ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମକୁ ବର୍ତ୍ତମାନ ୨୭ ବର୍ଷ। ଯୁବାବସ୍ଥାରେ ଏହି ଗଣମାଧ୍ୟମ ଏଭଳି ଭାବେ ନିଜ ସ୍ଥିତି ଜାହିର କରିବ, ତାହା କେହି କଳ୍ପନା ବି କରି ନଥିଲେ। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୨୦୦ କୋଟିରୁ ଊର୍ଧ୍ୱ ଫେସ୍ବୁକ୍ ବ୍ୟବହାରକାରୀ ଥିବା ବେଳେ ଭାରତର ପ୍ରାୟ ୪୦% ହେଉଛନ୍ତି ଇଣ୍ଟରନେଟ୍ ବ୍ୟବହାରକାରୀ। ସାମାଜିକ ଗଣମାଧ୍ୟମ ଯେତେ ଲୋକପ୍ରିୟ ହେଲେ ବି ଏହା କେବଳ ପ୍ରଚାରର ମାଧ୍ୟମ ହୋଇପାରେ। କିନ୍ତୁ ଖବର ସଂଗ୍ରହର ନୁହେଁ। ଦ୍ୱିତୀୟ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ବକ୍ତତା ଅବସରରେ ‘ସାମାଜିକ ତଥା ଡିଜିିଟାଲ୍ ମିଡିଆର ଅଭ୍ୟୁତ୍ଥାନ ଓ ମୁଦ୍ରଣ ଗଣମାଧ୍ୟମରେ ଏହାର ପ୍ରଭାବ’ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତତା ପ୍ରଦାନ କରି ଏହା କହିଛନ୍ତି ବରିଷ୍ଠ ସାମ୍ବାଦିକ ପରାଞ୍ଜୟ ଗୁହା ଠାକୁର୍ତ୍ତା। ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପକ୍ଷରୁ ଆଜି ଓଡ଼ିଶା ପ୍ରେସ୍ କ୍ଲବ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଠାକୁର୍ତ୍ତା କହିଲେ, ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ମିଛ ଖବରର ପ୍ରଭାବ ଅଧିକ ରହୁଛି। ତେଣୁ ଆମକୁ ସତର୍କ ହେବା ଆବଶ୍ୟକ। କାରଣ ଖବରକାଗଜ ଭଳି ଏହି ସାମାଜିକ ତଥା ଡିଜିିଟାଲ୍ ମିଡିଆର କୌଣସି ଗେଟ୍ କିପର୍ ନ ଥା’ନ୍ତି। ଏହି ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର ପାଇଁ କେହି ଉତ୍ତରଦାୟୀ ମଧ୍ୟ ନୁହଁନ୍ତି। ତେଣୁ ଆମକୁ ବାରମ୍ବାର ପ୍ରଶ୍ନ କରିବାର ଅଭ୍ୟାସ କରିବା ସହ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମସ୍ତ ଖବରକୁ ସଙ୍ଗେ ସଙ୍ଗେ ବିଶ୍ୱାସ ନ କରିବା ଉଚିତ। ନିଜର ବିଶ୍ୱସନୀୟତା, ଭବିଷ୍ୟଦ୍ରଷ୍ଟା, ଚିନ୍ତା ଓ କଳ୍ପନା ଆଦି ଗୁଣ ଯୋଗୁଁ ମୁଦ୍ରିତ ଗଣମାଧ୍ୟମ ଗତକାଲି ଥିଲା, ଆଜି ଅଛି ଓ ଆଗକୁ ରହିବ ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନର ଗଣମାଧ୍ୟମ ସମ୍ପର୍କରେ ଶ୍ରୀ ଠାକୁର୍ତ୍ତା କହିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲା ବେଳେ ସମସ୍ତଙ୍କ ମୁହଁ ବନ୍ଦ କରିଦେବାକୁ ଉଦ୍ୟମ କରାଯାଇଥିଲା। ସ୍ୱର୍ଗତ କୁଲଦୀପ ନାୟାରଙ୍କ ଭଳି କିଛି ସାମ୍ବାଦିକ ଏହାର ବିରୋଧ କରି ଜେଲ୍ ଦଣ୍ଡ ମଧ୍ୟ ଭୋଗିଥିଲେ। କିନ୍ତୁ ଅଧିକାଂଶ ଗଣମାଧ୍ୟମ ଚୁପ୍ ବସି ଯାଇଥିଲେ। ତାହା ପରେ ୧୯୭୭ ନିର୍ବାଚନରେ ଇନ୍ଦିରା ଗାନ୍ଧିଙ୍କ ପରାଜୟ ହେଲା ଓ ନୂଆ ସରକାର ଗଠନ ହେଲା। ସେହି ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଲାଲ୍କୃଷ୍ଣ ଆଡ୍ଭାନୀ ଏକ ପ୍ରଶ୍ନର ଉତ୍ତରରେ ସେତେବେଳେ କହିଥିଲେ, ‘ଜରୁରି ପରିସ୍ଥିତିରେ କଂଗ୍ରେସ ସରକାର ଯେତେବେଳେ ଗଣମାଧ୍ୟମକୁ ନଇଁ ଯିବାକୁ କହିଥିଲେ ସେତେବେଳେ ଗଣମାଧ୍ୟମ ବିନା ଦ୍ୱିଧାରେ ଗୁରୁଣ୍ଡିବା ଆରମ୍ଭ କରି ଦେଇଥିଲା।’ ଏଭଳି ପରିସ୍ଥିତି ଗତ ସାଢ଼େ ୪ ବର୍ଷ ହେଲା ସମସ୍ତ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। କେହି ନଇଁବାକୁ କହିନାହାନ୍ତି, କିନ୍ତୁ ନରେନ୍ଦ୍ର ମୋଦୀଙ୍କ ଶାସନରେ ଗଣମାଧ୍ୟମ ଗୁରୁଣ୍ଡିବା ଆରମ୍ଭ କରିଛି। ଏହା ଶୁଭଙ୍କର ନୁହେଁ। କୌଣସି ଦେଶ ଗଣତାନ୍ତ୍ରିକ ଦେଶ ବୋଲି ଗଣମାଧ୍ୟମର ଶିରୋନାମାରୁ ବାରି ହୁଏ। କାରଣ ଗଣତନ୍ତ୍ର ଯେଉଁଠି ଥିବ, ସେଠାରେ ଗଣମାଧ୍ୟମ ମୁକ୍ତକଣ୍ଠରେ କ୍ଷମତା ଥିବା ବ୍ୟକ୍ତିବିଶେଷ ବା ସଂଗଠନର ସମାଲୋଚନା କରିପାରିବ।
କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସଭାରେ ପୌରହିତ୍ୟ କରିଥିଲେ। ଏହି ଅବସରରେ ଆଇଆଇଏମ୍ସି, ଢେଙ୍କାନାଳର ସାମ୍ବାଦିକତା ଛାତ୍ରୀ ସୁଜାତା ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଦେବପ୍ରସାଦ ଦାଶ ସଭା ସଂଯୋଜନା କରିଥିଲେ। ସିଦ୍ଧାର୍ଥ ଧଳ ଓ ପ୍ରୀତିଛନ୍ଦା ଧଳ ଧନ୍ୟବାଦ ଅର୍ପଣ କରିଥିଲେ।