ପୁଅ ରାଜନୀତିକୁ ଆସିଲେ କହିବି ‘ରେଡି ମାଡ଼ିଚାଲ’: ସୁର

କଂଗ୍ରେସ ଭବନରେ ସୁରଙ୍କ ସାନପୁଅ, ରାଜନୀତିର ପ୍ରଥମ ଷ୍ଟାଣ୍ଡାର୍ଡରେ ଥିବାକଥା କହିଲେ ପୁଅ ମନ୍ମଥ

ଭୁବନେଶ୍ବର: ‘ବାପ୍‌ସେ ବେଟା ଜ୍ୟାଦା। ମୋ ପୁଅ ମୋଠାରୁ ଭବିଷ୍ୟତରେ ଭଲ କରିବ। ଇୟେ ମୋର ଶେଷ ନିର୍ବାଚନ। ପୁଅ ରାଜନୀତି କରିବ କି ପାଇଲଟ୍‌ ପେଶାରେ ରହିବ, ତା’ ଉପରେ ନିର୍ଭର କରେ। ଯଦି ସେ ନିର୍ବାଚନ ପାଇଁ ଠିଆ ହେବ ତାହେଲେ ମୁଁ କହିବି ‘ରେଡି ମାଡ଼ି ଚାଲ’। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କର ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ଏପରି ପରିଚୟ ରଖିଛନ୍ତି।

ସେ କହିଛନ୍ତି, କରୋନା ମହାମାରୀରେ ତାଙ୍କ ପାଇଲଟ୍‌ ପୁଅ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲାଣି। ୫୦ ହଜାର ଲୋକଙ୍କୁ ମାସ୍କ୍‌ ବାଣ୍ଟିଛି, ୨ ହଜାର ଟଙ୍କିଆ ରାସନ୍‌ ପୁଡ଼ିଆ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ବାଣ୍ଟିଛି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପୁଅ ମନ୍ମଥ କହିଥିଲେ, ସେ ବାପାଙ୍କୁ ସହଯୋଗ କରିବାକୁ ଆସିଛନ୍ତି। ତାଙ୍କ ପାଇଁ ଗର୍ବ ହେଉଛି ସ୍ବର୍ଗତଃ ରାଜୀବ ଗାନ୍ଧୀ ରାଜନୀତିକୁ ଆସିବା ପୂର୍ବରୁ ଯେଉଁ କମ୍ପାନିରେ ପାଇଲଟ୍‌ ଭାବେ କାର୍ଯ୍ୟ କରିଥିଲେ ସେହି କମ୍ପାନିରେ ସେ ଏବେ ଚାକିରି କରୁଛନ୍ତି। ସ୍ବର୍ଗତଃ ଗାନ୍ଧୀ ପାଇଲଟ୍‌ ଜୀବନରୁ ଦେଶ ପାଇଁ ଯେପରି କାର୍ଯ୍ୟ କରିଥିଲେ ତାହା ଅବିସ୍ମରଣୀୟ। ବାପାଙ୍କଠାରୁ ରାଜନୀତି ଶିଖୁଛି। ଏବେ ସେ ରାଜନୀତିରେ ପ୍ରଥମ କି ଦ୍ବିତୀୟ ଷ୍ଟାଣ୍ଡାର୍ଡରେ ଅଛନ୍ତି। ତାଙ୍କୁ ରାଜନୀତିର ଦଶମ ଶ୍ରେଣୀ କଥା ନ ପଚାରିବାକୁ ସେ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ। ତେବେ ବର୍ତ୍ତମାନ ରାଜନୀତି ଅପେକ୍ଷା ସେ ସାମାଜିକ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦେଇଥିବା କହିଥିଲେ।

ସମ୍ବନ୍ଧିତ ଖବର