ସାମାଜିକ ଗଣମାଧ୍ୟମ ସମ୍ମିଳନୀ: ଅନାଥ ପିଲାଙ୍କ ଭଳି ନିଃସହାୟ ବୃଦ୍ଧାବୃଦ୍ଧାଙ୍କୁ ଆପଣାଇବା

ଭୁବନେଶ୍ବର: ଶ୍ରବଣ କୁମାର ଯେଉଁ ପିତାମାତାଙ୍କର ସେବା କରି ଉଦାହରଣ ସୃଷ୍ଟି କରିଥିଲେ ସେ ତାଙ୍କର ନିଜ ପିତାମାତା ନଥିଲେ। ମାତ୍ର ମାତାପିତାଙ୍କ ପ୍ରତି ଏହା ତାଙ୍କ ଆତ୍ମାର ଚେତନାର ବାସ୍ତବ ପରିପ୍ରକାଶ ଥିଲା। ଯଦି ଆମେ ଅନାଥ ପିଲାମାନଙ୍କୁ ଆପଣେଇ ପାରୁଛେ, ତେବେ ନିଃସହାୟ ହୋଇ ଘୂରି ବୁଲୁଥିବା ବୃଦ୍ଧବୃଦ୍ଧାଙ୍କୁ ବି ଆ‌ପଣାଇ ମାନବିକତାର ପରିଚୟ ଦେବା। ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ‘ଇଣ୍ଡିଆ ୱାନ ଫାଉଣ୍ଡେସନ୍‌’ ଓ ‘ପୁଲିସ, ପବ୍ଲିକ ପ୍ରେସ୍‌’ ପତ୍ରିକାର ମିଳିତ ଆନୁକୂଲ୍ୟରେ ହୋଟେଲ୍‌ ମେ’ ଫେୟାରରେ ଆୟୋଜିତ ସାମାଜିକ ଗଣମାଧ୍ୟମ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ ସାମାଜିକ ଗଣମାଧ୍ୟମରେ ଦେଖାଯାଉଥିବା କଥାବସ୍ତୁ ପ୍ରେରଣାଦାୟୀ ହେବା ଉଚିତ ବୋଲି କହିଥିଲେ।

କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କହିଲେ, ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରଣ ବେ‌ଳେ ଜଣେ ନିଜର ସ୍ବତନ୍ତ୍ରତାକୁ ଯେତିକି ଗୁରୁତ୍ବ ଦିଏ ନିଜର ଦାୟିତ୍ବବୋଧ ପ୍ରତି ମଧ୍ୟ ସେତିକି ଯତ୍ନବାନ ହେବା ଉଚିତ। ନଚେତ ଏହି ସ୍ବତନ୍ତ୍ରତା ବେଳେବେଳେ ମାରାତ୍ମକ ହୋଇପାରେ। ସମାଜସେବୀ ନମ୍ରତା ଚଢ଼ା, ଶିଳ୍ପପତି ବିଜୟ ଖ‌ଣ୍ଡେଲ୍‌ୱାଲ ପ୍ରମୁଖ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମର ଦାୟିତ୍ବବୋଧ ବାବଦରେ କହିଥିଲେ। ଏହି ଅବସରରେ ଏ.ବି ସିଂହ, କିଶୋର ଦ୍ବିବେଦୀ, ପ୍ରଦୀପ ଦାଶ, ସୁନୀଲ ମୁରାର୍‌କା, ହୁସେନ ଆକବର ଅଲ୍ଲୀ ଓ ଅମରକାନ୍ତ ସିଂହଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏଥିସହ ‘ପୁଲିସ, ପବ୍ଲିକ ପ୍ରେସ’ ପତ୍ରିକା ‌ଉନ୍ମୋଚନ କରାଯାଇଥିଲା। ଇଣ୍ଡିଆ ୱାନ୍‌ ଫାଉଣ୍ଡେସନର ଅଧ୍ୟକ୍ଷ ପୱନ କୁମାର ଭୁତ୍‌ ସମ୍ମିଳନୀରେ ନିଜ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ପୁରୀରେ ଏକ ବୃଦ୍ଧାଶ୍ରମ ଖୋଲିବାକୁ ଯାଉଥିବା ବିଷୟରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁକେଶ ଗୋଏଙ୍କା, ନମ୍ରତା ଚଢ଼ା, ମୋହିତ ପୋଦ୍ଦାର ଓ ଶୁଭମ ଭୁତ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର