ବାପା ସଂପତ୍ତି ବିକି ପୁଅ ଗିରଫ

ଥାନାରେ ପୁଲିସକୁ ନାଲି ଆଖି, ୫୦ ଲକ୍ଷ ଟଙ୍କାର ଜମି ଠକେଇ

ଭୁବନେଶ୍ବର : ଜଣେ ଭାଇକୁ ଲୁଚାଇ ୫୦ ଲକ୍ଷ ଟଙ୍କାର ପୈତୃକ ସମ୍ପତ୍ତିକୁ ଅନ୍ୟ ତିନି ଭାଇ ବିକିଦେଲେ। ଏହି ମାମଲାରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ପଳାଶୁଣୀ ଅଞ୍ଚଳର ଚଗଲା ଓରଫ୍ ଶ୍ରୀକାନ୍ତ ସାହୁଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ପୁଲିସ କହିଛି। ଚଗଲାକୁ ଗିରଫ କରିବା ପରେ ସେ ଥାନାରେ ପୁଲିସ ଅଧିକାରୀଙ୍କୁ ନାଲି ଆଖି ଦେଖାଇଥିଲା। ମୋତେ ଚିହ୍ନିନ ମୋର ବହୁତ ବଡ଼ବଡ଼ିଆଙ୍କ ସହ ସମ୍ପର୍କ ବୋଲି କହି ଧମକାଇଥିଲା। ଯାହା ଆଜି ଥାନାରେ ଆଲୋଚନାର ବିଷୟ ପାଲଟିଥିଲା।

ପୁଲିସ ସୂଚନା ଅନୁସାରେ, ପଳାଶୁଣୀ ଅଞ୍ଚଳର ସ୍ବର୍ଗତ ଲକ୍ଷ୍ମୀଧର ସାହୁଙ୍କ ୪ ପୁଅ। ତୃତୀୟ ପୁଅ ତଥା ମାମଲାର ଅଭିଯୋଗକାରୀ ଦୁଷ୍ମନ୍ତ ଚେନ୍ନାଇରେ ରହି ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ତାଙ୍କ ଅଜଣାତରେ ଅନ୍ୟ ଭାଇମାନେ ମିଶି ଦେବୀ ପ୍ରସାଦ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କୁ ପାଵାର ଅଫ୍ ଆଟର୍ଣ୍ଣି ଦେଇ ଜମି ବିକ୍ରି କରି ଦେଇଥିଲେ। ୨୦୧୬ ଡିସେମ୍ବର ୭ ତାରିଖରେ ଦୁଷ୍ମନ୍ତ ଏ କଥା ଜାଣିବାକୁ ପାଇଥିଲେ। ଜମି ଉପରକୁ ଯିବା ପରେ ସେଠାରେ କନଷ୍ଟ୍ରକସନ୍ ଚାଲିଥିବା ଦେଖିବାକୁ ପାଇଥିଲେ। ସେ ଏହାକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଏ ନେଇ ଦୁଷ୍ମନ୍ତ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଜମିବାଡ଼ି ମାମଲା କହି ପୁଲିସ ତାଙ୍କ ଅଭିଯୋଗ ରଖି ନ ଥିଲା। ଏହା ପରେ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ରାୟ ଦୁଷ୍ମନ୍ତଙ୍କ ସପକ୍ଷରେ ଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଆଇପିସି ଦଫା-୪୨୦, ୪୬୮, ୪୭୧, ୩୨୩, ୨୯୪, ୫୦୬, ୩୪ରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର