କରୋନା କଟକଣାରେ ହେବ ଷୋଳ ପୂଜା, ଚଳିତ ବର୍ଷ ୪୩ଦିନ ପୀଠ ପୂଜା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚତୁଃପାର୍ଶ୍ବରେ ଥିବା ଅଷ୍ଟଚଣ୍ଡୀଙ୍କ ସମେତ ବିଭିନ୍ନ ଦେବୀପୀଠରେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବ ଷୋଳ ପୂଜା। କରୋନା କଟକଣାକୁ ଦୃଷ୍ଟିରେ ରଖି ଏଥର ସୀମିତ ସେବାୟତଙ୍କୁ ନେଇ ପୂଜା କରାଯିବ। ତେବେ ଚଳିତବର୍ଷ ପୂଜା ମଧ୍ୟରେ ମଳ ମାସ ପଡ଼ୁଥିବାରୁ ୪୩ ଦିନ ପୂଜା କରାଯିବ। ଅର୍ଥାତ ମାସେ ଅଧିକ ସମୟ ପୂଜା ଅନୁଷ୍ଠିତ ହେବ। ଦେବୀପୀଠରେ ଷୋଡ଼ଶ ଉପଚାର ପୂଜା ହୋଇଆସୁଥିବା ବେଳେ ପୀଠମାନଙ୍କରେ ୧୬ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜା କରାଯିବାର ବିଧି ରହିଛି।

ଶ୍ରୀଲିଙ୍ଗରାଜ  ମନ୍ଦିର ଚତୁଃପାର୍ଶ୍ବରେ  ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ତିନିମୁଣ୍ଡିଆ ଛକରେ ବୌଦ୍ଧ ଯୁଗରୁ ମା’ଙ୍କ ମୂର୍ତି ପୂଜା ପାଉଛି। ଏଠାରେ ମା’ କପାଳୀ ଠାକୁରାଣୀଙ୍କର ନୀତି ମୁତାବକ ପୂଜାର୍ଚ୍ଚନା ହୁଏ। ଏହି ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀଙ୍କ ପୂଜା ପୁରୀର ରାଜଗୁରୁଙ୍କ ଦ୍ବାରା କରାଯିବାର ବିଧି ରହି ଆସିଛି। ବିଏମ୍‌ ହାଇସ୍କୁଲ ଖେଳ ପଡ଼ିଆ ନିକଟରେ ମା’ ଦକ୍ଷିଣ ଚଣ୍ଡୀ, ବଡ଼ୁ ସାହିରେ ମା’ ମୋହିନୀ, ପୂଜାପଣ୍ଡା ସାହିରେ ମା’ ରାମାୟଣୀ, ବିନ୍ଦୁସାଗର ଉତ୍ତରେଶ୍ବରଘାଟ ନିକଟରେ ମା’ ଉତ୍ତରାୟଣୀ, କେଦାରଗୌରୀ ମନ୍ଦିର ପରିସରରେ ମା’ ଗୌରୀ, ତୀର୍ଥେଶ୍ବର ଗଳିରେ ମା’ ଅମ୍ବିକେ, ତଳବଜାରରେ ମା’ ବିନ୍ଧ୍ୟବାସିନୀ, ଶିଶୁପାଳଗଡ଼ରେ ମା’ ଗଡ଼ଚଣ୍ଡୀ, ବିନ୍ଦୁସାଗର ନିକଟ ମା’ ଦ୍ୱାରବାସିନୀ, ସାମନ୍ତରାପୁରରେ ମା’ ଭୁଆଶୁଣୀ, ଗ୍ୟାରେଜ୍‌ ଛକ ନିକଟ ମ‌ା’ ଦକ୍ଷିଣକାଳୀ ଦେବୀପୀଠରେ ସ୍ୱତନ୍ତ୍ର ପୂଜା କରାଯିବ। ପ୍ରତ୍ୟହ ସକାଳେ ବାଳଭୋଗରେ ଫଳ, ମୁଗ, ବୁଟ ଓ ଶୁଖୁଲା ଭୋଗ କରାଯାଉଥିବା ବେଳେ ଦ୍ବିପ୍ରହର ଧୂପରେ ଖେଚୁଡ଼ି, ଡାଲମା, ଖଟା, ଖିରି, ଦହି ପଖାଳ ଓ ମଣ୍ଡା ପିଠା ଭୋଗ ହୁଏ। ସନ୍ଧ୍ୟା ଧୂପରେ ଖେଚୁଡ଼ି, ଡାଲମା, ଖଟା, ଖିରି, ଦହି ପଖାଳ ଆଦି ଭୋଗ ଲାଗି କରାଯିବାର ବିଧି ରହିଛି।

ମହାଷ୍ଟମୀ ତିଥିରେ ଭକ୍ତମାନେ ଶତାଧିକ ସଂଖ୍ୟାରେ ଅଖଣ୍ଡ ଜାଳିଥାନ୍ତି। କିନ୍ତୁ ଏଥର କରୋନା ଯୋଗୁଁ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ଭକ୍ତମାନେ ଏଥିରୁ ବଞ୍ଚିତ ରହିବେ। ଯଦି ନିୟମ କୋହଳ କରାଯାଏ, ଭକ୍ତ ମନ୍ଦିରକୁ ଯାଇପାରି‌ବେ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।

ମଳ ମାସ ପଡ଼ୁଥିବାରୁ ବଢ଼ିବ ପୂଜା ଅବଧି
ଚଳିତ ଷୋଳ ପୂଜା ମଝିରେ ମଳମାସ ପଡ଼ୁଥିବାରୁ ଏହି ମଳ ମାସରେ ମଧ୍ୟ ମା’ଙ୍କ ପୂଜା କରାଯିବ। ସେଥିପାଇଁ ପୂଜା ଅବଧି ଆହୁରି ମାସେ ବଢ଼ିଯିବ। ଏନେଇ ପଣ୍ଡିତ ଗୋପୀନାଥ କର କହିଛନ୍ତି, ତଳିତ ବର୍ଷ ମଧ୍ୟରେ ମଳ ମାସ ୨୯ଦିନ ପଡ଼ୁଛି। ଯେହେତୁ ଷୋଳ ପୂଜା ମଝିରେ ମଳମାସ ପଡ଼ୁଛି ତେଣୁ ଷୋଳ ପୂଜା ଯଥାବିଧି ଚାଲୁ ରହିବ। ମା’ଙ୍କ ବେଶ ଯେପରି ହେବା କଥା ୧୬ ଦିନ ହେବ କିନ୍ତୁ ଅନ୍ୟ ଦିନମାନଙ୍କରେ ଷୋଳପୂଜା ନୀତିରେ ପୂଜାର୍ଚ୍ଚନା କରାଯିବ।

ସମ୍ବନ୍ଧିତ ଖବର