ପୋଲିଓ ଆକ୍ରାନ୍ତ ମୂକ ଯୁବତୀଙ୍କୁ ଦୁଷ୍କର୍ମ
ଧଉଳି: ଧଉଳି ଥାନା ଅଞ୍ଚଳରେ ଭଡ଼ାଘରେ ରହୁଥିବା ଜଣେ ପୋଲିଓ ଆକ୍ରାନ୍ତ ଯୁବତୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାପା ମା’ କାମରୁ ଫେରି ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖି ଏନେଇ ଧଉଳି ଥାନାରେ ଜଣାଇଥିଲେ। ଧଉଳି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ପୀଡ଼ିତାଙ୍କ ରକ୍ତଭିଜା ପୋଷାକପତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅନ୍ୟପକ୍ଷରେ ଦୁଷ୍କର୍ମ ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ଯୁବକକୁ ପୁଲିସ କାବୁ କରି ଥାନାକୁ ଆଣିଥିଲା। ପୀଡ଼ିତାର ବାପାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଲା କନ୍ଧମାଳ ଜିଲ୍ଲା ଅଧୀନ ରାଇକିଆ ଥାନା ଅଞ୍ଚଳର ବାଘ ଓରଫ ଗୌର ନାଏକ (୪୫)। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଯୁବକ ଏବଂ ପୀଡ଼ିତାକୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ମାଇନା କରାଯାଇଛି। ସୂଚନା ଅନୁସାରେ ଯୁବତୀ ଜଣକ ଜନ୍ମରୁ ମୂକ ଏବଂ ତାଙ୍କ ହାତ ଓ ଗୋଡ଼ ପୋଲିଓ ଆକ୍ରାନ୍ତ। ଗତ ୬ ବର୍ଷ ହେବ ବାପ ମା’ଙ୍କ ସହିତ ଏଠାରେ ରହୁଥିଲେ। ବାପା, ମା’ ଦିନ ମଜୁରିଆ ହୋଇଥିବାରୁ ସକାଳେ କାମକୁ ଯାଇ ଅପରାହ୍ଣରେ ଘରକୁ ଫେରନ୍ତି। ସେହିପରି ଗିରଫ ଯୁବକ ମଧ୍ୟ ସେମାନଙ୍କ ଘର ପାଖାପାଖି ରୁହନ୍ତି। ଅଭିଯୁକ୍ତ ବିବାହିତ ହୋଇଥିବା ବେଳେ ପତ୍ନୀ ତାକୁ ଛାଡ଼ି ପଳାଇଥିବା ଜଣାଯାଇଛି। ସେ ମଧ୍ୟ ମଜୁରି ଲାଗେ। ହେଲେ ଆଜି କାମକୁ ନଯାଇ ବାଘ ଘରେ ରହିଥିଲା। ଆଜି ବାଘ ଯୁବତୀଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା।
ଦେହ ବ୍ୟବସାୟୀଙ୍କ ଟାର୍ଗେଟ୍ରେ ଅନାଥ ନାବାଳିକା
ଖଣ୍ଡଗିରି: ଡୁମୁଡୁମା ଭକ୍ତ ମଧୁ ସମବାୟ ନଗର ଅଞ୍ଚଳ ଭଡ଼ାଘରୁ ସେକ୍ସ ରୢାକେଟ୍ ଠାବ ଘଟଣାର ୫ଦିନ ପରେ ବି ରାଣୀ ମହୁମାଛି ଓ ତା’ ପୁଅକୁ ଧରିବାରେ ପୁଲିସ ବିଫଳ ହୋଇଛି। ଏଣେ ଦିନ ଯେତେ ଗଡ଼ୁଛି ଏହି ମାମଲାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଭଡ଼ାଘରୁ ଜଣେ ନାବାଳିକାଙ୍କ ସମେତ ୪ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିଲା ବେଳେ ଏହି ସଂଖ୍ୟା ୮ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର ନାବାଳିକା ଜଣକ ଅନାଥ ବୋଲି ଜଣାପଡ଼ିଛି। ଚାକିରି ଦେବା ନାଁରେ ତାଙ୍କୁ କେଉଁଝରରୁ ଆଣି ଏଠାରେ ଅନୈତିକ କାର୍ଯ୍ୟରେ ନିୟୋଜିତ କରା ଯାଇଥିଲା। ଅଭିଯୁକ୍ତ ରାଣୀ ମହୁମାଛିର ପୁଅ ମଧ୍ୟ ବିଭିନ୍ନ ରୂପଜୀବୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।
ସୂଚନା ମୁତାବକ, ଜଣେ ଦଲାଲଙ୍କଠାରୁ ଅନାଥ ନାବାଳିକାଙ୍କ ଖବର ପାଇ ତାଙ୍କୁ ଟାର୍ଗେଟ୍ କରିଥିଲେ ଅଭିଯୁକ୍ତ ମା’ ଓ ପୁଅ। ଚାକିରିର ପ୍ରଲୋଭନ ଦେଖାଇ ତାଙ୍କୁ ଭୁବନେଶ୍ବର ଆଣିଥିଲେ। ନାବାଳିକା ଜଣକ ଏଠାକୁ ଆସି ଦେହ କାରବାର ଚାଲିଥିବା ଜାଣିବାକୁ ପାଇବା ପରେ ସେ ଘରକୁ ଫେରିଯିବାକୁ ଚାହିଥିଲେ। ମାତ୍ର ତାଙ୍କୁ ଜବରଦସ୍ତି ଏଠାରେ ବନ୍ଦୀ ଭାବେ ରଖାଯାଇଥିଲା। ଏପରିକି ତାଙ୍କୁ ବିଭିନ୍ନ ସମୟରେ ମାଡ଼ ମଧ୍ୟ ମରାଯାଉଥିଲା। ଗ୍ରାହକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯିବା ସହିତ ତାଙ୍କୁ ବିଭିନ୍ନ ହୋଟେଲକୁ ପଠାଯାଉଥିଲା। କଥା ନ ମାନିଲେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଉଥିଲା। ନିରୁପାୟ ହୋଇ ନାବାଳିକା ଜଣକ ଏଠାରେ ପଡ଼ି ରହିଥିଲେ। ସେହିପରି ଅନ୍ୟ ଯୁବତୀମାନଙ୍କୁ ମଧ୍ୟ ଘରକାମ ଦେବା ନାଁରେ ଭୁବନେଶ୍ବରକୁ ଆଣି ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା। ସେମାନଙ୍କୁ ଦିନକୁ ୪ରୁ ୫ଜଣ ଗ୍ରାହକଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା। ଏଭଳି ସଙ୍ଗିନ ଅଭିଯୋଗ ଆସିବା ପରେ ଖଣ୍ଡଗିରି ଥାନା ପକ୍ଷରୁ ଆଜି ୩ଟି ସ୍ଥାନରେ ଚଢ଼ଉ କରାଯାଇଛି। କିନ୍ତୁ ଅଭିଯୁକ୍ତ ମା’ ଓ ପୁଅଙ୍କ ବାବଦରେ କୌଣସି ସୁରାକ ମିଳି ପାରିନାହିଁ।