ମାସେ ମଧ୍ୟରେ ବିଚାର କରି ସଂଶୋଧନ ଆଣ: ଫୋରମ୍‌

ଭୁବନେଶ୍ୱର: କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆକ୍ଟରେ ଥିବା ବିଭିନ୍ନ ଆଇନ୍‌କୁ କଡ଼ା ସମାଲୋଚନା ସହ ଆଇନ୍‌ରେ ପରିବର୍ତନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଫୋରମ୍‌। ୫୧ଥର ସ୍ମାରକପତ୍ର ଦେଇ ନିରାଶ ହେବା ପରେ ଘରୋଇ ମେଡିକାଲର ମାଲିକ, ଡାକ୍ତର, ନର୍ସ ଓ ହସ୍ପିଟାଲ୍‌ କର୍ମଚାରୀ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଥିଲେ। ପୂର୍ବରୁ ଫୋରମ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରା ମୁତାବକ ରାଜ୍ୟରେ ପ୍ରାୟ ୧୭ ଶହରୁ ଊର୍ଧ୍ୱ ଘରୋଇ ମେଡିକାଲ୍‌ ଏବଂ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ର ବନ୍ଦ ରହିଥିଲା। ଓପିଡି, ଆଇପିଡି ଓ କାଜୁଆଲିଟି ସୁବିଧା ଉପଲବ୍ଧ ହୋଇ ନଥିଲା। ତେବେ ସରକାର ଆପାତକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆଗରୁ ସଜାଗ ରହିଥିବାରୁ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇ ନଥିଲା। ମାତ୍ର ସମସ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା। ନିରାମୟ ଔଷଧ କାଉଣ୍ଟର୍‌ ଆଗରେ ଲମ୍ବା ଲାଇନ୍‌ ଲାଗିଥିଲା। ଓପିଡି ଟିକେଟ୍‌ ସଂଗ୍ରହ ପାଇଁ ଦୀର୍ଘ ସମୟ ଯାଏଁ ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିଥିଲା। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା ସହ ସିଡିଏମ୍‌ଓ ଏବଂ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି। ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌)ର ୫ହଜାର ଡାକ୍ତର ଓ ସ୍ୱାସ୍ଥ୍ୟସେବୀ ଏହାକୁ ସମର୍ଥନ କରିବା ସହ ଅନେକ ସ୍ଥାନରେ ସାମିଲ୍‌ ହୋଇଛନ୍ତି ବୋଲି ଆଇଏମ୍‌ଏର ସଭାପତି ଡାକ୍ତର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ଡେଣ୍ଟାଲ୍‌ ଆସୋସିଏସନ୍‌, ଫିଜିଓଥେରାପି ଆସୋସିଏସନ୍‌ ମଧ୍ୟ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଥିଲା। ୧୦ଟି ଦାବି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ଫୋରମ୍‌। ଘରୋଇ ଡାକ୍ତରଖାନା ପରି ସରକାରୀ ଡାକ୍ତରଖାନାରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଆଇନ୍‌ ବଳବତ୍ତର କରିବା ସହ ରୋଗୀଙ୍କ ସହ ସଂପୃକ୍ତ ହୋଇ ନଥିବାରୁ ଡାଏଗ୍ନୋଷ୍ଟିକ୍‌ କେନ୍ଦ୍ରଗୁଡ଼ିକୁ ଏହି ଆଇନରେ ଅନ୍ତର୍ଭୁକ୍ତ ନକରିବାକୁ ଦାବି କରାଯାଇଥିଲା। ଫୋରମ୍‌ର ସଭାପତି ଡାକ୍ତର ଅଜୟ ମିଶ୍ର ବିଭିନ୍ନ ଦାବି ସମ୍ପର୍କରେ ମତ ରଖି କହିଥିଲେ, ‘ପ୍ରିଭେନ୍‌ସନ୍‌ ଅଫ୍‌ ଭାୟୋଲେସନ୍‌ସ ଆଣ୍ଡ୍‌ ଡ୍ୟାମେଜ୍‌ ଟୁ ପ୍ରପର୍ଟି ଆକ୍ଟ’ କେବଳ ସରକାରୀ ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଘରୋଇ କ୍ଷେତ୍ରରେ ଏହା ଲାଗୁ ହେଉ। ଦେଶର ଅନ୍ୟ ରାଜ୍ୟଗୁଡ଼ିକର ଅଗ୍ନିଶମ ସୁରକ୍ଷା ନିୟମ ପରି ଓଡ଼ିଶାର ହସ୍ପିଟାଲ୍‌ରେ ଶଯ୍ୟା, ଆକାର ଓ ସେବା ଅନୁଯାୟୀ ଏହି ନିୟମ କାର୍ଯ୍ୟକାରୀ ହେବା ସହ ପୂର୍ବରୁ ଗଢ଼ା ଯାଇଥିବା ଅନୁଷ୍ଠାନ ପାଇଁ ବାସ୍ତବଧର୍ମୀ ନିୟମ ପ୍ରୟୋଗ ହେଉ।

ସେହିଭଳି ପଞ୍ଜୀକରଣ ନିୟମକୁ ସରଳୀକରଣ ସହ ସିଜିଏଚ୍‌ଏସ୍‌ ଦର ସହ ଘରୋଇ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟସେବା ଦରକୁ ସମାନ କରିବା ଭଳି ଅମୂଳକ ଆଇନକୁ ହଟାଯାଉ ବୋଲି କହିଥିଲେ। ଫୋରମର ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା। ସ୍ୱାସ୍ଥ୍ୟକୁ ବ୍ୟବସାୟ ଭିତ୍ତିକ କରି ଓଡ଼ିଶା ସରକାର ରାଜ୍ୟ ବାହାରର ଉଦ୍ୟୋଗୀମାନଙ୍କୁ ନିମନ୍ତ୍ରଣ କରୁଥିଲେ ସୁଦ୍ଧା ନିଜ ରାଜ୍ୟରେ ଥିବା ଘରୋଇ ଡାକ୍ତରଖାନାଗୁଡ଼ିକ ଉପରେ କଠୋର ଆଇନ୍‌ ଲଦିଦେବା ପଛରେ କି ଅଭିସନ୍ଧି ରହିଛି ବୁଝି ହେଉନି ବୋଲି କହିଥିଲେ ଫୋରମ୍‌ର ଉପସଭାପତି ଡାକ୍ତର ଜଗନ୍ନାଥ ମହାପାତ୍ର। ୨୦୧୪ ମସିହାରୁ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ବିନା ପଞ୍ଜୀକରଣ ଓ ନବୀକରଣରେ ଚାଲୁଥିଲେ ହେଁ ସରକାରଙ୍କ ନିକଟରେ ଟଙ୍କା ପଇଠ କରି ମଧ୍ୟ ପଞ୍ଜୀକରଣ ମିଳିପାରୁନାହିଁ। ତେଣୁ ସରକାର ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଫୋରମ୍‌ ପକ୍ଷରୁ ଦାବି ହୋଇଛି। ଆଜି ପୂର୍ବାହ୍‌ଣ ସାଢ଼େ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯିବାର ଥିଲେ ହେଁ ଉଭୟ ଅନୁପସ୍ଥିତ ଥିବାରୁ ସ୍ମାରକପତ୍ର ତାଙ୍କ ଉଦ୍ଦେଶ୍ୟରେ ପଠାଇ ଦିଆଯାଇଛି। ସରକାର ମାସକ ମଧ୍ୟରେ ଏହି ସବୁ ଯୁକ୍ତିସଂଗତ କଥାଗୁଡ଼ିକୁ ବିଚାରକୁ ନେଇ ଉଚିତ୍‌ ନ୍ୟାୟ ପ୍ରଦାନ କରିବେ ବୋଲି ଆମର ଆଶା ରହିଛି ବୋଲି ଡାକ୍ତର ଅଜୟ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର