ପୁଣି ଚର୍ଚ୍ଚାରେ ଏସ୍‌ଓଜି ଟ୍ରେନିଂ, କର୍ତ୍ତୃପକ୍ଷଙ୍କ ନାମରେ ଏତଲା

ଭୁବନେଶ୍ୱର : ଚନ୍ଦକା ଅଞ୍ଚଳରେ ଥିବା ଏସ୍‌ଓଜି ଟ୍ରେନିଂ ସେଣ୍ଟର ପୁଣି ଚର୍ଚ୍ଚାକୁ ଆସିଛି। ଗତ ୧୨ ତାରିଖ ଦିନ ପ୍ରଶିକ୍ଷଣ ନେଉଥିବା ଜଣେ ଅଧିକାରୀଙ୍କୁ ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହ ଗାଳିଗୁଲଜ କରିଥିବା ନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଜି ଆଉ ଜଣେ ଅଧିକାରୀ ତାଙ୍କ ନାମରେ ସମ୍ପୃକ୍ତ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଦେଇଥିବା ପ୍ରଶିକ୍ଷଣପ୍ରାପ୍ତ ଅଧିକାରୀ ହେଉଛନ୍ତି ସେମିଳିଗୁଡ଼ାର ସିଏସ୍‌ଆଇ ରଶ୍ମିରଞ୍ଜନ ମଲ୍ଲିକ। ସେ ଅସୁସ୍ଥ ଥିବାର ସମସ୍ତ ପ୍ରମାଣ ସତ୍ତ୍ବେ ତାଙ୍କୁ ପ୍ରଶିକ୍ଷଣ ନେବା ପାଇଁ ବାଧ୍ୟ କରାଯାଇଛି। ବାରାକ୍‌ରେ ପାଣି ନଥିବା ଯୋଗୁଁ କ୍ୟାମ୍ପସ ଛାଡ଼ି ଚାଲିଯିବା ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଛି। ଏହା ସହ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଦର୍ଶାଇ ସେ ଚନ୍ଦକା ଥାନାରେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ ଓ କମାଣ୍ଡାଣ୍ଟଙ୍କ ବିରୋଧରେ ଏତଲା ଦେଇଛନ୍ତି। ତେବେ କ୍ୟାମ୍ପସ ଛାଡ଼ି ଚାଲିଯିବା ଚରମ ବିଶୃଙ୍ଖଳା। ସେଥିପାଇଁ ତାଙ୍କୁ କେବଳ ଉତ୍ତର ମଗାଯାଇଛି। ଦୁର୍ବ୍ୟବହାର କରାଯାଇ ନାହିଁ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି। ତେବେ ପୂର୍ବରୁ ଅର୍ଥାତ୍‌ ୧୨ ତାରିଖରେ ଏଭଳି ଜଣେ ପ୍ରଶିକ୍ଷଣପ୍ରାପ୍ତ ଏସ୍‌ଆଇ ଚନ୍ଦକା ଥାନାରେ ଏତଲା ଦେଇଥିଲେ। ଏସ୍‌ଓଜି ଭିତରେ ଏପରି ଅବହେଳା ଓ ଦୁର୍ବ୍ୟବହାର କରାଯାଉଥିବା ଦର୍ଶାଇ ଆଉ କିଛି ସଂଘକୁ ଲିଖିତ ଭାବେ ଅବଗତ କରାଇଛନ୍ତି।

ରଶ୍ମି ରଞ୍ଜନଙ୍କ ଅଭିଯୋଗକ୍ରମେ ସେ ଏଠାକୁ ଦେଢ଼ ମାସ ହେବ ଟ୍ରେନିଂ ପାଇଁ ଆସିଛନ୍ତି। ୨୪ ତାରିଖରେ ସେ ଟାଇଫଏଡ୍‌ର ଶିକାର ହୋଇ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ୨୮ ତାରିଖରେ ଫେରିବା ପରେ ବାରାକ୍‌ରେ ପାଣି ନଥିଲା। ଡାକ୍ତର ତାଙ୍କୁ ୧୦ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ତେବେ ଅସୁସ୍ଥତା ଯୋଗୁଁ ସେ ପ୍ରତିଦିନ ପାଣି ବୋହି ପାରୁ ନଥିଲେ। ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳିନଥିଲା। ସେଥିପାଇଁ ସେ ଜୁନ୍‌ ୧ ତାରିଖରେ କ୍ୟାମ୍ପସ ଛାଡ଼ି ବାହାରେ ରହୁଥିଲେ। ୭ ତାରିଖ ଦିନ ସେ କ୍ୟାମ୍ପସକୁ ଫେରିଥିଲେ। ୧୧ ତାରିଖରେ ସେ କମାଣ୍ଡାଣ୍ଟଙ୍କୁ ଭେଟିଥିଲେ। ହେଲେ ସେଠାରେ ତାଙ୍କ ଅଭିଯୋଗ ଗ୍ରହଣ କରାନଯାଇ ଗାଳି ଗୁଲଜ କରାଯାଇଥିଲା। ଟ୍ରେନିଂ ବେଳେ କାହିଁକି କ୍ୟାମ୍ପସ ଛାଡ଼ିଲ କାରଣ ମଗା ଯାଇଥିଲା। ଏହା ପରେ ଟ୍ରେନିଂରେ ୫ କିଲୋମିଟର ଦଉଡ଼ା ଯାଇଥିଲା। ଏ ନେଇ ସେ ଚନ୍ଦକା ଥାନାରେ ଏତଲା ଦେଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର