ହୁଗୁଳି ଗଲାଣି ସୋଲାର ଲାଇଟ୍‌ ଖୁଣ୍ଟ, ଅନ୍ଧାରରେ ସେତୁ

ବାଲିଅନ୍ତା: ଅମ୍ଫାନ ପରେ ଲଗାତାର କାଳବୈଶାଖୀ ଲାଗି ରହିବା ଫଳରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ସୌରଲାଇଟ ସେବା ବାଧାପ୍ରାପ୍ତ ହୋଇଛି। କିଛି ସ୍ଥାନରେ ସୌରଶକ୍ତି ଆଲୋକ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାର ମରାମତି ଦିଗରେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସର୍ବସାଧାରଣ ସ୍ଥାନ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ସୋ‌ଲାର ଲାଇଟ୍‌ ଜିଆଇ ଖୁଣ୍ଟ, ବାକ୍ସ ଏବଂ ପ୍ଲେଟଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଛି। ଫଳରେ କେତେବେଳେ ଯେ ‌ଏହା ଲୋକଙ୍କ ପାଇଁ ବିପଦର କାରଣ ନ ପାଲଟିବ, ତାହା କହି ହେବ ନାହିଁ। ସୋଲାର ଲାଇଟ ସ୍ଥାପନରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଠିକାଦାର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ହେଉଛି। ଏ ଦିଗରେ ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀ ମଧ୍ୟ ଚୁପ୍‌ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖବର ନେବାରେ ଜଣାପଡ଼ିଛି ଯେ ବର୍ଷକ ତଳେ ଟଙ୍କପାଣି ସେତୁ ଓ ବାଳକାଟି ଭାର୍ଗବୀ ସେତୁ ଫୁଟପାଥ ରାସ୍ତାରେ ସୌରଶକ୍ତି ଯୋଗାଣ ନେଇ ବ୍ୟବସ୍ଥା ହୋଇଥିଲା। ପ୍ରତି ଖୁଣ୍ଟରେ ବକ୍ସ, ପ୍ଲେଟ ଓ ବଲ୍‌ବ ଲଗାଇବା ପାଇଁ ୩୦ ହଜାର ଟଙ୍କା ଲେଖାଏଁ ବ୍ୟୟ ଅଟକଳ ହୋଇଥିଲା। ଜଣେ ସରପଞ୍ଚଙ୍କ କହିବାନୁଯାୟୀ ବ୍ରିଜ୍‌ ଉପରେ ଜିଆଇ ଖୁଣ୍ଟଗୁଡ଼ିକୁ ପୋତି ଢଳେଇ କରା ନଯିବା ଦ୍ବାରା ତାହା ଭାଙ୍ଗି ପଡ଼ିଲା। ଅଧିକାଂଶ ଷ୍ଟାଣ୍ଡ ଭାଙ୍ଗି ଯାଇଥିବା ବେଳେ ସେଥିରେ ଲାଗି ଥିବ‌‌ା ବଲ୍‌ବ ମଧ୍ୟ ଭାଙ୍ଗି ଯାଇଛି। କିଛି ଖୁଣ୍ଟରେ ଷ୍ଟାଣ୍ଡ ଓ ବଲ୍‌ବ ଥିଲେ ହେଁ ତାହା ଫ୍ୟୁଜ୍‌ ହୋଇଯାଇ ଥିବାରୁ ଜଳୁନି। ଆଉ କିଛି ଖୁଣ୍ଟରେ ସୋଲାର ବକ୍ସ ଓ ପ୍ଲେଟଗୁଡ଼ିକ ଏଭଳି ବିପଜ୍ଜନକ ଭାବେ ଝୁଲି ରହିଛି ଯେ ତାହା ପଥଚାରୀଙ୍କ ପ୍ରତି ବିପଦ ସୃଷ୍ଟି କରିଛି। ଲାଇଟ୍‌ଗୁଡିକ ଜଳୁ ନ ଥିବାରୁ ବାଳକାଟି ଭାର୍ଗବୀ ସେତୁ ଓ ଟଙ୍କପାଣି ବ୍ରିଜ ସଂଲଗ୍ନ ଅଞ୍ଚଳ ଏବେ ଅନ୍ଧାର ହୋଇପଡ଼ିଛି। ଅନ୍ଧକାରମୟ ପରିସ୍ଥିତିର ସୁଯୋଗ ନେଇ ରାତିରେ ଏଠାରେ ଛିନ୍‌ତାଇ, ଡକାୟତି ଓ ଲୁଟ୍‌ ଘଟଣା ଘଟିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର