ଭୁବନେଶ୍ବର: ଶାରଦୀୟ ମହାପାର୍ବଣର ବିଗୁଲ୍ ବାଜିଛି। ମହାମାୟାଙ୍କ ଜନ୍ମୋତ୍ସବରେ ମା’ଙ୍କ ପାଇଁ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଘଣ୍ଟ, ଶଙ୍ଖ, ବାଜା ଓ ତୁରୀର ମାଙ୍ଗଳିକ ଧ୍ବନିରେ ଆଜି ଉଚ୍ଛୁଳୁଥିଲା ନଦୀ ଘାଟ। କୃଷ୍ଣ ଓ ମହାମାୟାଙ୍କ ଜନ୍ମ ମୁହୂର୍ତକୁ କେଇକ୍ଷଣ ସ୍ମରଣ କରିବାକୁ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଢୁ ଢୁ ବର୍ଷା ସତ୍ତ୍ବେ ଆଜି ଲୋକାରଣ୍ୟ ହୋଇଥିଲା ନଦୀଘାଟ। ରାଜଧାନୀର ପୂଜା କମିଟିମାନେ ସୁସଜ୍ଜିତ ବିମାନରେ ନଦୀ ଘାଟରୁ ମାଟି ଆଣି ପୂଜାର୍ଚନା କରିଥିଲେ। ପରେ ଏହି ମାଟି ସହରର ଦେବ ପୀଠ ପରିକ୍ରମା କରି ପୂଜା ମଣ୍ଡପମାନଙ୍କରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୟାପଲ୍ଲୀ ଦୁର୍ଗାପୂଜା ସମିତି, ଡୁମୁଡୁମା, ପାଇକରାପୁର, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ ଭଳି ବିଭିନ୍ନ ପୂଜା କମିଟିମାନେ ମୃତ୍ତିକା ଆନୟନ ପର୍ବରେ ସାମିଲ୍ ହୋଇ ପାର୍ବଣ ପାଇଁ ପ୍ରସ୍ତୁତି ନେଇ ବାର୍ତା ଦେଉଥିଲେ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ରାତି ମଧ୍ୟ ଭାଗରେ ରୋହିଣୀ ଦେବକୀଙ୍କ ଗର୍ଭରୁ କୃଷ୍ଣ ଜନ୍ମ ହୋଇଥିବା ବେଳେ ଯଶୋଦାଙ୍କ କୋଳରେ ଅମ୍ବିକା ଜନ୍ମ ହୋଇଥିଲେ। ଶ୍ରୀମଦ୍ ଭାଗବତ ଆଧାରରେ ମହାମାୟାଙ୍କ ଜନ୍ମ ମୁହୂର୍ତକୁ ଆଧାର କରି ଆଜି ମା’ଙ୍କ ପାଇଁ ମାଟି ଅନୁକୂଳ ପର୍ବ ଆୟୋଜିତ ହୋଇଥିଲା। ଏନେଇ ନୟାପଲ୍ଲୀ ଦୁର୍ଗାପୂଜା ସମିତିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି, ପୌରାଣିକ ଧାରାରେ ଆମେ ଆଜି ଏହି ମହାପାର୍ବଣର ଆଦ୍ୟ ପର୍ବକୁ ଆଡ଼ମ୍ବର ସହକାରେ ପାଳନ କରିଛୁ। ମାଙ୍ଗଳିକ ଧ୍ବନୀ ସହ ଏହି ପୂଜା ପାଇଁ ଜାଗ୍ରତ ହେବାକୁ ବାର୍ତା ମିଳିଛି। ଏବେଠୁ ସମିତିର ସମସ୍ତ ସଦସ୍ୟ ହାତରେ ସୂତା ବାନ୍ଧି ନିଷ୍ଠାରେ ରହି ମା’ଙ୍କ ଶାରଦୀୟ ପୂଜାକୁ ସୂଚାରୁରୂପେ ସମ୍ପାଦନ ପାଇଁ ସଂକଳ୍ପ ନେଇଛୁ। ଏହି ଅବସରରେ ସମିତିର ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ, ଚିତ୍ରସେନ ବେହେରା, ସୁଶାନ୍ତ ଦାଶ, ଜେ.ପି ଦାସ, ଦେବେନ୍ଦ୍ର ମହାକୁଡ଼, ଖଗେନ୍ଦ୍ର ବେହେରା, ବିଷ୍ଣ ବେହେରା, ପ୍ରକାଶ ବେହେରା, ବସନ୍ତ ବେହେରା, ଶତ୍ରୁଘ୍ନ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ କେଦାର ପଟ୍ଟନାୟକ ପୌରାଣିକ ଦିଗ ଉପରେ ମତ ରଖିଥିଲେ। ସେହିଭଳି ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ କୁଆଖାଇ ନଦୀଘାଟରୁ ମାଟି ଅଣାଯାଇଥିଲା। ପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତା ଏହି ଆଦ୍ୟ ପର୍ବରେ ଉପସ୍ଥିତ ଥିଲେ।
କୁଆଖାଇ ନଦୀଘାଟଠୁ ନେଇ ଦୟା ନଦୀଘାଟରେ ଏହି ଆଦ୍ୟ ପର୍ବକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବିଶେଷକରି ବିଭିନ୍ନ ପୂଜା କମିଟି ପକ୍ଷରୁ ସୁସଜ୍ଜିତ ପାଲିଙ୍କିରେ ମୃଣ୍ମୟୀ ମୂର୍ତି ପାଇଁ ମାଟି ନେବାର ଦୃଶ୍ୟ ଦେଖିବାକୁ ନଦୀଘାଟ ଓ ଓଭରବ୍ରିଜ୍ ଉପରେ ବିପୁଳ ସମାଗମ ହୋଇଥିଲା। ପୂର୍ବାହ୍ନରୁ ଅପରାହ୍ଣ ପର୍ଯ୍ୟନ୍ତ ରାଜଧାନୀ ଓ ଉପକଣ୍ଠରୁ ବହୁ ପୂଜା କମିଟି ମାଟି ଅନୁକୂଳ କରିଥିବା ଦେଖିବାକୁ ମିଳିଥିଲା।