ଭୁବନେଶ୍ବର : ନମନୀୟ ଆବାସ ଯୋଜନା ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଆଜି ସିୱାଇଏସ୍ଡିରେ ଉଦ୍ଯାପିତ ହୋଇଯାଇଛି। ସିୱାଇଏସ୍ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ବାଳ ଯୋଗ ଦେଇଥିଲେ।
ଏହି ଅବସରରେ ଶ୍ରୀ ବିଶ୍ବାଳ କହିଲେ, ଫନି ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ସରକାରୀ ଅଧିକାରୀ, ବ୍ୟାଙ୍କ କର୍ତୃପକ୍ଷ ଓ ନାଗରିକ ସମାଜ ସମୂହ ଆଗେଇ ଆସିବା ଉଚିତ୍। ନିରନ୍ତର ବିକାଶ ଲକ୍ଷ୍ୟ-୧୧ର ଆହ୍ବାନ ଅନୁସାରେ ସମସ୍ତଙ୍କ ପାଇଁ ବାସଗୃହର ଆବଶ୍ୟକତା ଜରୁରି। ଏହି ଲକ୍ଷ୍ୟକୁ ହାସଲ କରିବାକୁ ହେଲେ କାର୍ଯ୍ୟକାରିତାରେ ପ୍ରୋତ୍ସାହନ ଆବଶ୍ୟକ। ସମସ୍ତ ବ୍ୟାଙ୍କ ଏ ଦିଗରେ ଆଗେଇ ଆସିବାକୁ ଶ୍ରୀ ବିଶ୍ବାଳ ଆହ୍ବାନ କରିଥିଲେ।
ନାସନାଲ ହାଉସିଂ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ କେ. ଚକ୍ରବର୍ତୀ କହିଲେ, ବାତ୍ୟାରେ ପ୍ରଭାବିତ ସ୍ଥିତି ଓ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ସ୍ତରରେ ଉପଲବ୍ଧ ହେଉଥିବା ନିର୍ମାଣ ସାମଗ୍ରୀ ଦ୍ବାରା ପରିବେଶକୁ ଭିତ୍ତି କରି ଆବାସ ନିର୍ମାଣ କରାଯିବା ଜରୁରି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଏ ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ପୂର୍ବତନ ସୂଚନା କମିସନର ପ୍ରଫେସର ରାଧାମୋହନ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ସାମଗ୍ରୀ ଓ ସ୍ଥାନୀୟ ଲୋକ ଶ୍ରମ ସହାୟତାରେ ନିଜ ଅଞ୍ଚଳରେ ଆବାସ ନିର୍ମାଣ ଉପରେ ଗୁରୁତ୍ବ ଦେଇଥିଲେ। ସିଡିଏସ୍ର ପ୍ରତିଷ୍ଠାତା ମନୁ ଗୁପ୍ତା କହିଥିଲେ, ଆବାସ ପୁନଃନିର୍ମାଣ ପାଇଁ ଗୋଷ୍ଠୀଭିତ୍ତିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ହାବିଟାଟ୍ ଟେକ୍ନୋଲୋଜି ଗ୍ରୁପ୍ର ଅଧ୍ୟକ୍ଷ ପଦ୍ମଶ୍ରୀ ଜି. ଶଙ୍କର ଓଡ଼ିଶାରେ ହାବିଟାଟ୍ ଫର ଓଡ଼ିଶା ଫୋରମ୍ର ସ୍ଥାପନ ଉପରେ ଗୁରୁତ୍ବ ଦେଇଥିଲେ।
ଅନ୍ୟତମ ଅତିଥି ସୁଶାନ୍ତ ମିଶ୍ର କହିଲେ, ଗୃହ ନିର୍ମାଣ ସହମତି ଭିତ୍ତିରେ ସ୍ଥାୟୀ ଓ ବାତ୍ୟା ନିରୋଧକ ହେବା ଦରକାର। ଏକ ବେସଲାଇନ୍ ସର୍ଭେ କରାଯିବା ଉପରେ ଗୁରୁତ୍ବ ଦିଆଯିବା ସହିତ ସରକାରୀ ଯୋଜନା କିଭଳି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ନିକଟରେ ପହଞ୍ଚି ପାରିବ ତାହା ଉପରେ ଗୁରୁତ୍ବ ଦିଆଯିବ ଜରୁରି ବୋଲି ଶ୍ରୀ ମିଶ୍ର କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/cysd.jpg)