ରାଜଧାନୀରେ ନିୟମ ମାନୁନାହାନ୍ତି ଅମାନିଆ

ଭୁବନେଶ୍ୱର : କରୋନା ବ୍ୟାପୁଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ଲୋକଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଉଛି। କିନ୍ତୁ ଏମିତି କିଛି ଅମାନିଆ ଅଛନ୍ତି, ଯେଉଁମାନେ ନିୟମ ମାନିବା ମୁଡ୍‌ରେ ନାହାନ୍ତି। ପୂର୍ବରୁ ଯେମିତି ଚଳୁଥି‌ଲେ, ଏବେ ଆଖପାଖରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବି ସେମାନଙ୍କର ବ୍ୟବହାରରେ କିଛି ପରିବର୍ତ୍ତନ ହୋଇନି।

ନୂଆପଲ୍ଲୀ ତ୍ରିନାଥ ବସ୍ତି କଣ୍ଟେନମେଣ୍ଟ ଜୋନ୍‌ ହୋଇଥିଲେ ବି ଏଠାରେ ଲୋକ ଏକାଠି ହୋଇ ବସୁଛନ୍ତି, ତାସ୍ ଖେଳୁଛନ୍ତି, ଗୁଲି ଖଟି କରୁଛନ୍ତି। ଗାନ୍ଧୀବସ୍ତି ବି କଣ୍ଟେନେମେଣ୍ଟ ଜୋନ୍‌ରେ ଯାଉଥିଲେ ହେଁ ଏଠାରେ ଲୋକମାନେ ଏକାଠି ହାଣ୍ଡିଆ ପିଉଛନ୍ତି, ରୁଣ୍ଡ ହେଉଛନ୍ତି, ବାହାରକୁ କାମ କରିବାକୁ ଯାଉଛନ୍ତି। ଇଏ ତ ଗଲା ବସ୍ତି କଥା। ରାଜଧାନୀର ରାସ୍ତାଘାଟ ଯେଉଁଠି ଦେଖିବ, ସେଠାରେ ଲୋକ ନିୟମ ମାନୁ ନାହାନ୍ତି। ଆମିଷ ମାର୍କେଟରେ ଲୋକ ନିୟମ ଉଲ୍ଲଂଘନ କରୁନଥିବା ନେଇ ବିଏମ୍‌ସି ଓ କମିସନରେଟ୍‌ ପୁଲିସ ପକ୍ଷରୁ ବାରମ୍ବାର କୁହାଯାଉଥିଲେ ହେଁ ଆଜି ରବିବାରରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଥିଲା।

ମାଛ ଓ ମାଂସ କିଣିବାକୁ ଲୋକ ପରସ୍ପରକୁ ଧକ୍କା ମାରି ଆଗକୁ ପଳାଉଥିଲେ। ବହୁ ଶିକ୍ଷିତ ଲୋକ ମାଛ ହାଟ, ପରିବା ହାଟ ଓ ସଉଦା ଦୋକାନରେ ସାମାଜିକ ଦୂରତା ନିୟମକୁ ଫୁ’ କରି ଠେଲିପେଲି ପଶୁଛନ୍ତି। ଯେମିତି ସେମାନେ କରୋନା ବ୍ୟାପୁଛି ବୋଲି ଜାଣିନାହାନ୍ତି। ଲୋକେ ଆଦୌ ସଚେତନ ହେଉନାହାନ୍ତି। ସେହିପରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଗଞ୍ଜେଇ ଟାଣିବାକୁ ଗୋଟିଏ ଚିଲମକୁ ୫ଜଣ ପାଟିରେ ପୂରାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର