ସାମାଜିକ ଉତ୍ସବ ଆବର୍ଜନା ପୃଥକୀକରଣ ଚିନ୍ତା, ତଣ୍ଡ ଗଣିବେ ମଣ୍ଡପ ମାଲିକ

ଭୁବନେଶ୍ବର: ଆବର୍ଜନା ପୃଥକ୍‌ ହେଉ ନଥିବାରୁ ଏହାକୁ ପରିଚାଳନା କରିବା କାଠିକର ପାଠ ହୋଇଛି। ଆବର୍ଜନା ସଂଗ୍ରହ ସ୍ଥାନରୁ ଶୁଖିଲା ଓଦା ପୃଥକ୍‌ ନ ହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ବଢ଼ିଛି। ଯାହାକୁ ନେଇ ତନାଘନା ଆରମ୍ଭ ହୋଇଛି। ଅଧିକ ଆବର୍ଜନା ସୃଷ୍ଟି କରୁଥିବା ହାଟମାନଙ୍କରେ ବିଏମ୍‌ସି ସ୍ବତନ୍ତ୍ର ଗାଡ଼ି ଲଗାଇ ଦୁଇ ଥର ପୃଥକ୍‌ ପୃଥକ୍‌ ଆବର୍ଜନା ସଂଗ୍ରହ କରୁଥିବା ବେଳେ ସାମାଜିକ ଉତ୍ସବ ହେଉଥିବା ବିଭିନ୍ନ ମଣ୍ଡପ ଓ ହୋଟେଲମାନଙ୍କ ଉପରେ ଅଙ୍କୁଶ ନାହିଁ। ଠିକା ସଂସ୍ଥାଙ୍କୁ କିଛି ପଇସା ଦେଲେ ସେମାନେ ରାତିଅଧିଆ ମିଶ୍ରିତ ଆବର୍ଜନା ନେଇ ଡମ୍ପିଂ ୟାର୍ଡରେ ଫିଙ୍ଗି ଦେଉଛନ୍ତି। ହେଲେ ଏ ସବୁ ଏବେ ଚଳିବ ନାହିଁ। ଆବର୍ଜନା ପୃଥକ୍‌ ପୃଥକ୍‌ ନ ଦେଲେ ତଣ୍ଡ ଗଣିବେ ମଣ୍ଡପ ମାଲିକ। ଖୁବ୍‌ଶୀଘ୍ର ବିଏମ୍‌ସି ଏ ବାବଦରେ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିବାକୁ ଯାଉଛି।

ବିଏମ୍‌ସିରେ ରହିଥିବା ୬୭ ୱାର୍ଡରୁ ୬୪ ୱାର୍ଡରେ ସଫେଇ ଘରୋଇକରଣ ହୋଇଛି। ବାକି ତିନିଟି ୱାର୍ଡରେ ବିଏମ୍‌ସି ନିଜ କର୍ମଚାରୀଙ୍କ ଜରିଆରେ ସଫା କରୁଛି। ଠିକାସଂସ୍ଥା ଶତପ୍ରତିଶତ ପ୍ରସ୍ତୁତ ହୋଇନଥିବାରୁ ଆବର୍ଜନା ଉଠି ପାରୁନାହିଁ। ଏଣୁ ବିଏମ୍‌ସି ସ୍ବତନ୍ତ୍ର ଗାଡ଼ି ଲଗାଇ ଆବର୍ଜନା ଉଠାଉଛି। ବଲ୍କ ଜେନେରେଟରମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ଦେୟ ଧାର୍ଯ୍ୟ କରିବାକୁ ଯୋଜନା ହୋଇଛି। ବିଶେଷକରି ହାଟମାନଙ୍କରୁ ଅଧିକ ଆବର୍ଜନା ବାହାରୁ ଥିବାରୁ ଏହାକୁ ଗୁରୁତ୍ବ ଦିଆଯାଇଛି। କିନ୍ତୁ ବିଭିନ୍ନ ସାମାଜିକ ଉତ୍ସବ ଯଥା, ବିବାହ, ବ୍ରତଘର, ରିଂ ସେରିମୋନି, ବାର୍ଷିକ ଉତ୍ସବ ଭୋଜିରୁ ବାହାରୁ ଥିବା ଆବର୍ଜନା ପାଇଁ କୌଣସି ନିର୍ଦ୍ଦେଶାବଳୀ ନଥିବାରୁ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ଏବେ ବିବାହ ଋତୁ ଚାଲିଥିବାରୁ ପ୍ରତ୍ୟେକ ଦିନ ସହରରେ ଏକାଧିକ ବାହାଘର ହେଉଛି। ବିଭିନ୍ନ ମଣ୍ଡପ ଓ ହୋଟେଲମାନଙ୍କ‌ରେ ଏହି ଉତ୍ସବ ଆୟୋଜିତ ହେଉଥିବା ବେଳେ ୯୯ ପ୍ରତିଶତ ସ୍ଥାନରେ ନିଜସ୍ବ ଆବର୍ଜନା ପରିଚାଳନା ପ୍ରକଳ୍ପ ନାହିଁ। ଏଣୁ ଏମାନେ ରାତିଅଧିଆ ଠିକା ସଂସ୍ଥାମାନଙ୍କୁ ଆବର୍ଜନା ଦେଇ ଦେଉଛନ୍ତି। ଫଳ‌ରେ ସମସ୍ୟା ହୋଇଛି। ଗୋଟିଏ ଡଷ୍ଟବିନ୍‌ରେ ଖଲି, ଏକକ ବ୍ୟବହାର ଯୁକ୍ତ ପଲିଥିନ୍‌ରେ ପ୍ରସ୍ତୁତ ଗ୍ଲାସ୍‌, ଚାମଚ୍‌, ବଳକା ଖାଦ୍ୟ, ଟିସୁ ପେପର, ଫୁଲ, ପତ୍ର, ଗିଫ୍ଟ ରୢାପର ଏକାଠି ହୋଇ ଡମ୍ପିଂୟାର୍ଡ କିମ୍ବା ଏମ୍‌ସିସିକୁ ଯାଉଛି। ଯାହା ଫଳରେ ସେଠାରେ ପରିଚାଳନା ବିଳମ୍ବ ହେଉଛି। କେବଳ ଏହି ଆବର୍ଜନା ପରିଚାଳନାରେ ବିଳମ୍ବ ହେଉ ନାହିଁ ବରଂ ସମଗ୍ର ପରିଚାଳନା ପ୍ରକ୍ରିୟାକୁ ଏହା ପ୍ରଭାବିତ କରୁଛି।

ଅନ୍ୟପଟେ ଦିନକୁ ସହରରୁ ପ୍ରାୟ ୫୫୦ ମେଟିକ୍‌ ଟନ୍‌ ଆବର୍ଜନା ବାହାରୁଥିବା ଆକଳନ କରାଯାଇଛି। ସେହି ଅନୁପାତରେ ଗାଡ଼ି, ସଫେଇ କର୍ମଚାରୀ, ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ବିବାହ ଋତୁରେ ଏହି ଆବର୍ଜନା ପରିମାଣ ବହୁଗୁଣିତ ହୋଇଯାଉଛି। କେତେ ଲୋକ ଆସୁଛନ୍ତି? କେତେ ଖାଦ୍ୟ ରନ୍ଧା ହେଉଛି? କେତେ ଶୁଖିଲା ବା କେତେ ଓଦା ଆବର୍ଜନା ବାହାରିବ? ଏହା ବିଏମ୍‌ସି ପାଖରେ ହିସାବ ରହୁନାହିଁ। ଏହା ସବୁ ସତ୍ତ୍ବେ ଯଦି ଆବର୍ଜନା ପୃଥକ୍‌ ପୃଥକ୍‌ ଆସନ୍ତା ତେବେ ଏତେଟା ସମସ୍ୟା ହୁଅନ୍ତା ନାହିଁ। କିନ୍ତୁ ପୃଥକ୍‌ ପୃଥକ୍‌ ଆସୁନଥିବାରୁ ଆବର୍ଜନା ସଂଗ୍ରହ ଠାରୁ ଆରମ୍ଭ କରି ପରିଚାଳନା ପର୍ଯ୍ୟନ୍ତ ରହିଥିବା ସମଗ୍ର ବ୍ୟବସ୍ଥା ବିଗିଡ଼ି ଯାଉଛି। ଯାହାକୁ ନେଇ ଚିନ୍ତା ବଢ଼ିବା ସହ ମାନସମନ୍ଥନ ହୋଇଛି। ଖୁବ୍‌ଶୀଘ୍ର ଏହାକୁ ନେଇ ଗାଇଡ୍‌ଲାଇନ୍‌ ଜାରି ହେବାକୁ ଯାଉଛି।

ଯେଉଁମାନେ ବିଭିନ୍ନ ଉତ୍ସବ ପାଇଁ ମଣ୍ଡପ କିମ୍ବା ହୋଟେଲ, ଲଜ୍‌ ଭଡ଼ା ଦେଉଛନ୍ତି ସେମାନେ ଏହି ଆବର୍ଜନାକୁ ନେଇ ଉତ୍ତରଦାୟୀ ରହିବେ। ଖାଦ୍ୟ ଖାଇବା ପରେ ଓଦା ଶୁଖିଲା ଆବର୍ଜନା ଅଲଗା ଅଲଗା କରି ରଖିବେ। ଖଲି ସହ ବଳକା ଖାଦ୍ୟ ରହିବ ନାହିଁ। ଏ ସବକୁ ଅଲଗା ଅଲଗା କରି ରଖିବାକୁ ହେବ। ସେହିଭଳି ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ବ୍ୟବହାର ହେବ ନାହିଁ। କୌଣସି ପରିସ୍ଥିତିରେ ଏହି ସବୁ ନିଷିଦ୍ଧ ଦ୍ରବ୍ୟ ସମ୍ପୃକ୍ତ ମଣ୍ଡପକୁ ପଶି ପାରିବ ନାହିଁ। ଏହାକୁ ସମ୍ପୃକ୍ତ ମଣ୍ଡପ ମାଲିକ କିମ୍ବା ହୋଟେଲ୍‌ କର୍ତ୍ତୃପକ୍ଷ ନଜର ରଖିବେ। ଏଭଳି ହେଲେ ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ଧାର୍ଯ୍ୟ ହେବ। ଅଭ୍ୟାସଗତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର