ରାଜଧାନୀରେ ସାମାଜିକ ଦୂରତାକୁ ଫୁ’

ଏବେ କୋଭିଡ ଆଇସିୟୁ ଯୋଜନା ନାହିଁ

ଭୁବନେଶ୍ବର : ରାଜଧାନୀରେ ସଂକ୍ରମଣ କମିବା ପରେ ଲୋକମାନେ ଏକପ୍ରକାର ନିଶ୍ଚିନ୍ତ ହୋଇଗଲେଣି। କରୋନା କଟକଣାକୁ ଆଉ ମାନୁ ନାହାନ୍ତି। ହାଟ, ଦୋକାନ, ରେଷ୍ଟୁରାଣ୍ଟ, ମଲ୍‌ ଓ ମେଳା ସବୁଠି ସାମାଜିକ ଦୂରତାକୁ ଫୁ’ କରି ଦେଲେଣି। ମାସ୍କ ପିନ୍ଧିବାକୁ କେହି ଆଉ ପସନ୍ଦ କରୁ ନାହାନ୍ତି। ସତେ ଯେମିତି କରୋନା ଆଉ ନାହିଁ। ରାଜଧାନୀରେ ଅବଶ୍ୟ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଗତ ୧୩ତାରିଖରୁ ୧୯ତାରିଖ ଭିତରେ ରାଜଧାନୀରେ ୧୮ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ରାଜଧାନୀରେ ସରକାରୀସ୍ତରରେ ନମୁନା ପରୀକ୍ଷା ୪ଶହ ଉପରେ ରହିଛି। ରାଜଧାନୀର ଘରୋଇ ପରୀକ୍ଷାଗାରକୁ ମିଶାଇଲେ ଏହି ସଂଖ୍ୟା ଅଧିକ ହେ‌ବ। ହେଲେ ହାତଗଣତି ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ କରୋନା ପାଇଁ ଏକପ୍ରକାର ଭୟ ଛାଡ଼ି ଗଲାଣି। ସବୁଠି ମାଳମାଳ ହୋଇ ବୁଲୁଛନ୍ତି। କାହା ମୁହଁରେ ମାସ୍କ ନାହିଁ ତ ଆଉ କିଏ ପାଟି ତଳେ ପିନ୍ଧିଛି। ଅଫିସରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି।

ଭୁବନେଶ୍ବରରେ ଏବେ ୮୧ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଚିହ୍ନଟ ହୋଇଥିବା ୩୧ହଜାର ୯୫୦ ସଂକ୍ରମିତଙ୍କ ମଧ୍ୟରୁ ୩୧,୬୦୦ଜଣ ସୁସ୍ଥ ହୋଇ ସାରିଛନ୍ତି। ସମୁଦାୟ ୨୪୮ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଦିନକୁ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ‌ପାଉଛି। ହେଲେ ଏ ସମୟରେ ଅବହେଳା ପୁଣିଥରେ ସଂକ୍ରମଣକୁ ବଢ଼ାଇ ଦେଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଏବେ କୋଭିଡ ଆଇସିୟୁ ଯୋଜନା ନାହିଁ
ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ସମୟରେ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲରେ କୋଭିଡ ଆଇସିୟୁ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ। ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ରୋଗୀ ଭରିଯିବା ଫଳରେ ବିକଳ୍ପ ଭାବେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। ସମୁଦାୟ ୮ଟି ଆଇସିୟୁ ସହିତ ଅନ୍ୟ ଶଯ୍ୟାକୁ ନେଇ ହସ୍ପିଟାଲରେ ଏଥିପାଇଁ ଗୃହ ନିର୍ମାଣ କରାଯାଇଥିଲା। ହେଲେ ସେଠାରେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ସମସ୍ୟା ଉପୁଜିଥିଲା। ହସ୍ପିଟାଲ କର୍ତୃପକ୍ଷ ଯେଉଁ ସ୍ଥାନରେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥାନ୍ତା ସେଠାରେ ଘରୋଇ ଆମ୍ବୁଲାନ୍‌ସ ସଂଘ ରହିଥିବାରୁ ଏହାକୁ ନେଇ ବିବାଦ ଉପୁଜିଥିଲା। ଶେଷରେ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଏହା ଭିତରେ ବେଶ୍ କିଛିମାସ ଗଡ଼ି ଯାଇଥିଲା। ରାଜଧାନୀରେ ମଧ୍ୟ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିଲା। ତେଣୁ କ୍ୟାପିଟାଲ ହସ୍ପିଟାଲରେ କୋଭିଡ ଆଇସିୟୁ ପାଇଁ ନିର୍ମାଣ ହୋଇଥିବା ଗୃହରେ ଏବେ କରୋନା ଟିକାକରଣ କରାଯାଉଛି। ଆଗକୁ ମଧ୍ୟ ଏଥିରେ ଆଇସିୟୁ ପ୍ରତିଷ୍ଠା ପାଇଁ ଯୋଜନା ନ ଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ। ଡା. ସାହୁ କହିଛନ୍ତି, କେବଳ ସମ୍, ଆଦିତ୍ୟ, ଅଶ୍ବିନୀରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ରହିଛି। ସଂକ୍ରମଣ ହ୍ରାସ ପାଇଁ କ୍ୟାପିଟାଲ ହସ୍ପିଟାଲରେ ନିକଟରେ ଆଉ କୋଭିଡ ଆଇସିୟୁ ନିର୍ମାଣ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର