ଲକ୍‌ଡାଉନ୍‌ରେ ସୃଜନ‌ ଭୋକକୁ ଚରିତାର୍ଥ କରୁଛି ସୋସିଆଲ ମିଡିଆ

ଭୁବନେଶ୍ବର : ସାହିତ୍ୟ ସଭା ହେଉନି, କିନ୍ତୁ ସାହିତ୍ୟ ଚର୍ଚ୍ଚା ବନ୍ଦ ହୋଇନାହିଁ। ଲକ୍‌ଡାଉନ୍‌ରେ ତାଲାବନ୍ଦ ଘର ଭିତରୁ ସୋସିଆଲ ମିଡିଆ ବାଟ ଦେଇ ସମ୍ପର୍କର ସେତୁ ଲମ୍ବି ଚାଲିଛି। ନୃତ୍ୟ ଓ ଅଭିନୟ ପାଇଁ ମଞ୍ଚରେ ସିନା ତାଲା ପଡ଼ିଛି, କିନ୍ତୁ ନୃତ୍ୟଶିଳ୍ପୀ ପାଦରେ କି କଳାକାରର ନାଟୁଆ ପଣରେ ତାଲା ପଡ଼ି ପାରିନାହିଁ। ନୃତ୍ୟଶିଳ୍ପୀଟିଏ ତା’ର ଦର୍ଶକଙ୍କ ସହ ଯୋଡ଼ି ହେବା ପାଇଁ ସୋସିଆଲ ମିଡିଆର ସାହାରା ନେଇଛି। ତା’ ଉଚ୍ଛ୍ବସିତ ତାଳିରେ ସିନା ସେ ପୁଲକିତ ହେଉନି କିନ୍ତୁ କମେଣ୍ଟ ବକ୍ସ‌ରେ ସାବାସି ପାଇ ଚାଲିଛନ୍ତି। କଳାକାରମାନେ ଏକାଠି ହୋଇ ସିନା କ୍ୟାମେରା ଆଗେ ଟେକ୍‌ ଦେଇ ପାରୁନାହାନ୍ତି, ମାତ୍ର ଘରେ ଥାଇ ମଧ୍ୟ ନୂଆ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରି ଢେର୍‌ ପ୍ରଶଂସା ସାଉଁଟି ଚାଲିଛନ୍ତି। ଲୋକଙ୍କ ମନୋରଂଜନ ପାଇଁ ତ ସୋସିଆଲ ମିଡିଆ ଓ ଅନ୍‌ଲାଇନ୍‌ରେ ଅନେକ କିଛି ମହଜୁଦ ଅଛି, ମାତ୍ର ଏହା ମାଧ୍ୟମରେ କଳାକାର ଓ ସାହିତ୍ୟିକଟିଏ ମଧ୍ୟ ନିଜର ସୃଜନ ପିପାସାକୁ ଚରିତାର୍ଥ କରିପାରିଛି।

ଲକ୍‌ଡାଉନ୍‌ ଲିଟ‌ରେଚର୍‌
ସାହିତ୍ୟ ସଭା ରୀତିମତ ଆୟୋଜନ କରି ଆସୁଥିବା ପ୍ରକାଶନ ସଂସ୍ଥା ‘ଟାଇମପାସ୍‌’ ପକ୍ଷରୁ ଲକ୍‌ଡାଉନ୍‌ ଅବସରରେ ଆରମ୍ଭ ହୋଇଛି ଗପ, କବିତା ପାଠ ସହ ଭାବ ଆଦାନ ପ୍ରଦାନର କାର୍ଯ୍ୟକ୍ରମ ‘ଲକ୍‌ଡାଉନ୍‌ ଲିଟରେଚର୍‌’। ଏଥିରେ ଲେଖକମାନେ ନିଜେ ସ୍ବୟଂ ଘରେ ନିଜର ମୋବାଇଲ୍‌ରେ ନିଜର ଭିଡିଓ ପ୍ରସ୍ତୁତ କରି ପଠାଉଥିବା ବ‌େଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଟାଇମପାସ୍‌ର ମୁଖ୍ୟ ସରୋଜ ବଳ। ଇତିମଧ୍ୟରେ ସେ ୩ ଜଣ ଲେଖକ/ଲେଖିକାଙ୍କ ଭିଡିଓ ପୋଷ୍ଟ କରିସାରିଥିବା ବେଳେ ୫୦ଜଣଙ୍କୁ ନେଇ ଏହିଭଳି କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି ଶ୍ରୀ ବଳ। କେବଳ ସେତିକି ନୁହେଁ, ଏବେ ଅନେକ କ୍ଷୁଦ୍ର ଗଳ୍ପ ଫେସବୁକ ପୃଷ୍ଠାରେ ଦେଖିବାକୁ ମିଳୁଛି। କରୋନା ସଂକ୍ରାନ୍ତ ଅନୁଭୂତିକୁ ନେଇ ବହୁ ଚଟପଟି ଗପ ବେଶ ଉପଭୋଗ୍ୟ ହୋଇଛି।

ଘରେ ରହି କ୍ଷୁଦ୍ର ଚଳଚ୍ଚିତ୍ର ‘ଗୃହବନ୍ଦୀ’
ଧାରାବାହିକ ଓ ସିନେମା ସୁଟିଂ ବନ୍ଦ ରହିଥିବା ବେଳେ ସମସ୍ତ କଳାକାର ଘରେ ଅଛନ୍ତି। ଏହି ପରିପ୍ରେକ୍ଷୀ‌ରେ ନିଜ ଅଭିନୟ ତୃଷ୍ଣାକୁ ଚରିତାର୍ଥ କରିବା ସହ ନିଜ ଦର୍ଶକଙ୍କ ସହ ରହିବା ପାଇଁ ଗୌରୀଶଙ୍କର ଦାସଙ୍କ ପରିକଳ୍ପନା ଓ ନିର୍ଦେଶନାରେ ନିର୍ମିତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ଗୃହବନ୍ଦୀ’। ପୃଥ୍ବୀରାଜ, ଚିନ୍ତାମଣି ବିଶ୍ବାଳ, ଦୀପ୍ତି ମହାନ୍ତି ଓ ସୁମନ ମହାରଣା ଏଥିରେ ଅଭିନୟ କରିଛନ୍ତି। ସମସ୍ତ କଳାକାର ନିଜ ଘରେ ମୋବାଇଲ୍‌ରେ ନିଜର ଚରିତ୍ରକୁ ଚିତ୍ରଣ କରି ଏହାକୁ ପ୍ରସ୍ତୁତ କରିଛନ୍ତି। ଦେବୀଲାଲ ରଥ ଏହାର ସମ୍ପାଦନା କରିଛନ୍ତି। ପିଢ଼ି ପରେ ପିଢ଼ି ଗୁରୁଜନଙ୍କ ସଂସ୍କାର ମାନି ଆସୁଥିବା ନୀତି ନିୟମ ଧାରାରେ ବ୍ରେକ ଲାଗିଲେ କ’ଣ ପରିଣତି ହୁଏ, ତାହାର ନିଦର୍ଶନ ଏଥିରେ ଦେଖିବାକୁ ମିଳିଛି। ସଂପ୍ରତି ଏହି ଭିଡିଓଟି ଦର୍ଶକଙ୍କ ଦ୍ବାରା ବେଶ୍‌ ଆଦୃତ ହେବାରେ ଲାଗିଛି। ଇତିମଧ୍ୟରେ ଦ୍ବିତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତି ସରିଥିବା ବେଳେ ଏହା ଦିନେ ଦୁଇଦିନ ମଧ୍ୟରେ ସୋସିଆଲ ମିଡିଆ ପରଦାରେ ଦେଖିବାକୁ ମିଳିବ ବୋଲି ଅଭିନେତା ଚିନ୍ତାମଣି ବିଶ୍ବାଳ କହିଛନ୍ତି।

ଓଡ଼ିଶୀ ମୁଦ୍ରାରେ ସରିତାଙ୍କ କରୋନା ସଚେତନତା
କରୋନା ପାଇଁ ଅନେକ ପ୍ରେରଣାଦାୟୀ ଭିଡିଓ ପ୍ରସ୍ତୁତ ହେଉଥିବା ବେଳେ ଓଡ଼ିଶୀ ମୁଦ୍ରାରେ ସରିତା କରୋନା ସଚେତନତାର ବାର୍ତା ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ୟୁନାଇଟେଡ୍‌ ନେସନ୍‌ସ ଫାୟାର ୱାର୍କ ପକ୍ଷରୁ ହୋଇଥିବା ୩୦ସେକେଣ୍ଡର ଓଡ଼ିଶୀ ମୁଦ୍ରାରେ ସରିତା କରୋନାର ଭୟାବହତାକୁ ବ୍ୟକ୍ତ କରିଛନ୍ତି। ଏଥିସହ ଆଖି, ନାକ ଓ ମୁହଁଙ୍କୁ ନଛୁଇଁବା, ବରାବର ସାବୁନରେ ହାତ ସଫା କରିବା, କାହାକୁ ଆଲିଙ୍ଗନ ନକରିବା, ଘରୁ ନବାହାରିବା, ଘର ମଧ୍ୟରେ ସୁରକ୍ଷିତ ଓ ଖୁସିରେ ରହିବା ପାଇଁ ସେ ନିଜର ନୃତ୍ୟ ମାଧ୍ୟମ‌ରେ ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧିତ ଖବର