କର୍କଟ ରୋଗରୁ ଆରୋଗ୍ୟ ସମ୍ଭବ: ଡା. ଜି କେ ରଥ

କର୍କଟ ରୋଗ ପ୍ରତି ଏତେ ଭୟ କାହିଁକି?

ଅନ୍ୟ ଅଣସଂକ୍ରମିତ ରୋଗ ଭଳି କର୍କଟ ଏକ ଭୟାନକ ରୋଗ ନୁହେଁ କି ଏହାକୁ ଡରିବା ଉଚିତ୍ ନୁହେଁ। ଆଜିର ପ୍ରତ୍ୟେକ ପରିବାରରେ ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ୍‌, କର୍କଟ ଓ ହୃଦ୍‌ଘାତ ଭଳି ରୋଗ ଦେଖିବାକୁ ମିଳୁଛି। ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗକୁ ଭଲ କରିବା ସମ୍ଭବ ନୁହେଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ। ମାତ୍ର ଏହି ହିସାବରେ କର୍କଟ ରୋଗ ୬୦ ପ୍ରତିଶତ ପର୍ଯ୍ୟନ୍ତ ଭଲ ହୋଇପାରିବ। ଯୁବରାଜ ସିଂ, ମନୀଷା କୋଇରାଲା ଓ ଲିଜା ରୟ ଭଳି ପ୍ରମୁଖ ବ୍ୟକ୍ତିତ୍ବ କର୍କଟ ରୋଗରୁ ମୁକ୍ତ ହୋଇପାରିଛନ୍ତି। ଦିଲ୍ଲୀରେ ମୁଁ ଚିକିତ୍ସା କରିଥିବା ୨ଲକ୍ଷରୁ ଅଧିକ କର୍କଟ ଆକ୍ରାନ୍ତ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି।
ପାନ, ଗୁଟ୍‌ଖା କ’ଣ କର୍କଟ ରୋଗର ପ୍ରମୁଖ କାରଣ?
୪୦ ପ୍ରତିଶତ କର୍କଟ ପାନ, ଗୁଟ୍‌ଖା କିମ୍ବା ତମାଖୁ ସେବନ ଯୋଗୁଁ ହୋଇଥାଏ। ଏହା କେବଳ ମୁଖଗହ୍ବର କର୍କଟ ସୃଷ୍ଟି କରି ନ ଥାଏ। ତମାଖୁ ୧୭ ପ୍ରକାରର କର୍କଟ ରୋଗ ସୃଷ୍ଟି କରିଥାଏ। ପ୍ରଦୂଷଣ, ପରୋକ୍ଷ ଧୂମପାନ ମଧ୍ୟ କର୍କଟ ରୋଗ ସୃଷ୍ଟି କରିଥାଏ। ତେଣୁ ସିଗାରେଟ୍ ଟାଣୁ ନ ଥିବା ଲୋକ ଯେ କର୍କଟ ରୋଗରେ ଆକ୍ରାନ୍ତ ନ ହେବ ତାହା କହିହେବ ନାହିଁ। ଏହାସହ ଅଧିକ ମାତ୍ରାରେ ଆମିଷ ଖାଇଲେ ମଧ୍ୟ କର୍କଟ ରୋଗ ଦେଖା ଯାଇଥାଏ। ଭାରତରେ କୋଲାନ୍ ବା ପାକସ୍ଥଳୀଜନିତ କର୍କଟ ରୋଗ ହେଉଛି, ଯାହାକି ବିଶ୍ବର ୩ଭାଗରୁ ୧ ଭାଗ। ଜିନ୍‌ଜନିତ କର୍କଟ ମାତ୍ର ୭-୧୦ ପ୍ରତିଶତ। ସ୍ତନ କର୍କଟ ଏହାର ଉଦାହରଣ।
କର୍କଟ ଆକ୍ରାନ୍ତଙ୍କ ପାଇଁ କ’ଣ ଚିକିତ୍ସା ଉପଲବ୍ଧ ଓ କେତେଦୂର ଏହା ଫଳପ୍ରଦ?
ଏ କ୍ଷେତ୍ରରେ ଆମେ ପିଲାମାନଙ୍କୁ ୮୦:୨୦ ଫର୍ମୁଲା ସଂପର୍କରେ ପଢ଼ାଇଥାଉ। ପ୍ରାରମ୍ଭିକ (ପ୍ରଥମ,ଦ୍ବିତୀୟ) ପର୍ଯ୍ୟାୟରେ ଦେଶରେ ୨୦ ପ୍ରତିଶତ ଲୋକ ଚିକିତ୍ସା ପାଇଁ ଆସିଥାନ୍ତି, ତହିଁରୁ ୮୦ ପ୍ରତିଶତ ଭଲ ହୋଇପାରିବେ। ମାତ୍ର ୮୦ପ୍ରତିଶତ ଲୋକ ପରବର୍ତୀ (ତୃତୀୟ, ଚତୁର୍ଥ) ପର୍ଯ୍ୟାୟରେ ଆସିଥାନ୍ତି, ମାତ୍ର ସେଥିରେ ୨୦ ପ୍ରତିଶତ ଲୋକ ଭଲ ହୋଇପାରିବେ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ ହୋଇପାରିଲେ ଏହା ଭଲ ହୋଇପାରିବ। ମୁହଁରେ କିଛି ଅସ୍ବାଭାବିକ ଭାବେ ମାଂସ ବୃଦ୍ଧି ପାଇବା, ସ୍ତନରେ ଗେଟା ହେବା, ରକ୍ତସ୍ରାବ(ଭିତର, ବାହାର) ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ। ତମାଖୁ ଖାଉଥିବା ଲୋକର ସଙ୍ଗେ ସଙ୍ଗେ କର୍କଟ ହୋଇ ନ ଥାଏ। ମୁହଁ ଭିତରେ ଏକ ଧଳାର ଆସ୍ତରଣ ସୃଷ୍ଟି ହୋଇଥାଏ। ଏହାର ହେଉଛି ପ୍ରାଥମିକ ପର୍ଯ୍ୟାୟ କର୍କଟ। ବର୍ଷେ ପରେ ଏହା ନାଲି ରଙ୍ଗ ଧାରଣ କରିଥାଏ। ଏହା ଦ୍ବିତୀୟ ଥର ଲାଗି ମଧ୍ୟ ସତର୍କ କରିଥାଏ। ଏହି ସମୟ ଭିତରେ ଡାକ୍ତରଙ୍କ ପରାମର୍ଶ ନ ନେଲେ ୫/୬ବର୍ଷ ଭିତରେ ଏହା କର୍କଟ ରୋଗ ସୃଷ୍ଟି କରିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ କର୍କଟ ରୋଗ ଚିହ୍ନଟ ହେଲେ ତହିଁରୁ ୯୫ ପ୍ରତିଶତ ଭଲ ହୋଇପାରିବ।
ସ‌ାଧାରଣ ଲୋକଟିଏ କିଭଳି କର୍କଟ ରୋଗ ସଂପର୍କରେ ଜାଣିପାରିବ?
ଗାଁରେ ରହୁଥିବା ଓ ତମା‌ଖୁ ଖାଉ ନ ଥିବା ଲୋକମାନଙ୍କ ମଧ୍ୟରେ କର୍କଟ ରୋଗର ମାତ୍ରା ବହୁତ କମ୍। ସହରାଞ୍ଚଳ‌ର ଲୋକମାନେ ପ୍ରଦୂଷଣ ଓ ମାତ୍ରାଧିକ ସିଗାରେଟ୍ ପାନ କରୁଛନ୍ତି, ତେଣୁ ଅଧିକ ମାତ୍ରରେ କର୍କଟ ରୋଗ ଦେଖା ଦେଉଛି। ଓଡ଼ିଶା‌ରେ ୧ଲକ୍ଷ ଜନସଂଖ୍ୟାରେ ୧୦୦/୧୨୦ଜଣ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମୁଖଗହ୍ବର, ଫୁସଫୁସ କର୍କଟ, ଖାଦ୍ୟନଳୀ କର୍କଟ ସାଧାରଣ ଭାବେ ଦେଖାଯାଉଛି। ହ୍ୟୁମାନ ପାପିଲୋମା ଭାଇରସ୍ ଯୋଗୁଁ ମହିଳାମାନଙ୍କ ଜରାୟୁ କର୍କଟ ରୋଗ ସୃଷ୍ଟି କରିଥାଏ। ୯-୧୬ବର୍ଷର ଝିଅଙ୍କୁ ଆବଶ୍ୟକ ଟିକା ପ୍ରଦାନ କରାଗଲେ ଜରାୟୁ କର୍କଟକୁ ଦୂର କରାଯାଇ ପାରିବ। ୩୫/୪୦ ବର୍ଷ ପୂର୍ବରୁ ଭାରତରେ ୧ଲକ୍ଷ ମହିଳାଙ୍କ ମଧ୍ୟରେ ୪୦ ଜରାୟୁ କର୍କଟ ଘଟଣା ନଜରକୁ ଆସୁଥିବା ବେଳେ ଏବେ ତାହା ୧୨କୁ ଖସି ଆସିଛି।
ଶେଷ ପର୍ଯ୍ୟାୟରେ ଚିହ୍ନଟ ହେଉଥିବା ରୋଗୀଙ୍କ ପାଇଁ କ’ଣ ଚିକିତ୍ସା ରହିଛି?
ଶେଷ ପର୍ଯ୍ୟାୟରେ ଚିହ୍ନଟ ହେଉଥିବା ରୋଗୀମାନଙ୍କ ପାଇଁ କେମୋ ଓ ରେଡିଏସନ୍‌ ଥେରାପି ଚିକିତ୍ସା ଉପଲବ୍ଧ ହେଉଛି। ଓଡ଼ିଶାରେ ମଧ୍ୟ ଏହି ସୁବିଧା ରହିଛି। ବିଳମ୍ବରେ ଆସୁଥିବା ରୋଗୀମାନଙ୍କ ପାଇଁ ପାଲଏଟିଭ୍ କେୟାର ଚିକିତ୍ସା ଆରମ୍ଭ ହେଲାଣି।
ସ୍ତନ କର୍କଟ ମାତ୍ରା କାହିଁକି ବୃଦ୍ଧି ପାଉଛି?
ବିଳମ୍ବରେ ବିବାହ, ବିଳମ୍ବରେ ପ୍ରଥମ ପିଲା ହେବା, ସ୍ତନ୍ୟପାନ ନ କରାଇବା ଯୋଗୁଁ ସ୍ତନ କର୍କଟ ରୋଗ ବୃଦ୍ଧି ପାଉଛି। ପିଲା ହେଉ ନ ଥିବା ମହିଳାଙ୍କ ସ୍ତନ କର୍କଟରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଗାଁରେ ସ୍ତନ କର୍କଟର ଆକ୍ରାନ୍ତ ସବୁଠୁ କମ୍। ୩୦ବର୍ଷ ପରେ ନିଜର ସ୍ତନକୁ ମାସକୁ ଥରେ ନିଜେ ଦେଖିବା ସହିତ ଏଥିରେ କୌଣସି ଗେଟା ହୋଇଛି କି ନାହିଁ ଦେଖିବେ। ୪୫ବର୍ଷ ପରେ ମାମୋଗ୍ରାଫି କରିବା ଜରୁରୀ।
ପନିପରିବା, ଖାଦ୍ୟରେ ମିଶୁଥିବା ରାସାୟନିକ ପଦାର୍ଥ ଯୋଗୁଁ କର୍କଟ ରୋଗ ସୃଷ୍ଟି ହେଉଥିବା ମତରେ ସତ୍ୟତା କେତେ?
ଏହା ସହିତ କର୍କଟ ରୋଗର କୌଣସି ସିଧାସଳଖ ସଂପର୍କ ରହିଥିବା ନେଇ ବିଜ୍ଞାନ ଭିତ୍ତିକ ଗବେଷଣା ନାହିଁ କିମ୍ବା ଏହାର ପ୍ରମାଣ ମଧ୍ୟ ନାହିଁ। ଆସନ୍ତାକାଲି ହୋଇପାରେ ତାହା କହିହେବ ନାହିଁ। ଆମେ ‌ରୋଗୀଙ୍କୁ ପ୍ରମାଣଭିତ୍ତିକ ନଜରରେ ଔଷଧ ପ୍ରଦାନ କରୁଛୁ। ରାସାୟନିକ ପଦାର୍ଥ କିମ୍ବା କୃତ୍ରିମ ରଙ୍ଗ ଯୋଗୁଁ କର୍କଟ ହେବା କାହାର ଏହା ନିଜସ୍ବ ମତାମତ ହୋଇପାରେ।
କେମୋ ନେଲେ ତାହା ନିକଟସ୍ଥ ସେଲ୍‌ ଗୁଡ଼ିକୁ ନଷ୍ଟ କରିଦିଏ, ଏହା ପାଇଁ କ’ଣ ପଦକ୍ଷେପ ନିଆଯାଇ ପାରିବ?
ଶେଷ ପର୍ଯ୍ୟାୟରେ ରୋଗୀକୁ କେମୋ ଦିଆଯାଇଥାଏ। କେମୋ ଥେରାପି ଯୋଗୁଁ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ। ଏହାର ଯଥେଷ୍ଟ ପାର୍ଶ୍ବ ପ୍ରତିକ୍ରିୟା ରହିଛି। ଏହା ମାତ୍ର ୫/୧୦ ପ୍ରତିଶତ ପର୍ଯ୍ୟନ୍ତ କର୍କଟ ଭଲ କରିପାରିଥାଏ। ଖାଦ୍ୟନଳୀରେ କର୍କଟ ରୋଗ‌ ହୋଇଥିଲେ, ଆବଶ୍ୟକ ଅନୁସାରେ ରେଡିଏସନ୍ ଦିଆଯାଇଥାଏ।

କର୍କଟ ରୋଗର ନାଁ ଶୁଣିଲେ ମନରେ ଭୟ ଆସିଯାଏ। ଏହି ଦୁରାରୋଗ୍ୟକୁ ‌ଜାଣିବା ଓ ଏହାର ଚିକିତ୍ସା କଲା ବେଳକୁ ପରିସ୍ଥିତି ଅଧିକ ବିଗିଡ଼ି ଯାଇଥାଏ। ସମାଜରେ କର୍କଟ ଧୀରେ ଧୀରେ ଜଟିଳ ହେବାକୁ ବସିଲାଣି। ମାତ୍ର କର୍କଟ ଭଳି ରୋଗ ଯେ ଭଲ ହୋଇପାରିବ ଓ ଅନ୍ୟ ଅଣସଂକ୍ରମିତ ରୋଗମାନଙ୍କଠାରୁ ଏହାର ଚିକିତ୍ସା ସମ୍ଭବ ତାହା ଅନେକ ଜାଣି ନ ଥାନ୍ତି। ମାତ୍ର ଏଥିପାଇଁ ଆଗୁଆ କର୍କଟ ରୋଗର ଚିହ୍ନଟ ସହିତ ଡାକ୍ତରଙ୍କ ପରାମର୍ଶ ଜରୁରୀ। ଯାହାଫଳରେ ୬୦ ପ୍ରତିଶତ କର୍କଟ ରୋଗ ଭଲ ହୋଇପାରିବ ବୋଲି କହିଛନ୍ତି ଦିଲ୍ଲୀସ୍ଥିତି ଏମ୍‌ସର ଜାତୀୟ କର୍କଟ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ଡାକ୍ତର ଗୌରକିଶୋର ରଥ। ଜଗତ୍‌ସିଂହପୁର ଜିଲ୍ଲାରେ ଜନ୍ମିତ ଡା. ରଥ ୧୯୭୩ ମସିହାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିବା ପରେ ଦିଲ୍ଲୀ ଏମ୍‌ସକୁ ଯାଇଥିଲେ। ସେବେଠାରୁ ସେଠାରେ ସେ କାର୍ଯ୍ୟରତ ଅଛନ୍ତି। ତାଙ୍କର ୨୫୦ରୁ ଅଧିକ ଗବେଷଣା ନିବନ୍ଧ ପ୍ରକାଶିତ ହେଇଛି। ଭୁବନେଶ୍ବରରେ କର୍କଟ ରୋଗ ଉପରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ଡା. ରଥଙ୍କୁ ଭେଟିଥିଲେ ‘ସମ୍ବାଦ’ ପ୍ରତିନିଧି କ୍ଷିତୀଶ ରାୟ।

ସମ୍ବନ୍ଧିତ ଖବର