୩୧ରେ ସର୍ବକ୍ଷମା ଯୋଜନା ଆବେଦନର ସମାଧାନ: ୧୫ ସୁଦ୍ଧା ଆବଶ୍ୟକ କାଗଜ ଦାଖଲ କର: ବିଏମ୍‌ସି

ଭୁବନେଶ୍ବର: ସହରରେ ବେଆଇନ ନିର୍ମାଣକୁ ବୈଧ କରାଇବା ପାଇଁ ବିଏମ୍‌ସି ସର୍ବକ୍ଷମା ଯୋଜନାରେ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ୨୦୧୮/୧୯ ମସିହାରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସିଥିବା ଦରଖାସ୍ତଗୁଡ଼ିକରେ ଆବଶ୍ୟକ କାଗଜପତ୍ରର ଅଭାବ ରହିଛି। ଏହି ସବୁ କାଗଜପତ୍ର ଦାଖଲ କରିବା ପାଇଁ ପୂର୍ବରୁ ବିଏମ୍‌ସି ଆବେଦନକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଅନେକ ଆବେଦନପତ୍ର ଏବେ ବି ଅସମ୍ପୂର୍ଣ୍ଣ ରହିଛି। ଫଳରେ ଫଇସଲା ହୋଇପାରୁନାହିଁ।

ତେଣୁ ଜାନୁଆରି ୩୧ ସୁଦ୍ଧା ସମସ୍ତ ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତି ନେବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏଣୁ ଆସନ୍ତା ୧୨ଦିନ ମଧ୍ୟରେ ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ବିଏମ୍‌ସି କହିଛି। ଆସନ୍ତା ୧୫ ତାରିଖ ସୁଦ୍ଧା କାଗଜପତ୍ର ଦାଖଲ ନ କଲେ, ଆବେଦନପତ୍ର ନାକଚ ହୋଇଯିବ ବୋଲି ବିଏମ୍‌ସି କହିଛି।

ବିଏମ୍‌ସି ଟାଉନ୍‌ ପ୍ଲାନର୍‌ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକଙ୍କ ସୂଚନା ମୁତାବକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୦୧୮ ମସିହାରେ ସର୍ବକ୍ଷମା ଯୋଜନା କରିଥିଲେ। ବିଏମ୍‌ସି ଅଞ୍ଚଳରେ ଆଜି ସୁଦ୍ଧା ୨୨୦୦ଟି ଆବେଦନ ଆସିଛି। ଏଥିରୁ ପ୍ରାୟ ୭୦୦ ଗୋଟି ଆବେଦନର ସମାଧାନ କରାଯାଇଛି।

ଅନ୍ୟ ସମସ୍ତ ଆବେଦନପତ୍ରରେ ଉପଯୁକ୍ତ ପ୍ଲାନ୍‌, ମାଲିକାନାର ପ୍ରାମାଣିକ ନଥି, ଘରର ଫଟୋ, କ୍ଷେତ୍ର ପରିଦର୍ଶନ ବିବରଣୀ, ସମ୍ପୃକ୍ତ ସ୍ଥାନର ଶାନ୍ତିପୂର୍ଣ୍ଣ ଅଧିକାର ଜନିତ ସତ୍ୟପାଠ ଓ ସୁରକ୍ଷିତ ନିର୍ମାଣ ପ୍ରମାଣପତ୍ର ଇତ୍ୟାଦି ଆବେଦନପତ୍ରରେ ଅଭାବ ରହିଥିବାରୁ ସମାଧାନ ହୋଇ ପାରିନାହିଁ। ଏଭଳି ୧୫୦୦ ଆବେଦନପତ୍ର ପଡ଼ି ରହିଛି। ତେବେ ୩୧ ତାରିଖ ସୁଦ୍ଧା ଏହି ସବୁ ଆବେଦନପତ୍ରର ସମାଧାନ କରିବାକୁ ଥିବାରୁ ଆବଶ୍ୟକ କାଗଜପତ୍ର ସହ ସ୍ବୀକୃତିପ୍ରାପ୍ତ ସ୍ଥପତିମାନଙ୍କ ଜରିଆରେ ଆବେଦନ କରିବାକୁ ବିଏମ୍‌ସି ଆବେଦନକାରୀମାନଙ୍କୁ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର