ସମ୍ପତ୍ତି ଲୋଭ: ମା’କୁ ଛାତରୁ ଠେଲିଦେଲା ପୁଅ

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ଦିନେ ପୁଅ ଥିଲା ତାଙ୍କ ପାଇଁ ସମ୍ପତ୍ତି। ହେଲେ ଛାର ସମ୍ପତ୍ତି ପାଇଁ ସେଇ ପୁଅ ମା’ର ଶତ୍ରୁ ପାଲଟିଗଲା। ସମ୍ପତ୍ତି ଆଗରେ ତୁଚ୍ଛ ହେଇଗଲା ୪୫ବର୍ଷର ମାତୃତ୍ୱ। ସମ୍ପତ୍ତି ପାଇଁ ମା’କୁ ଛାତ ଉପରୁ ଠେଲି ଦେଲା ନିଷ୍ଠୁର ପୁଅ। ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ମନ୍ଦିର ଲେନ୍‌-୨ ଅଞ୍ଚଳରେ ରହୁଥିବା ୬୫ ବର୍ଷୀୟା ମା’ ମଞ୍ଜୁଲତା ମହାନ୍ତିଙ୍କୁ ତାଙ୍କ ବଡ଼ ପୁଅ କପିଳ ଛାତ ଉପରୁ ଠେଲି ମାରିବାକୁ ଚେଷ୍ଟା କରିଛି। ଗତ ୩ ତାରିଖର ଘଟଣା ହୋଇଥିଲେ ହେଁ ଆଜି ପଦାକୁ ଆସିଛି। କପିଳଙ୍କ ସହ ମା’ଙ୍କର ସମ୍ପତ୍ତିକୁ ନେଇ ଝଗଡ଼ା ହେବାରୁ କ୍ରୋଧ ଜର୍ଜରିତ କପିଳ ମଞ୍ଜୁଙ୍କୁ ଛାତ ଉପରୁ ଠେଲି ଦେଇଥିଲା। ଗୁରତର ଅବସ୍ଥାରେ ବୃଦ୍ଧାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଉତ୍ତରା ନିକଟରେ ଥିବା ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ବୃଦ୍ଧାଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବଡ଼ ପୁଅ, ବୋହୂ, ପୁତୁରା ଓ ପୁତୁରା ବୋହୂଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ମିଳିଥିବା ସୂଚନାନୁଯାୟୀ, ମଞ୍ଜୁଙ୍କ ସ୍ୱାମୀ ନୃସିଂହ ମହାନ୍ତିଙ୍କ ବିୟୋଗ ପରେ ସଂପତ୍ତିକୁ କେନ୍ଦ୍ର କରି ମଂଜୁ ଓ ବଡ଼ପୁଅ କପିଳଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସମସ୍ତ ଜମିବାଡ଼ି ଏକ ବିଲଡର୍‌ ସଂସ୍ଥାକୁ ବିକ୍ରି କରିବାକୁ କପିଳ ବାରମ୍ବାର ମଞ୍ଜୁଙ୍କ ଉପରେ ଚାପ ପକାଉଥିଲେ। କିନ୍ତୁ ମଞ୍ଜୁ ଏହାକୁ ବିରୋଧ କରି ଆସୁଥିଲେ। ଏହାକୁ କେନ୍ଦ୍ର କରି ପୂର୍ବରୁ ଲକ୍ଷ୍ମୀସାଗର ଥାନାରେ ମାମଲା ମଧ୍ୟ ହୋଇଥିଲା। ତେବେ ଏହି ଝଗଡ଼ା ଯୋଗୁଁ ଗୋଟିଏ ଛାତ ତଳେ ଥାଇ ମଧ୍ୟ ମା’ ପୁଅ ଅଲଗା ଅଲଗା ରହୁଥିଲେ। ସାନପୁଅ ହରପ୍ରସାଦ ମଞ୍ଜୁଙ୍କ ଦେଖାରଖା କରୁଥିବା ବେଳେ ମଝିଆଁ ପୁଅ ବ୍ୟାବସାୟିକ କାରଣରୁ ବାହାରେ ରହୁଥିଲେ। ତେବେ ଗତ ୩ ତାରିଖ ଦିନ ଏହି କାରଣରୁ ମଂଜୁଙ୍କୁ ଜୀବନରୁ ମାରିଦେବା ପାଇଁ କପିଳ ଯୋଜନା କରିଥିଲେ। ସ୍ତ୍ରୀ ଲିଜା ମହାନ୍ତି, ସଂପର୍କୀୟ ଭାଇ ତପନ ମହାନ୍ତି ଓ ଭାଉଜ ଲିପି ମହାନ୍ତିଙ୍କ ସହାୟତାରେ ସେ ମଂଜୁଙ୍କୁ ବାଟରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ମଞ୍ଜୁ ଛାତ ଉପରକୁ ଲୁଗା ତୋଳିବାକୁ ଯାଇଥିବା ବେଳେ କପିଳ, ତପନ, ଲିଜା ଓ ଲିପି ତାଙ୍କୁ ଗାଳିଗୁଳଜ କରିଥିଲେ। ଏହାକୁ ମଞ୍ଜୁ ବିରୋଧ କରିବାରୁ କପିଳ ଉତ୍ତ୍ୟକ୍ତ ହୋଇ ତାଙ୍କୁ ୧୫ ଫୁଟ ଉଚ୍ଚତାରୁ ତଳକୁ ଠେଲି ଦେଇଥିଲେ। ତଳେ ପଡ଼ି ମଞ୍ଜୁ ଚିତ୍କାର କରିବାରୁ ପାଖରେ ଘର କାମ କରୁଥିବା କିଛି ଶ୍ରମିକ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଖବର ପାଇବା ପରେ ମଝିଆଁ ଓ ସାନ ପୁଅ ମଂଜୁଙ୍କୁ ଉତ୍ତରା ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର