‘ଓସ୍ତାଦ୍‌’ଙ୍କୁ ସମସ୍ତେ ଝୁରୁଛନ୍ତି : ଦୀର୍ଘ ବର୍ଷ ଧରି ଦେଇ ଆସୁଥିଲେ ନକ୍ସଲ ବିରୋଧୀ ତାଲିମ, ୧୮ ଜଣଙ୍କୁ ତାଲିମ ଦେବା ପରେ ଘଟିଥିଲା ଦୁର୍ଘଟଣା

ପ୍ରକାଶଙ୍କ ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିବେ ସରକାର

ଭୁବନେଶ୍ବର : ନକ୍ସଲ ବିରୋଧୀ ମୁକାବିଲାର କୌଶଳ ଶିଖାଉଥିଲେ। ୨୪ କ୍ୟାଡେଟ ସର୍ଜେଣ୍ଟଙ୍କୁ ଦେଉଥିଲେ ତାଲିମ। ଯଦି ନକ୍ସଲ ଘଞ୍ଚ ଜଙ୍ଗଲରେ ଘେରି ଯାଇ ଆକ୍ରମଣ କରନ୍ତି ତାହାଲେ କିପରି ଜବାବ ଦିଆଯିବ? କିପରି ଆମ୍ବୁସରୁ ମୁକୁଳିବା ସହ ପ୍ରତି ଜବାବ ଦିଆଯିବ? ପାଖରେ ଥିବା ହ୍ୟାଣ୍ଡ ଗ୍ରେନେଡକୁ କେମିତି ନକ୍ସଲଙ୍କ ଉପରକୁ ଫିଙ୍ଗିବାକୁ ପଡ଼ିବ? ଏହାର କୌଶଳ ଶିଖାଇ ଚାଲିଥିଲେ। ୧୮ ଜଣଙ୍କୁ ଠିକ ଭାବେ ତାଲିମ ଦେଇ ସାରିବା ପରେ ୧୯ ନମ୍ବରରେ ଥିବା କ୍ୟାଡେଟ ସର୍ଜେଣ୍ଟ ବାର୍ସା ହାଁସଦାଙ୍କ ହାତରୁ ଖସି ପଡ଼ିଥିଲା ହ୍ୟାଣ୍ଡ ଗ୍ରେନେଡ୍। ହ୍ୟାଣ୍ଡ ଗ୍ରେନେଡ ଫୁଟିବାର ଅବଧି ମାତ୍ର ୪ ସେକେଣ୍ଡ ରହିଥିଲା। ଏହା ଦେଖିବା ପରେ ତାଲିମ ନେଉଥିବା କ୍ୟାଡେଟ ସର୍ଜେଣ୍ଟଙ୍କ ଜୀବନ ବଞ୍ଚାଇବାକୁ ଡେଇଁ ପଡିଥିଲେ ପ୍ରଶିକ୍ଷକ ପ୍ରକାଶ ସାହୁ। ଗ୍ରେନେଡକୁ ଦୂରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗ୍ରେନେଡଟି ପ୍ରକାଶଙ୍କ ହାତରେ ଥିବା ବେଳ ହିଁ ରହିଥିବା ଅବଧି ଶେଷ ହୋଇ ଯାଇଥିଲା। ହାତରୁ ଖସିବା ସମୟରେ ହିଁ ଘଟିଥିଲା ବିସ୍ଫୋରଣ। ଯେଉଁଥିରେ ପ୍ରଶିକ୍ଷକ ପ୍ରକାଶଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ନିକଟରେ ଥିବା ବାର୍ସା ହାଁସଦା ଗୁରୁତର ହୋଇପଡ଼ି ଥିଲେ। ଏବେ ଶ୍ରୀ ହାଁସଦା ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ନିଜ ଜୀବନକୁ ବାଜି ଲଗାଇ କ୍ୟାଡେଟ ସର୍ଜେଣ୍ଟଙ୍କ ଜୀବନ ବଞ୍ଚାଇ ସହିଦ ହୋଇଗଲେ ହାବିଲଦାର ପ୍ରକାଶ ସାହୁ। କୌଣସି ଫିଲ୍ମ କାହାଣୀଠାରୁ ଏହି ଘଟଣା କମ୍ ନ ଥିଲା।

ପ୍ରକାଶଙ୍କ ବଳିଦାନକୁ ନେଇ ଝୁରୁଛନ୍ତି ବଞ୍ଚି ଯାଇଥିବା କ୍ୟାଡେଟ୍ ସର୍ଜେଣ୍ଟ, ଝୁରୁଛନ୍ତି ସାଥୀ ଯବାନ, ଝୁରୁଛି ଏସ୍ଓଜି କ୍ୟାମ୍ପସ, ଝୁରୁଛନ୍ତି ତାଲିମ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିବା ପୁଲିସ। କାରଣ ପ୍ରକାଶ ଜଣେ ଦକ୍ଷ ପ୍ରଶିକ୍ଷକ ଥିଲେ ବୋଲି ତାଙ୍କର ଜଣେ ସାଥୀ କହିଛନ୍ତି। ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ପ୍ରକାଶ ଏସ୍ଓଜି କ୍ୟାମ୍ପରେ ତାଲିମ ଦେଇ ଆସୁଥିଲେ। ବିଶେଷ କରି ବନ୍ଧୁକ ଚାଳନା, ହ୍ୟାଣ୍ଡ ଗ୍ରେନେଡ୍, ଅସ୍ତ୍ରଶସ୍ତ୍ର ଚାଳନା ଓ କୌଶଳ ଭଳି ନକ୍ସଲ ବିରୋଧୀ ମୁକାବିଲା ତାଲିମ ପ୍ରଦାନରେ ପ୍ରକାଶ ଏସ୍ଓଜି କ୍ୟାମ୍ପରେ ବେଶ୍ ଜଣାଶୁଣା ଥିଲେ। ପ୍ରଶିକ୍ଷକଙ୍କୁ ପୁଲିସ ଭାଷାରେ ‘ଓସ୍ତାଦ୍’ କୁହାଯାଏ। ପ୍ରକାଶ ଜଣେ ଭଲ ଓସ୍ତାଦ ଭାବେ ନାଁ ବି କମାଇ ସାରିଥିଲେ। ପ୍ରକାଶ ସିନା ସହିଦ ହୋଇଗଲେ କିନ୍ତୁ ଏସଓଜି କ୍ୟାମ୍ପ ତାଙ୍କୁ ସବୁବେଳେ ମନେ ରଖିଥିବ। ଅନ୍ୟପକ୍ଷରେ ଗୁରୁତର ଆହତ କ୍ୟାଡେଟ ସର୍ଜେଣ୍ଟ ବାର୍ସା ହାଁସଦାଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି। ତାଙ୍କ ସ୍ବାସ୍ଥ୍ୟ‌‌ାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟ ଜଣେ ଆହତ କ୍ୟାଡେଟ ସର୍ଜେଣ୍ଟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଘଟଣାକୁ ନେଇ ପୂରା ଏସ୍ଓଜି କ୍ୟାମ୍ପରେ ଶୋକର ପରିବେଶ। ପ୍ରକାଶ ରହୁଥିବା ଶୈଳଶ୍ରୀବିହାର ପୁଲିସ କଲୋନୀରେ ବି ଶୋକର ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପ୍ରକାଶଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହାୟତା କରାଯିବ ବୋଲି ମୁଖ୍ୟ ସଚିବ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି। ଏଥି ସହିତ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର