଁ ଅନୁଷ୍ଠାନରେ କିଛି ସମସ୍ୟା ନ ହେଉ ବୋଲି ସେ ଚାହୁଥିଲେ। ସେଥିପାଇଁ ଏହି ୭୦ ହଜାରକୁ ନେଇ ପ୍ରସଙ୍ଗ କରିବାକୁ ଚାହୁନଥିଲେ। କିନ୍ତୁ ଭିତରେ ଭିତରେ ସେ ଭାଙ୍ଗି ପଡ଼ିଥିଲେ। କହିପାରୁନଥିଲେ କି ସହି ପାରୁନଥିଲେ ବୋଲି କହିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। ଅର୍ଥାତ୍ ଏହି ମାମଲା ପଛରେ ପପୁ ନେଇଥିବା ୭୦ହଜାର ଟଙ୍କା ଏକ ବଡ଼ କାରଣ ବୋଲି ବିଦ୍ୟାଶ୍ରୀ ଇଙ୍ଗିତ କରିଛନ୍ତି। ଅନ୍ୟପଟେ ‘ପପୁ’ ମଧ୍ୟ ପରୋକ୍ଷ ଜବାବ୍ ଦେବାକୁ ପଛାଇ ନାହାନ୍ତି। ସେ ଆଦିତ୍ୟଙ୍କ ଏହି ଅତର୍କିତ ବାହାଘର ନିଷ୍ପତ୍ତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବାହାଘର ପରେ ଆଦିତ୍ୟଙ୍କର ଲକ୍ଷାଧିକ ଫ୍ୟାନ୍‌-ଫଲୋଅର୍‌ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରୁ ଦୂରେଇଗଲେ। ତେଣୁ ସେ ବହୁତ ଗୁମ୍‌ସୁମ୍‌ ରହୁଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କର ଭିଡିଓ ଓ ସୋସିଆଲ ମିଡିଆ ପୋଷ୍ଟରୁ ଅଘଟଣ ଘଟିବା ନେଇ ବାରି ହୋଇପଡ଼ୁଥିଲା। ଯଦିଓ ବିଦ୍ୟାଶ୍ରୀଙ୍କୁ ସେ ସିଧାସଳଖ ଦାୟୀ କରିନାହାନ୍ତି, ତେବେ କେଉଁ ଚାପରେ ହଠାତ୍‌ ବାହାଘର ହେଲା, ତାଙ୍କ ପ୍ରଶ୍ନ ଏହି ପ୍ରସଙ୍ଗକୁ ଅଧିକ ରହସ୍ୟମୟ କରିଦେଇଛି।

ସମ୍ବନ୍ଧିତ ଖବର