ହୋଟେଲଠୁ ସାମାଜିକ ଗଣମାଧ୍ୟମ…ମହକିଲା ହବିଷ ଡାଲ୍ମା
‘ଡାଲ୍ମା’ରେ ମହକିଲା ହବିଷ ଡାଲ୍ମାର ବାସ୍ନା, ମନ୍ଦିରରେ ପ୍ରସ୍ତୁତ ହେଉନି ହବିଷାନ୍ନ
ଭୁବନେଶ୍ବର: କାର୍ତ୍ତିକ ଆସିଲେ ପାଟି ଖୋଜେ ହବିଷାନ୍ନ। ମୁଗ ଖେଚୁଡ଼ି ବା ଅରୁଆ ଘିଅ ଅନ୍ନ ସହ କଞ୍ଚାକଦଳୀ, ସାରୁ, ବୋଇତାଳୁ, କନ୍ଦମୂଳ, ଓଉ ଓ ନଡ଼ିଆ କୋରାରେ ପ୍ରସ୍ତୁତ ମୁଗ ଡାଲମା। କାର୍ତିକ ମାସ ସାରା ନ ହେଲେ ବି ସୋମବାର ପ୍ରତିଟି ଘରୁ ଭାସି ଆସେ ଏହି ହବିଷ ଡାଲ୍ମାର ମହମହ ବାସ୍ନା। ପରିବା ଦର ଆକାଶଛୁଆଁ ହୋଇଥିଲେ ସୁଦ୍ଧା କାର୍ତିକ ସୋମବାରେ ହବିଷ ଡାଲ୍ମାର ରହିଛି ସ୍ବତନ୍ତ୍ର ଚାହିଦା। ଖାଲି ଘରେ କାହିଁକି, ବିଭିନ୍ନ ମନ୍ଦିର ଓ ହୋଟେଲରେ ଏହାର ସ୍ବତନ୍ତ୍ର ପ୍ରସ୍ତୁତି ବି ଭକ୍ତ ଓ ଗ୍ରାହକଙ୍କୁ ଆକର୍ଷିତ କରୁଛି। ତେବେ ଚଳିତବର୍ଷ ହବିଷ୍ୟାଳୀ ଏକାମ୍ର କ୍ଷେତ୍ରକୁ ଆସି ନଥିବାରୁ ମନ୍ଦିରଗୁଡ଼ିକରେ ହବିଷ ଖାଦ୍ୟ ପ୍ରସ୍ତୁତି ବନ୍ଦ ରହିଛି। କିନ୍ତୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହବିଷ ଖାଦ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
‘ଡାଲ୍ମା’ରେ ମହକିଲା ହବିଷ ଡାଲ୍ମାର ବାସ୍ନା
ରାଜଧାନୀରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାରପ୍ରସାରରେ ଆଗଚଲା ହୋଇଥିବା ‘ହୋଟେଲ ଡାଲ୍ମା’ ପକ୍ଷରୁ ହବିଷ ଥାଳିର ସ୍ବତନ୍ତ୍ର ଆୟୋଜନ କରାଯାଇଛି। କାର୍ତିକ ମାସର ପ୍ରତି ସୋମବାର ଓ ପଞ୍ଚୁକ ୫ଦିନରେ ରାଜଧାନୀବାସୀ ଏହି ସ୍ବତନ୍ତ୍ର ଥାଳିର ମଜା ନେଇପାରିବେ। ମୁଗ, କଞ୍ଚା କଦଳୀ, ସାରୁ, କନ୍ଦମୂଳ, ମାଟି ଆଳୁ ଓ ଓଉ ତିଆରି ମୁଗ ଡାଲ୍ମା ସହ ଅରୁଆ ଭାତ/ଖେଚୁଡ଼ି, ଓଉ ଖଟା, ସାଧା ତରକାରୀ ଓ ସ୍ବତନ୍ତ୍ର ସାଗ ଆଦି ଏହି ଥାଳିରେ ପରଷି ଦେଉଛନ୍ତି ହୋଟେଲ କର୍ତ୍ତୃପକ୍ଷ। କେବଳ ହବିଷ ଡାଲ୍ମାର ପ୍ଲେଟ୍ ପିଛା ଦାମ୍ ୬୦ଟଙ୍କା ହୋଇଥିବା ବେଳେ ଏହି ହବିଷ ଥାଳିର ଦାମ୍ ୧୩୦ଟଙ୍କା ରହିଛି ବୋଲି ହୋଟେଲର ସ୍ବତ୍ତ୍ବାଧିକାରୀ ଅଶୋକ ବେହେରା କହିଛନ୍ତି। ତେବେ ଆଜି ପ୍ରଥମ ସୋମବାରରେ ହିଁ କେବଳ ହବିଷ ଥାଳି ୧୦୦ରୁ ଅଧିକ ଗ୍ରାହକ ବରାଦ କରିଥିବା ସେ ସୂଚନା ଦେଇଛନ୍ତି। ଏଥିସହ ଗ୍ରାହକଙ୍କ ବିଶ୍ବସନୀୟତା ପାଇଁ ହୋଟେଲ ପକ୍ଷରୁ ଏହି ହବିଷ ଥାଳିକୁ ସ୍ବତନ୍ତ୍ର ଭାବେ ଏକ ସାତ୍ବିକ ପରିବେଶ ମଧ୍ୟରେ ଅଲଗା ପ୍ରସ୍ତୁତ କରାଯାଉଥିବା ଶ୍ରୀ ବେହେରା କହିଛନ୍ତି।
ମନ୍ଦିରରେ ପ୍ରସ୍ତୁତ ହେଉନି ହବିଷାନ୍ନ
ପ୍ରତିବର୍ଷ ଏକାମ୍ର କ୍ଷେତ୍ରକୁ ଶହ ଶହ ସଂଖ୍ୟାରେ ହବିଷ୍ୟାଳିଙ୍କ ସମାଗମ ହେଉଥିବା ବେଳେ ପ୍ରତିଟି ମନ୍ଦିରରେ ପ୍ରସ୍ତୁତ ହେଉଥିଲା ହବିଷାନ୍ନ। କିନ୍ତୁ ୨ ବର୍ଷ ହେଲା ହବିଷ୍ୟାଳିଙ୍କ ସମାଗମ ହେଉନଥିବାରୁ ମନ୍ଦିରଗୁଡ଼ିକରେ ବି ହବିଷ ଖାଦ୍ୟ ପ୍ରସ୍ତୁତ ହେଉନାହିଁ। ଲିଙ୍ଗରାଜ ମନ୍ଦିରର ସୁପର୍ଭାଇଜର୍ ରାଜକିଶୋର ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଶହ ଶହ ହବିଷ୍ୟାଳିଙ୍କ ପାଇଁ ମନ୍ଦିର ପରିସରରେ ଅରୁଆ ଅନ୍ନ ଓ ହବିଷ ଡାଲ୍ମା ହୁଏ। କିନ୍ତୁ ୨ ବର୍ଷ ହେଲା କରୋନା ଯୋଗୁଁ ହବିଷ୍ୟାଳି ତ’ ଆସୁନାହାନ୍ତି। ଏଥିସହ ହବିଷ ଅନ୍ନ ଓ ଡାଲ୍ମା ବି ପ୍ରସ୍ତୁତ ହେଉନାହିଁ। ଅନନ୍ତ ବାସୁଦେବ ମନ୍ଦିରର କର୍ମକର୍ତା ରାଜେନ୍ଦ୍ର କୁମାର କହିଛନ୍ତି, ଏ ବର୍ଷ ହବିଷ ଅନ୍ନ ତ ପ୍ରସ୍ତୁତ ହେଉନାହିଁ; କିନ୍ତୁ ଭକ୍ତଙ୍କ ପାଇଁ ଅରୁଆ, ଡାଲ୍ମା, ଓଉ ଖଟା, ଅମ୍ବୁଲ ରାଇ ଓ ବିଭିନ୍ନ ପ୍ରକାରର ପ୍ରସାଦ ଖାଦ୍ୟ ପ୍ରସ୍ତୁତ ହେଉଛି। ଆଜି ସୋମବାରରେ ଏହାର ଚାହିଦା ବଢ଼ିଥିବା ବେଳେ ଲୋକମାନେ ବହୁ ମାତ୍ରାରେ ବରାଦ କରିଛନ୍ତି। ପ୍ରତିଟି ଆଇଟମ୍ ପିଛା ଦାମ୍ ୨୦ ଟଙ୍କା ରହିଥିବା ସେ ସୂଚନା ଦେଇଛନ୍ତି।
ସାମାଜିକ ଗଣମାଧ୍ୟମରେ ହବିଷ ଓ କାର୍ତିକ ଖାଦ୍ୟ
ଓଡ଼ିଆଙ୍କ ହବିଷ ଅନ୍ନ ଓ ଡାଲ୍ମାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରପ୍ରସାର ଚାଲିଛି। କେହି କେହି ନିଜ ଘରେ ତିଆରି ହବିଷ ଖାଦ୍ୟର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ତ’ ଆଉ କିଏ କାର୍ତିକର ସ୍ବତନ୍ତ୍ର ଅଗସ୍ତି ଶାଗର ବିଲୁପ୍ତି ନେଇ ଦୁଃଖ ପ୍ରକାଶ କରିଛନ୍ତି। କିଛି ୟୁ-ଟ୍ୟୁବର୍ ନିଜ ଚ୍ୟାନେଲରେ ହବିଷ ଡାଲ୍ମା ପ୍ରସ୍ତୁତି ପ୍ରକ୍ରିୟା ଶିଖାଇଛନ୍ତି ତ’ ପୁଣି ଫୁଡ୍ ବ୍ଲଗର୍ମାନେ ଓଡ଼ିଶାର ଏହି ପରମ୍ପରା ଓ ପାରମ୍ପରିକ ଖାଦ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରେ ପହଞ୍ଚାଇବାକୁ ହବିଷ ଡାଲ୍ମାର ପ୍ରସ୍ତୁତି, ଉପକାରିକା ଓ ଫଟୋ ବ୍ଲଗ୍ କରିଛନ୍ତି।
ବିଶିଷ୍ଟ ସମାଜସେବୀ ଅନୁସୃତା ସିଂହଦେଓ ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଅଗସ୍ତି ଶାଗର ବ୍ୟଞ୍ଜନ ଓ ଶାଗର ଫଟୋ ସେୟାର କରି ଲେଖିଛନ୍ତି, ସୋମବାର- ସେ ପୁଣି କାର୍ତ୍ତିକ ସୋମବାର, ଏହି ଦିନରେ ଅଗସ୍ତି ଶାଗ ମିଳିଗଲେ ଭାଗ୍ୟ। ଅଗସ୍ତି ମୁନି ସବୁବେଳେ ରାମ ନାମ ଜପ କରୁଥିଲେ। ତାଙ୍କ ନାମ ଅନୁଯାୟୀ ଶାଗର ନାମ ହୋଇଛି ଅଗସ୍ତି ଶାଗ। ବିଶ୍ବାସ ରହିଛି, ପବିତ୍ର କାର୍ତିକ ମାସରେ ଏହି ଶାଗ ଖାଇଲେ ପୁଣ୍ୟ ମିଳିଥାଏ। ଏହାର ଅନେକ ଔଷଧୀୟ ଗୁଣ ବି ରହିଛି। ତେବେ ଏହି ଶାଗ ଏବେ ପ୍ରାୟ ମିଳୁନଥିବାରୁ ଶ୍ରୀମତୀ ଦେଓ ଦୁଃଖ ପ୍ରକାଶ କରିଛନ୍ତି।
ଫୁଡ୍ ବ୍ଲଗର୍ ପ୍ରୀତିଶା ଦାସ ନିଜ ବ୍ଲଗ୍ରେ ଓଡ଼ିଶାର ଏହି ହବିଷ ଡାଲ୍ମା ଓ ଅଗସ୍ତି ଶାଗ ପ୍ରସ୍ତୁତି ପ୍ରଣାଳୀ, ଉପକାରିକା ଓ ଏହା ପଛର ପରମ୍ପରା ଉଲ୍ଲେଖ କରିଛନ୍ତି। ଏଥିସହ ନିଜ ହବିଷ ସ୍ବତନ୍ତ୍ର ଥାଳିରେ ଘିଅ ଅନ୍ନ, ହବିଷ ଡାଲ୍ମା, ଓଉ ଖଟା, ବଡ଼ି ଚୁରା, କାନିକା, ଖଡ଼ା ଶାଗ ଓ ସୁଜି ଖିରି ଆଦିକୁ ସଜାଇ ସୁନ୍ଦର ଫଟୋ ସହ ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ନିଜ ବ୍ଲଗ୍ରେ ସେୟାର କରିଛନ୍ତି।