ଭୁବନେଶ୍ବର: ପଳାସପଲ୍ଲୀ ଅଞ୍ଚଳର ଜଣାଶୁଣା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଗୋଷ୍ଠୀର ୪ଜଣଙ୍କୁ ଏୟାର୍ ପୋର୍ଟ ଥାନା ଗିରଫ କରିଛି। କୋର୍ଟ ଚାଲାଣ ହୋଇଥିବା ୪ ଅଭିଯୁକ୍ତ ହେଲେ ପଳାସପଲ୍ଲୀ ଲେନ୍-୧୧ର ପ୍ରମୋଦ କୁମାର ମହାପାତ୍ର ଓରଫ ଗଣେଶ(୨୨), ଶୈଳଶ୍ରୀବିହାର ଶନି ମନ୍ଦିର ଅଞ୍ଚଳର ଦେବାଶିଷ ନାୟକ ଓରଫ ସାଲୁ(୨୭), ପୁରୀ ବାଲିସାହି ଅଞ୍ଚଳର ସଞ୍ଜୟ ବାରିକ ଓରଫ ସଞ୍ଜୁ(୨୫) ଓ କେଦାରପଲ୍ଲୀ ବସ୍ତିର ବିକି ନାୟକ(୨୦)। ଏହି ଯୋଜନାବଦ୍ଧ ଆକ୍ରମଣର ମୁଖ୍ୟ ଗଣେଶ ବୋଲି ଜଣାପଡ଼ିଛି। ପୁଲିସ ସେମାନଙ୍କ ନିକଟରୁ ଦୁଇଟି ବାଇକ୍, ୨ଟି ଖଣ୍ଡା ଓ ମୋବାଇଲ୍ ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର କହିଛନ୍ତି ଯେ ଏହି ଆକ୍ରମଣରେ ୮ଜଣଙ୍କ ସମ୍ପୃକ୍ତି ରହିଛି। ଘଟଣା ସମୟରେ ୫ଜଣ ସିଧାସଳଖ ସମ୍ପୃକ୍ତ ଥିବା ବେଳେ ଅନ୍ୟ ୩ଜଣ ପରୋକ୍ଷରେ ସହଯୋଗ କରିଥିଲେ। ତେଣୁ ବାକି ୪ଜଣଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଶିବଙ୍କୁ ଆକ୍ରମଣ କରାଯାଇଥିବା ପଛରେ ପୂର୍ବ ଶତ୍ରୁତା ବଡ଼ କାରଣ ବୋଲି ଜଣାପଡ଼ିଛି।
ଖଣ୍ଡା ଓ ବାଇକ୍ ଜବତ, ବନ୍ଧାହେବେ ଆଉ ୪
ଲକ୍ଷ୍ମୀ ପୂଜା ଭସାଣି ବେଳେ କୁଆଖାଇ ଘାଟରେ ଗଣେଶଙ୍କ ଉପରେ ଆକ୍ରମଣ ହୋଇଥିଲା। ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ ଗଣେଶ। କିନ୍ତୁ କିଏ ତାଙ୍କୁ ଆକ୍ରମଣ କଲା, ସେନେଇ ସେ ସ୍ପଷ୍ଟ ଭାବେ କିଛି ସୂଚନା ଦେଇପାରିନଥିଲେ। କିନ୍ତୁ ସେଦିନର ଆକ୍ରମଣ ପଛରେ ଶିବଙ୍କ ହାତ ଥିଲା ବୋଲି ଗଣେଶ ସନ୍ଦେହ କରୁଥିଲା। ତେଣୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଗଣେଶ ପ୍ରସ୍ତୁତି ଚଳାଇଥିଲା। ଏଥିପାଇଁ ସେ କେଦାରପଲ୍ଲୀ ବସ୍ତିର ବିକି ଜରିଆରେ ପୁରୀର ସଞ୍ଜୁ, ଶୈଳଶ୍ରୀବିହାରର ସାଲୁଙ୍କୁ ଯୋଗାଯୋଗ କରିଥିଲା। ଯୋଜନା ଅନୁସାରେ ସେମାନେ ଶିବଙ୍କୁ ଛକି ରହିଥିଲେ ଏବଂ ଘଟଣା ଦିନ ଅର୍ଥାତ୍ ୪ ତାରିଖ ରାତିରେ ଶିବ ଏକୁଟିଆ ଯାଉଥିବାବେଳେ ଆକ୍ରମଣ କରିଥିଲେ। ସାଲୁ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ୪, ବିକି ନାଁରେ ବଡ଼ଗଡ଼ ଥାନାରେ ୮ ଓ କ୍ୟାପିଟାଲ୍ ଥାନାରେ ୨ ଆପରାଧିକ ମାମଲା ରହିଛି। ସେହିଭଳି ସଞ୍ଜୟ ଓ ଗଣେଶ ନାଁରେ ଗୋଟିଏ ଲେଖାଏଁ ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/18/gdIf54EBIzoGWXnr3HUM.jpg)
