ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମି ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟସଂଘ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ନାଟକ ‘ହାଟ’ ପରିବେଷିତ ହୋଇଯାଇଛି। ରାଉରକେଲାର ନାଟ୍ୟସଂସ୍ଥା ‘ପ୍ରୟାସ’ ପକ୍ଷରୁ ଅନୁଷ୍ଠିତ ଏହି ନାଟକରେ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା।
ମଣିଷ-ହାଟ ଉପରେ ପର୍ଯ୍ୟବସିତ ଏହି ନାଟକକୁ ନିବେଦିତା ଜେନା ରଚନା କରିଥିବା ବେଳେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ନିର୍ଦ୍ଦେଶନା ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ସଂଗୀତ ନାଟକ ଏକାଡେମିର ଉପସଭାପତି ମନ୍ମଥ ଶତପଥୀ, ଓଡ଼ିଶା ନାଟ୍ୟ ସଂଘର ସଭାପତି ହରେନ୍ ସାହୁ, ବିଶିଷ୍ଟ ନାଟ୍ୟକାର ଧୀରେନ୍ଦ୍ରନାଥ ମଲ୍ଲିକ ଓ ଶଙ୍କର ତ୍ରିପାଠୀ, ନାଟ୍ୟ ନିର୍ଦ୍ଦେଶକ ପ୍ରସନ୍ନ ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଓଡ଼ିଶା ନାଟ୍ୟ ସଂଘର ସଂପାଦକ ଶୁଭକାନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ସତ୍ୟ ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଓଡ଼ିଶା ନାଟ୍ୟ ସଂଘର ମୁଖପତ୍ର ‘ସୂତ୍ରଧର’ ଉନ୍ମୋଚିତ ହୋଇଥିଲା।