ଭୁବନେଶ୍ବର: ପ୍ରାୟ ୭ ଦିନ ହେଲା ରାଜଧାନୀରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ତେଣୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ଆସୁଥିବା ଅଂଶୁଘାତ ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ୧୦୦ରୁ ଅଧିକ ଅଂଶୁଘାତ ପୀଡ଼ିତ ଚିକିତ୍ସିତ ହେଲେଣି। ପ୍ରତିଦିନ ଏହି ହସ୍ପିଟାଲ୍କୁ ୨୦ରୁ ୨୫ ଜଣ ପୀଡ଼ିତ ଆସୁଛନ୍ତି। ଆଜି ମଧ୍ୟ ୧୨ ଜଣ ପୀଡ଼ିତ ଜରୁରିକାଳୀନ ବିଭାଗରେ ଚିକିତ୍ସିତ ହୋଇଥିଲେ। ଆଜି ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଗୁରୁତର ପୀଡ଼ିତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ସେମାନଙ୍କୁ ଅଂଶୁଘାତ ୱାର୍ଡରେ ଚିକିତ୍ସା କରାଯାଉଛି। ଏହି ୱାର୍ଡରେ ୧୦ଟି ଶଯ୍ୟା ରହିଛି ଏବଂ କକ୍ଷଟି ଶୀତତାପ ନିୟନ୍ତ୍ରିତ ରହିଛି। ଗତକାଲି ଜଣେ ଗୁରୁତର ରୋଗୀଙ୍କୁ ଏହି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଜରୁରିକାଳୀନ ବିଭାଗରେ ଆବଶ୍ୟକ ପରିମାଣର ବରଫ, ଓଆର୍ଏସ୍, ମେଡିସିନ୍, ସାଲାଇନ୍ ଆଦି ଗଚ୍ଛିତ ରଖାଯାଇଛି। ଏହାବାଦ ଏଠାକୁ ଆସୁଥିବା ଅନ୍ୟାନ୍ୟ ରୋଗୀଙ୍କ ପାଇଁ ମଧ୍ୟ ଓଆର୍ଏସ ପାଣି ଓ ମାଠିଆ ପାଣି ବ୍ୟବସ୍ଥା କରାଯାଇଛି। ବିଭିନ୍ନ ୱାର୍ଡ ସମ୍ମୁଖରେ ମାଠିଆ ପାଣି ରଖାଯାଇଛି।
ସେହିଭଳି କ୍ୟାପିଟାଲ୍ ହସ୍ପିଟାଲ୍କୁ ଖରାଜନିତ ରୋଗରେ ପୀଡ଼ିତମାନେ ଅଧିକ ସଂଖ୍ୟାରେ ଆସୁଥିବା ଦେଖିବାକୁ ମିଳୁଛି। କାହା ଦେହରୁ ସୋଡ଼ିୟମ୍ ଓ ପଟାସିୟମ୍ କମିଯାଉଛି ତ କାହାର ଆଣ୍ଠୁଗଣ୍ଠି ବିନ୍ଧା ବଢ଼ୁଛି। ସେହିଭଳି କାହାର ମୁଣ୍ଡ ବୁଲାଉଛି ତ କାହାର ବାନ୍ତି ହେଉଛି। ଖରାଜନିତ ଅଧିକ ଦୁର୍ବଳ ହୋଇପଡ଼ୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ବଡ଼ ସମସ୍ୟା ହେଉଛି ପ୍ରବଳ ଖରା ଯୋଗୁଁ ଶିଶୁମାନଙ୍କଠାରେ ଆଖି ସମସ୍ୟା ବୃଦ୍ଧି ପାଉଛି। କ୍ୟାପିଟାଲ୍ ହସ୍ପିଟାଲ୍ର ମେଡିସିନ ବିଭାଗ ଡାକ୍ତର ବିଶ୍ବଜିତ ମହାନ୍ତିଙ୍କ ସୂଚନାନୁସାରେ ବର୍ତ୍ତମାନ ତିନି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ବଢ଼ୁଛି। ଆଣ୍ଠୁ ଗଣ୍ଠି କଷ୍ଟ (ହିଟ୍ କ୍ରାମ୍ପସ୍), ଖରା କ୍ଲାନ୍ତି ଏବଂ ଅଂଶୁଘାତ (ହିଟ୍ ଷ୍ଟ୍ରୋକ) ବଢ଼ୁଛି। ସେହିଭଳି ଏମ୍ସ ମେଡିସିନ୍ ବିଭାଗ ମୁଖ୍ୟ ଡାକ୍ତର ଅନୁପମ ଦେ କହିଛନ୍ତି ଯେ ପ୍ରବଳ ଖରା ଯୋଗୁଁ ଶରୀରରୁ ସୋଡିୟମ୍ ପରିମାଣ ହ୍ରାସ ପାଉଛି। ଏଥିଯୋଗୁଁ ମୁଣ୍ଡବ୍ୟଥା ହେବା, ବାନ୍ତି ଲାଗିବା ସହ ପୀଡ଼ିତଙ୍କ ଖାଇବା ଇଚ୍ଛା କମିଯାଏ।
ଏଭଳି ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ କେହି କେହି ଅଚେତ ହୋଇଯାଆନ୍ତି ତ ଆଉ କେତେଜଣଙ୍କୁ ଫିଟ୍ସ ମାରିଥାଏ। ତେଣୁ ଦେହରୁ ମାତ୍ରାଧିକ ଝାଳ ବୋହିଲେ ଏବଂ ଖାଇବା ଲାଳସା କମିଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ସହିତ ଲୁଣ ଓ ଚିନି ପାଣି ପିଇବା ଉଚିତ। ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଭାଗବତ ନାୟକ କହିଛନ୍ତି ଯେ ମାତ୍ରାଧିକ ଖରାର ଅତି ବାଇଗଣୀ ରଶ୍ମିର ପ୍ରଭାବ ଥାଏ। ତେଣୁ ଶିଶୁଙ୍କ ଆଖି ଲାଲ୍ ହୋଇଯାଏ। ତେଣୁ ପିଲାଙ୍କୁ ଖରାକୁ ଛାଡ଼ିବା ବେଳେ କଳା ଚଷମା ପିନ୍ଧିବାକୁ ଦେବା ଉଚିତ।