ଭୁବନେଶ୍ୱର: ଗତ ଏପ୍ରିଲ୍‌ ମାସରେ ଜନପଥରେ ମେଟ୍ରୋ ଟ୍ରେନ୍‌ ଧାରଣା ବିଛା ଯିବା ପାଇଁ ସର୍ଭେ ହୋଇଥିଲା। ଏହା ପରେ ପରେ ଥମି ଯାଇଥିବା ମେଟ୍ରୋ ଟ୍ରେନ୍‌ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଫରେଷ୍ଟ ପାର୍କ ଦେଇ ଯିବାକୁ ଥିବା ଏହି ରେଳ ଧାରଣା ପାଇଁ ପାର୍କ ଭିତରୁ ପ୍ରାୟ ୪ଶହ ଗଛ କଟାଯିବ। ଏ ନେଇ ଗଛଗୁଡ଼ିକୁ  ଚିହ୍ନିତ କରାଯିବା ସହ ପାର୍କ ପରିସରରେ ଆଜି ମାଟି ପରୀକ୍ଷଣ ହେବା ବେଳେ ପ୍ରବଳ ବିରୋଧ ହୋଇଛି। ପ୍ରକଳ୍ପକୁ ସମସ୍ତେ ସ୍ବାଗତ କରିଥିଲେ ମଧ୍ୟ ପାର୍କ ଭିତରେ ରେଳ ଧାରଣା କରିବା ଓ ଗଛ କାଟିବାକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଫରେଷ୍ଟ ପାର୍କ ଆସୋସିଏସନ ବିରୋଧ କରିଛନ୍ତି। ଏ ନେଇ ସରକାରଙ୍କୁ ଅବଗତ କରାଇବେ ବୋଲି ସେମାନେ କହିଛନ୍ତି। ତେବେ ବିରୋଧ ଯୋଗୁ ପାର୍କ ଭିତରେ ମାଟି ପରୀକ୍ଷା କାମ ବନ୍ଦ ହୋଇ ନଥିବା ଜଣାପଡ଼ିଛି। ମେଟ୍ରୋ ଟ୍ରେନ୍‌ ବିମାନବନ୍ଦରରୁ ଜନପଥ ଦେଇ ତ୍ରିଶୁଳିଆ ଯିବ। ବିମାନବନ୍ଦରରୁ ଜନପଥ ଆସିବା ବେଳେ ଫରେଷ୍ଟ ପାର୍କ ଦେଇ ଆସିବ।

Advertisment

ଏଣୁ ପାର୍କ ଭିତରୁ ୪ଶହ ଗଛ କଟାଯିବ। ଏହି ଗଛଗୁଡ଼ିକ ମଧ୍ୟରେ ଅନେକ ମେଡିସିନାଲ୍‌ ପ୍ଲାଣ୍ଟ ରହିଥିବା ସ୍ଥାନୀୟ ଅଭିଯୋଗ ହୋଇଛି। ଆଇନଜୀବୀ ଦେବାଶିଷ ଦାସଙ୍କ କହିବା କଥା ହେଉଛି, ନବୀନ ନିବାସରୁ ପୋଖରୀପୁଟ ପର୍ଯ୍ୟନ୍ତ ରାସ୍ତାରୁ ପାଖାପାଖି ୫ଶହ ଗଛ କାଟିବେ। ଏଠାରୁ ଗଛ କଟା ଆରମ୍ଭ ହୋଇଯାଇଛି। ଏବେ ପାର୍କରୁ ୪ଶହ କାଟିବେ। ଅର୍ଥାତ୍‌ ସହର ଭିତରୁ ଏଭଳି ଏକ ସମୟରେ, ଏକା ଥରକେ ପାଖାପାଖି ୧ହଜାର ଗଛ କାଟି ଦେବା ଦୁର୍ଭାଗ୍ୟଜନକ। ଏହି ମେଟ୍ରୋ ଟ୍ରେନ୍‌ ‌ନେବା ପାଇଁ ସରକାରୀ କ୍ବାର୍ଟର୍ସ ଭିତରେ ଯଥେଷ୍ଟ ଜାଗା ରହିଛି। ଏଠାରେ ପ୍ରତ୍ୟେହ ଶହ ଶହ ଲୋକ ସକାଳ ତଥା ସାନ୍ଧ୍ୟ ଭ୍ରମଣ କରୁଛନ୍ତି।  ସେମାନେ ମଧ୍ୟ ପ୍ରଭାବିତ ହେବେ। ଏଣୁ ଏହା ଉପରେ ପୁନଃବିଚାର କରିବାର ଥିଲା। ଆମେ ସରକାରଙ୍କୁ ଅବଗତ କରିବୁ ନ ହେଲେ କୋର୍ଟ ଯିବୁ ବୋଲି କହିଛନ୍ତି।

ଆଜି ପାର୍କ ସମେତ ବିମାନବନ୍ଦର ନିକଟରେ ମଧ୍ୟ ମାଟି ପରୀକ୍ଷା କରାଯାଇଛି। ଯେଉଁ ରୁଟ୍‌ରେ ଓଭରହେଡ୍‌ ଧାରଣା ବିଛାଯିବ ସେହି ରୁଟ୍‌ର ଶହେ ମିଟର ବ୍ୟବଧାନରେ ଶହେରୁ ଦେଢ଼ଶହ ମିଟର ପର୍ଯ୍ୟନ୍ତ ଖୋଳାଯାଇ ନମୂନା ସଂଗ୍ରହ କରାଯାଉଛି। ତାହାକୁ ପରୀକ୍ଷା ପାଇଁ ପଠାଯିବ। ଆସନ୍ତାକାଲି ଜନପଥରେ ମାଟି ପରୀକ୍ଷା କରାଯିବ ବୋଲି ଜଣପଡ଼ିଛି। ଗତ ଏପ୍ରିଲ ମାସରେ ରେଳପଥ ନିର୍ମାଣ ପାଇଁ ଜନପଥରେ ସର୍ଭେ ହୋଇଥିଲା। ରାସ୍ତାର ମେଡିଆନ୍‌ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ସମେତ ପାଣି ପାଇପ୍‌, ଟେଲିଫୋନ୍‌ ଲାଇନ୍‌, ଗ୍ୟାସ୍‌ପାଇପ୍‌ ଲାଇନ୍‌ ସମେତ ସମସ୍ତ ‘ୟୁଟିଲିଟି’ ହଟାଯିବାକୁ ସର୍ଭେ ହୋଇଥିଲା। ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ୫.୫କିମିର ଦୀର୍ଘ ସ୍ମାର୍ଟ ଜନପଥରେ ପ୍ରାୟ ୨୨୦ ବିଦ୍ୟୁତ ଖୁଣ୍ଟ ରହିଛି। ଏ ସବୁକୁ ହଟାଯିବ। ସୂଚନାଯୋଗ୍ୟ, ୬୨୫୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମେଟ୍ରୋ ରେଳ ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ଛକ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ଏହା ମଧ୍ୟରେ ୨୦ଟି ଷ୍ଟେସନ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।