ଅଭିନନ୍ଦନ ମାଟ୍ରିକ ଚମ୍ପିଅନ୍ସ-୨୦୧୮ : କାର୍ଯ୍ୟ କୁଶଳତା, ସମାଜ ମନସ୍କତା ସଫଳ ବ୍ୟକ୍ତିତ୍ୱର ଆଧାର

ଭୁବନେଶ୍ୱର: ନିଜ ପାଇଁ ବଞ୍ଚୁଥିବା ମଣିଷ ପଶୁ ତୁଲ୍ୟ। ଅନ୍ୟ ପାଇଁ ବଞ୍ଚୁଥିବା ମଣିଷ ହିଁ ମହତ ମଣିଷ। ତେଣୁ ଯେଉଁ ବୃତ୍ତିରେ ରହୁଛ ରୁହ, କିନ୍ତୁ ନିଜ ମାଟି ମା’ର ସେବାରେ ମନୋବୃତ୍ତି ରଖ ବୋଲି କହିଛନ୍ତି ପଞ୍ଚମ ରାଜ୍ୟ ଅର୍ଥ କମିସନ୍‌ର ଅଧ୍ୟକ୍ଷ ତଥା ଲୋକପ୍ରିୟ କବି ରବିନାରାୟଣ ସେନାପତି। ‘ସମ୍ବାଦ’ ପକ୍ଷରୁ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପିଅନ୍ସଙ୍କୁ ସମ୍ବର୍ଧନା ସମାରୋହରେ ଅତିଥି ଭାବେ ଯୋଗଦେଇ ଶ୍ରୀ ସେନାପତି କହିଲେ, ଶୃଙ୍ଖଳା, କର୍ତବ୍ୟନିଷ୍ଠା ଓ ସାମାଜିକ ପ୍ରତିବଦ୍ଧତା ସଫଳତାର ୩ଟି ସୂତ୍ର। ଶୃଙ୍ଖଳା ଓ କର୍ତବ୍ୟନିଷ୍ଠା ମଣିଷକୁ ସଫଳ କରାଏ ଏବଂ ସାମାଜିକ ପ୍ରତିବଦ୍ଧତା ଅନ୍ୟମାନଙ୍କ ନିକଟରେ ଗ୍ରହଣୀୟତା ବଢ଼ାଏ। ଚାକିରି କଲେ ଜଣେ ସଫଳ ବ୍ୟକ୍ତି ହୋଇଯାଏନି, ବରଂ କାର୍ଯ୍ୟ କୁଶଳତା ଓ ସମାଜ ମନସ୍କତା ଜଣକୁ ସଫଳ ବ୍ୟକ୍ତିତ୍ୱରେ ରୂପାନ୍ତରିତ କରେ ବୋଲି ସେ କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମାତ୍ର ୭ ଲକ୍ଷ ପିଲା ପଢ଼ୁଥିବା ବେଳେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପାଖାପାଖି ୬୦ ଲକ୍ଷ ପିଲା ପଢ଼ୁଛନ୍ତି। ତେଣୁ ଓଡ଼ିଆ ଛାତ୍ରଛାତ୍ରୀମାନେ ଯେତେ ଭଲ ପାଠ ପଢ଼ିବେ, ଆମ ରାଜ୍ୟ ସେତେ ଉପରକୁ ଯାଇପାରିବ। ମାତ୍ର ଏବେ ବି ୫ମ ଶ୍ରେଣୀ ପିଲାଙ୍କୁ ତୃତୀୟ ଶ୍ରେଣୀର ପ୍ରଶ୍ନର ଉତ୍ତର ଆସୁନାହିଁ। କିଛି ଶିକ୍ଷକ ବି ହଠାତ୍‌ ୧୮କ ପଣକିଆ କହିପାରୁନାହାନ୍ତି। ବାସ୍ତବରେ ଭଲ ଶିକ୍ଷକ ଶିକ୍ଷା କ୍ଷେତ୍ରକୁ ଆସିଲେ ଛାତ୍ରଛାତ୍ରୀମାନେ ଭଲ କରିପାରିବେ। ତେଣୁ ଗୁଣାତ୍ମକ ଶିକ୍ଷକଙ୍କ ନିଯୁକ୍ତି ପ୍ରତିଯୋଗିତାମୂଳକ ପରୀକ୍ଷା ଜରିଆରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ବ୍ୟବସ୍ଥାରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯଦି ଠିକ୍‌ ଚାଲେ, ତେବେ ୩-୪ ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ତା’ର ପୂର୍ବ ସୁନାମ ଫେରି ପାଇବ ବୋଲି ସେ କହିଥିଲେ।

‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପିଲାମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି କହିଲେ, ଏ-୧ ଗ୍ରେଡ୍‌ ପାଇଛ ବୋଲି ଅହଙ୍କାର କର ନାହିଁ। ବରଂ କୃତଜ୍ଞତା ଜଣାଇବାର ଅଭ୍ୟାସ ରଖ। ବାପା ମା’ ପ୍ରଥମ କୃତଜ୍ଞତାର ହକ୍‌ଦାର। ବାପା ମାଙ୍କୁ ଈଶ୍ୱର ତୁଲ୍ୟ ବିଚାର କର। ଗୁରୁଜୀ ହେଉଛନ୍ତି କୃତଜ୍ଞତାର ଦ୍ୱିତୀୟ ପାତ୍ର। ଶିକ୍ଷା କ୍ଷେତ୍ରରେ ମୂଳଦୁଆ ମଜବୁତ କରିବାରେ ସ୍କୁଲ୍‌ ଶିକ୍ଷକଙ୍କ ଅବଦାନର ତୁଳନା ନାହିଁ। ପିତାମାତାଙ୍କ ଉଦ୍ଦେଶ୍ୟରେ ମତ ରଖି କହିଲେ, ପ୍ରବୃତ୍ତି ଅନୁସାରେ ବୃତ୍ତି ଚୟନ ହିଁ ଛାତ୍ରଛାତ୍ରୀଙ୍କୁ ସଫଳତା ଦିଏ। ତେଣୁ ବାପା ମା’ମାନେ ପିଲାମାନଙ୍କୁ ବୃତ୍ତି ଚୟନ କରିବାର ସ୍ୱାଧୀନତା ଦେବା ଉଚିତ୍‌। ମା, ମାଟି ଓ ମାତୃଭାଷା ପ୍ରତି ସମର୍ପିତ ରହିବା ସହ ଓଡ଼ିଆ ମାଧ୍ୟମ ସ୍କୁଲ୍‌ର ନାଁ ନ ପକେଇବାକୁ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଆହ୍ଵାନ ଦେଇଥିଲେ।

‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଲେ, ଦଶମରେ ଏ-୧ ହାସଲ କରିବା ଅର୍ଥ ହେଉଛି ଆଗାମୀ ଜୀବନ ଏଇଠୁ ଆରମ୍ଭ। ତେଣୁ ଏତିକିରେ ହଜି ନଯାଇ ଆହୁରି ଆଗକୁ ବଢ଼ିବାକୁ ପଥ ପ୍ରସ୍ତୁତ କର ବୋଲି ସେ କହିଥିଲେ। ଏହି ଅବସରରେ ଦଶମ ଶ୍ରେଣୀରେ ଏ-୧ ଗ୍ରେଡ୍‌ ପାଇଥିବା ୩୯୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ଖୋର୍ଧା, ପୁରୀ ଓ ନୟାଗଡ଼ର ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ସମ୍ବର୍ଧିତ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ଏ-୧ ଗ୍ରେଡ୍‌ ପାଇଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତୀ ପର୍ଯ୍ୟାୟରେ ସମ୍ବର୍ଧିତ କରାଯିବ। ଜୟପୁରରେ ଶେଷ ସମ୍ବର୍ଧନା ପର୍ବ ଅନୁଷ୍ଠିତ ହେବ। ପ୍ରାରମ୍ଭରେ ‘ସମ୍ବାଦ’ର ମୁଖ୍ୟ ମହା ପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ପୁରସ୍କାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜୁପିଟର, ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ଏବଂ ଆଦ୍ୟାନର ସହାୟତାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର