ଇଏ କେମିତିକା ସାମାଜିକ ଦୂରତ୍ୱ ? ମାଛ କିଣିବା ସମୟରେ ସବୁକିଛି ଭୁଲି ଯାଉଛନ୍ତି ଲୋକ

ରାଜଧାନୀରୁ ଆଉ ୩ ପଜିଟିଭ୍ ବାହାରିଲା ପରେ ବଢ଼ିଲା ଚିନ୍ତା

ଭୁବନେଶ୍ବର : ରେଡ୍ ଜୋନରେ ଥିବା ରାଜଧାନୀ ଭୁବନେଶ୍ବରରେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ଆହୁରି ବଢ଼ି ଯାଇଛି। ରେଡ୍‌ ଜୋନ୍‌ରେ ଥିବା ରାଜଧାନୀରେ ଲୋକଙ୍କ ସାମାଜିକ ଦୂରତ୍ବ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କମିସନରେଟ୍‌ ପୁଲିସ୍‌ ପକ୍ଷରୁ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମ କାମ ଦେଉନି। ବଜାର ହେଉ କି ରାସ୍ତା ସବୁଠି ଲୋକଙ୍କ ଭିଡ଼। ଆମିଷ ବଜାରରେ ଭିଡ଼ କଥା ନ କହିବା ଭଲ। ମାଛ କିଣିବା ସମୟରେ ସାମାଜିକ ଦୂରତ୍ବକୁ ଭୁଲି ଯାଉଛନ୍ତି ଲୋକ। ଯାହା ଏବେ ସବୁଠି ଚିନ୍ତାର ବିଷୟ ପାଲଟିଛି।

ସିଟି ଓମେନ୍ସ କଲେଜ ନିକଟ ମାଛ ମାର୍କେଟ୍‌ ହେଉ କି ୟୁନିଟ୍-୮ ମାଛ ମାର୍କେଟ୍‌ କିମ୍ବା ବଡ଼ଗଡ଼ ମାଛ ମାର୍କେଟ। ସବୁଠି ସମାନ ଅବସ୍ଥା। ମାର୍କେଟ ନିକଟରେ ପୁଲିସର ପହରାକୁ ବି ଖାତିର କରୁନାହାନ୍ତି ଗ୍ରାହକ। ସମୟ ସମୟରେ ଏମିତି ପରିସ୍ଥିତି ହେଉଛି ଜଣେ ଅନ୍ୟଜଣଙ୍କ ଦେହରେ ଘଷି ହୋଇ ଯାଉଛନ୍ତି। ଗ୍ରାହକଙ୍କ ଭିଡ଼କୁ ଦେଖି ମାଛ ବେପାରୀ ବି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଖାଲି ମାଛ ମାର୍କେଟ ନୁହେଁ, ଗୋଟିଏ ଗୋଟିଏ ଛକରେ ଅସମ୍ଭାଳ ଭିଡ଼ ହେଉଛି। ଆଜି ଅପରାହ୍‌ଣରେ ଏମିତି ଏକ ଚିତ୍ର ଦେଖିବାକୁ ମିଳିଥିଲା ରସୁଲଗଡ଼ ଛକରେ। ଗୋଟିଏ ଜାଗାରେ ୫୦ରୁ ଅଧିକ ଲୋକ ଗାଡ଼ି ଧରି ଛିଡ଼ା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କେବଳ ଏହି ଗୋଟିଏ ଛକ ନୁହେଁ, ଅପରାହ୍‌ଣ ପରେ ଘରକୁ ଫେରିବା ଲାଗି ଅନେକଗୁଡ଼ିଏ ଛକରେ ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଲୋକ କେବେ ସଚେତନ ହେବେ, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ।

ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର କାର୍ଯ୍ୟାନୁଷ୍ଠାନ
ସାମାଜିକ ଦୂରତ୍ବ ରକ୍ଷା କରିବା ଲାଗି କମିସନରେଟ ପୁଲିସର ତିଆରି ହୋଇଥିବା ଏନଫୋର୍ସମେଣ୍ଟ ସ୍କ୍ବାଡ୍ ବୁଲି ବୁଲି ସଚେତନତା ବାର୍ତ୍ତା ଦେବା ପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଦ୍ବିତୀୟ ଦିନରେ ସାମାଜିକ ଦୂରତ୍ବ ଉଲ୍ଲଂଘନ କରୁଥିବା ଅଭିଯୋଗରେ ୪୫୨ଜଣ ଜାଲରେ ପଡ଼ିଛନ୍ତି। ସେମାନଙ୍କଠାରୁ ଜରିମାନା ଆଦାୟ କରିଛି ପୁଲିସ। ସେହିପରି ମାସ୍କ ନପିନ୍ଧି ବୁଲିବା ଅଭିଯୋଗରେ ୪୫ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସାମାଜିକ ଦୂରତ୍ବ ଉଲ୍ଲଂଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର