ବାୟୁ ପ୍ରଦୂଷଣ ରୋକିବ ସୋଲାର ଅଟୋରିକ୍ସା

ଖଣ୍ଡଗିରି: ସହରଠାରୁ ଗାଁ ପର୍ଯ୍ୟନ୍ତ ସବୁଆଡ଼େ ଏବେ ମଟରଯାନର ବ୍ୟବହାର ବଢ଼ି ଚାଲିଛି। ଯାତ୍ରୀ ପରିବହନ କ୍ଷେତ୍ରରେ ଅଟୋରିକ୍ସା ସବୁଠାରୁ ଆଗରେ ରହିଛି। ବାୟୁ ପ୍ରଦୂଷଣ ବୃଦ୍ଧିରେ ସମ୍ପ୍ରତି ଅଟୋ ରିକ୍ସା ହିଁ ଅଧିକ ପରିମାଣରେ ଦାୟୀ। ତେଣୁ ପେଟ୍ରୋଲ, ଡିଜେଲ ଚାଳିତ ଅଟୋ ପରେ ସିଏନ୍‌ଜି ଚାଳିତ ଅଟୋ ବଜାରକୁ ଆସିଛି। ହେଲେ ତାହା ମଧ୍ୟ ବାୟୁ ପ୍ରଦୂଷଣ ରୋକିବାରେ ସଫଳ ହୋଇନାହିଁ। ଏଥିପାଇଁ ବ୍ୟାଟେରି ଚାଳିତ ଅଟୋ ଜରୁରୀ ହୋଇ ପଡ଼ିଛି। ପୁଣି ଏଭଳି ଅଟୋରେ ସୋଲାର୍ ପ୍ୟାନେଲ୍ ସଂଯୁକ୍ତ କରିଦେଲେ, ତାହା ଆହୁରି ଅଧିକ ଉପଯୋଗୀ ହୋଇପାରୁଛି। କାରଣ ଏଥିରେ ପ୍ରଦୂଷକ କଣିକା ଶୂନ।

ଏଭଳି ଏକ ପରିବେଶ ବନ୍ଧୁ ଅଟୋ ବଜାରକୁ ଛାଡ଼ିବା ପାଇଁ ୨୦୧୪ ମସିହାରୁ ବେଙ୍ଗାଲୁରୁ ଭୋଲ୍ଟା ଅଟୋମୋଟିଭ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍(ଭିଏଆଇପି) ପରୀକ୍ଷା ଚଳାଇ ଆସୁଛି। ପୁରୁଣା ବଜାଜ୍ ଅଟୋରିକ୍ସାର ଇଂଜିନ୍‌ ବଦଳାଇ ସେଥିରେ ଲିଥିୟମ୍ ବ୍ୟାଟେରି ଓ ସୋଲାର ପ୍ୟାନେଲ୍ ସଂଯୁକ୍ତ କରି ସୌର ଶକ୍ତି ଚାଳିତ ଅଟୋ ବଜାରକୁ ଛାଡ଼ିଛି। ବେଙ୍ଗାଲୁରୁରେ ଏଭଳି ପ୍ରାୟ ୫୦ଟି ଅଟୋ ଚାଲୁଛି। କମ୍ପାନିର ଏଭଳି ଏକ ଅଭିନବ ଆବିଷ୍କାରକୁ ବଜାରରେ ଲୋକାଦୃତ କରାଇବା ପାଇଁ ମୁମ୍ବାଇ ଆଇଆଇଟିର ଛାତ୍ର ଅଣ୍ଟା ଭିଡ଼ିଛନ୍ତି। ସେ ହେଲେ ସୁଶିଲ୍ ରେଡ୍ଡୀ। ତାଙ୍କ ସହିତ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ଇଂଜିନିୟରିଂ କରିଥିବା ଋତ୍ବିକ ଆରୢା, ମାସ୍ କମ୍ପୁନିକେସନ ଛାତ୍ର ପଲ୍ଲଭୀ ସିଦ୍ଧାନ୍ତା ଓ କମ୍ପାନି ପକ୍ଷରୁ ଯୁବ ଅଧିକାରୀ ସୁଧୀର ଲେକ୍କାଲା ଏକ ସ୍ବତନ୍ତ୍ର ଅଭିଯାନରେ ବାହାରିଛନ୍ତି। ସେମାନେ ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଓ କୋଲକାତା ଏମିତି ୪ ବଡ଼ ବଡ଼ ସହରକୁ ପରିଭ୍ରମଣରେ ବାହାରିଛନ୍ତି। ଏକ ସୋଲାର ଅଟୋରେ ଏମାନେ ୬୦ ଦିନ ଭିତରେ ପ୍ରାୟ ୬ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିବେ। ଆଜି ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବିଜୁ ପଟ୍ଟନାୟକ ଶକ୍ତି ପାର୍କରେ ଏହି ଟିମ୍ ପହଞ୍ଚିଛି। ସୁଶିଲଙ୍କ କହିବା କଥା, ଏହି ଅଟୋରେ ଲାଗୁଥିବା ଲିଥିଅମ୍ ବ୍ୟାଟେରି ଉପରେ ୩/୪ ବର୍ଷର ୱାରେଣ୍ଟି ରହୁଛି। ସେହିଭଳି ଅଟୋ ଛାତରେ ଲାଗୁଥିବା ସୋଲାର ପ୍ୟାନେଲ୍ ଉପରେ ୨୫ ବର୍ଷର ୱାରେଣ୍ଟି ରହୁଛି। ଥରେ ଉକ୍ତ ଲିଥିୟମ୍ ବ୍ୟାଟେରିଟି ପୁରା ୬ ୟୁନିଟ୍ ବିଦ୍ୟୁତ୍ ଶକ୍ତି ଚାର୍ଜ ହୋଇଗଲେ, ଅଟୋଟି ୧୨୦ କିମି ରାସ୍ତା ଅତିକ୍ରମ କରିପାରୁଛି। ତେଣୁ କିଲୋମିଟର ପିଛା ୫୦ ପଇସା ବ୍ୟୟରେ ଏହି ଅଟୋଟି ରାସ୍ତାରେ ଗଡ଼ି ପାରୁଛି। ପୁଣି ଅଟୋଟି ଖାଲିରେ ଠିଆ ହୋଇଥିବାବେଳେ ସୗରଶକ୍ତି ସଞ୍ଚିତ ହୋଇ ପାରୁଛି। ଘଣ୍ଟାକୁ ୫୫ କିଲୋମିଟର ବେଗରେ ଗତି କରିପାରୁଛି ଏହି ଅଟୋ। ତେଣୁ କମ୍ ଖର୍ଚ୍ଚ, ଅଧିକ ଶକ୍ତିଶାଳୀ ଏହି ଅଟୋରେ ପ୍ରଦୂଷଣ ମାତ୍ରା ଶୂନ। ଏହି ଅଟୋର ପ୍ରଚାର ପାଇଁ ସୁଶିଲଙ୍କ ଟିମ୍ ବିଭିନ୍ନ ସହରର ସ୍କୁଲ, କଲେଜ ଓ ଅଟୋଷ୍ଟାଣ୍ଡରେ ପହଞ୍ଚି ଲୋକଙ୍କୁ ବୁଝାଉଛନ୍ତି। ଏହି ଟିମ୍‌କୁ ଓଡ଼ିଶାର ଯୁବ ଶିଳ୍ପ ଉଦ୍ୟୋଗୀ ପ୍ରଭାତ ରଂଜନ ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର