‌କେତେ ହେଲେ ସୁଧୁରିବେ! ସାମାଜିକ ଦୂରତ୍ୱକୁ ଖାତିର୍‌ କରୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ବର : କରୋନା ରାଜଧାନୀ ପିଛା ଛାଡ଼ୁନି। ଗତ ମାସ ୧୪ ତାରିଖ ପରେ ରାଜଧାନୀରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ମାତ୍ର ୨୮ ତାରିଖରେ ମଧୁସୂଦନ ନଗରର ଜଣେ ବୃଦ୍ଧ ଚିହ୍ନଟ ହେବା ଓ ପରେ ପ୍ରାଣ ହରାଇବା ପୁଣିଥରେ ରାଜଧାନୀବାସୀଙ୍କ ଡର ବଢ଼ାଇ ଦେଇଥିଲା। ଏହାର ୯ଦିନ ପରେ ପୁଣି ରାଜଧାନୀରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ୨୧ ଦିନ ଭିତରେ କରୋନା ପଜିଟିଭ୍ ଚିହ୍ନଟ ହେଲେ, ସଂପୃକ୍ତ ମ୍ୟୁନିସିପାଲଟିକୁ ଜିଲ୍ଲାରୁ ପୃଥକ୍‌ କରାଯାଇ ରେଡ୍ ଜୋନ୍‌ ଭାବେ ଘୋଷଣା କରାଯାଇ ପାରିବ। ଏ ଦୃଷ୍ଟିରୁ ସ୍ବାସ୍ଥ୍ୟ ବିଭାଗ ଗତ ୪ତାରିଖରୁ ଭୁବନେଶ୍ବରକୁ ରେଡ୍ ଜୋନ୍‌ ବୋଲି ଘୋଷଣା କରିଛି। ରେଡ୍‌ ଜୋନ୍‌ରେ କେତେକ କଟକଣା ରହିଛି। ମାତ୍ର ରାଜଧାନୀବାସୀ ଏହାକୁ ଖାତିର୍‌ କରୁନାହାନ୍ତି। ନିୟମିତ ବ୍ୟବଧାନରେ କରୋନା ସଂକ୍ରମିଚ ଚିହ୍ନଟ ହେଉଥିଲେ ହେଁ ଲୋକମା‌ନଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ। ସାମାଜିକ ଦୂରତ୍ବକୁ ଦଳିମକଚି ପରିବା ଦୋକାନଠାରୁ ଗ୍ରୋସେରି ଦୋକାନରେ ଗହଳି କରୁଥିବା ଦେଖିବାକୁ ମିଳୁଛି।

ଯାଜପୁର ଫେରନ୍ତାଙ୍କୁ ଘରେ ପୂରାଇ ଦେଲେନି, ପୁଲିସ ହସ୍ତକ୍ଷେପ ପରେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିଲା ପରିବାର
ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ‌ରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ଯାଜପୁର ଜିଲ୍ଲାରୁ ଆସିଥିବା ଏକ ଦମ୍ପତିଙ୍କୁ ଆପାର୍ଟମେଣ୍ଟର ଅନ୍ୟ ବାସିନ୍ଦାମାନେ ଘରେ ପୂରାଇ ଦେଇନଥିଲେ। ଯାଜପୁର ଜିଲ୍ଲା ଏବେ ରେଡ୍‌ଜୋନ୍‌ରେ ଥିବାରୁ ଆପାର୍ଟମେଣ୍ଟ ବାସିନ୍ଦାମାନେ ଉକ୍ତ ଦମ୍ପତିଙ୍କୁ ସୋସାଇଟି କ୍ୟାମ୍ପସ୍‌ ମଧ୍ୟକୁ ପଶିବାକୁ ଦେଇନଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଅନ୍ୟ ଉପାୟ ନ ପାଇ ଶେଷରେ ଦମ୍ପତି ଚନ୍ଦ୍ରଶେଖରପୁର ଥାନା ପୁଲିସର ସହାୟତା ଲୋଡ଼ିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। କୌଣସି ପରିସ୍ଥିତିରେ ବି ସେମାନେ ଦମ୍ପତିଙ୍କୁ ଆପାର୍ଟମେଣ୍ଟରେ ରହିବାକୁ ଦେବେ ନାହିଁ ବୋଲି କହିଥିଲେ। ତେବେ ଯାଜପୁର ଫେରନ୍ତା ଦମ୍ପତି ଓ ତାଙ୍କ ପିଲାମାନେ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବେ ବୋଲି ପୁଲିସ ନିଶ୍ଚିତ କରାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବର୍ତ୍ତମାନ ଉକ୍ତ ଦମ୍ପତି ଡାକ୍ତରୀ ପରୀକ୍ଷା ସହ ହୋମ୍‌ କ୍ବାରାଣ୍ଟିନ୍‌‌ରେ ରହିଛନ୍ତି।

ଚକେଇସିହାଣି ଓ ଭିଏସ୍ଏସ୍‌ନଗର ଖାଁ ଖାଁ
ଚନ୍ଦ୍ରଶେଖରପୁର : ଚକେଇସିଆଣି ଓ ଭିଏସ୍‌ଏସ୍‌ ନଗର ଅଞ୍ଚଳ‌‌ରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ଆଜି ଉକ୍ତ ଅଞ୍ଚଳ ଖାଁ ଖାଁ ହୋଇଯାଇଛି। ପୂର୍ବରୁ ଏହି ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଥିଲେ ମଧ୍ୟ ଆଜି ଗୋଟିଏ ବି ଦୋକାନ ଖୋଲିବା ଦେଖିବାକୁ ମିଳି ନଥିଲା। ଏମିତିକି ଉକ୍ତ ଅଞ୍ଚଳର ମାଛ ବଜାର ମଧ୍ୟ ଶୂନ୍‌ଶାନ୍‌ ହୋଇଯାଇଥିଲା। ସ୍ଥାନୀୟ ମଞ୍ଚେଶ୍ବର ଥାନା ପାଟ୍ରୋଲିଂ ଭ୍ୟାନ୍ ଚକେଇସିଆଣି ଓ ସହିଦନଗର ଥାନା ପ୍ରାଟୋଲିଂ ଭ୍ୟାନ୍ ଭିଏସ୍ଏସ୍ ନଗରରେ ପହଞ୍ଚି ରାସ୍ତା କଡ଼ରେ ପରିବା ବିକ୍ରି କରୁଥିବା ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରିବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ଲୋ‌କେ ହାଟକୁ ଆସି ନଥିଲେ। କିଛି ଆଖପାଖ ଗ୍ରାମବାସୀ କଳାରାହାଙ୍ଗ, ପଟିଆ ଷ୍ଟେସନ୍ ଓ ଡମଣା ହାଟକୁ ଯାଇ ପରିବା କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷେ ବାରଣ ସତ୍ତ୍ବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆକ୍ରାନ୍ତଙ୍କ ଫଟୋ ଓ ଠିକଣା ଘୂରି ବୁଲୁଥିବା ବେଳେ ଲୋକମାନେ ନିର୍ଦ୍ଦିଷ୍ଟ ସେହି ଅଞ୍ଚଳର ମାଟି ମାଡ଼ି ନଥିଲେ।

ସମ୍ବନ୍ଧିତ ଖବର