ପୁଅ କୋଭିଡ୍‌ ହସ୍‌ପିଟାଲ୍‌ରେ, ମା’ ଚାଲିଗଲେ ଆରପାରି

କୋଭିଡ୍‌ ଆମ୍ବୁଲାନ୍ସକୁ ଗାଁ ଭିତରେ ପୂରାଇ ଦେଲେନି

ବାରଙ୍ଗ : ବାରଙ୍ଗ ବ୍ଲକ ଅଞ୍ଚଳରେ କରୋନା ମାହାମାରୀର ଏକ କରୁଣ କାହାଣୀ ଦେଖିବାକୁ ମିଳିଛି। ଗତ ତିନିଦିନ ହେଲା ପୁଅ କରୋନା ସଂକ୍ରମିତ ହୋଇ କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ ଅଛି। ପୁଅଙ୍କୁ ପ୍ଲାଜ୍‌ମାଥେରାପି ଦେଇ ଚିକିତ୍ସା କରାଯାଉଛି। ଏତିକିବେଳେ ବର୍ଷାଧିକ ସମୟରୁ ରୋଗଶଯ୍ୟାରେ ଥିବା ତାଙ୍କ ୬୫ ବର୍ଷୀୟ ମା ଆରପାରିକୁ ଚାଲିଗଲେ। ପରିବାର ଉପରେ ବୋଝ ଉପରେ ନଳିତାବିଡ଼ା ଭଳି ମାଡ଼ି ବସିଛି ଦୁଃଖର ଛାୟା। ସୁରକ୍ଷା କାରଣରୁ ନିୟମ ଅନୁସାରେ, ପ୍ରଶାସନ ଘର ଆଗରେ ଗାଡ଼ି ଲଗାଇ ଶବକୁ ନେଲା କଟକ ବଡ ଡାକ୍ତରଖାନାକୁ କୋଭିଡ୍‌ ଯାଞ୍ଚ ପାଇଁ। ଯାଞ୍ଚ ପରେ ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଖାନନଗର ଶ୍ମଶାନର ଇଲେକେଟ୍ରିକ୍ ଚୁଲାରେ ଶବଦାହ କରି ଦିଆଗଲା। କରୋନା କାଳରେ ପରିବାରରେ ଶୋକର ଛାୟା ଓ ଗ୍ରାମରେ ଭୟର ବାତାବରଣ ସମସ୍ତଙ୍କୁ ବ୍ୟଥିତ କରିଛି।

VectorStock

କୋଭିଡ୍‌ ଆମ୍ବୁଲାନ୍ସକୁ ଗାଁ ଭିତରେ ପୂରାଇ ଦେଲେନି
ବାଲିଅନ୍ତା : କରୋନା ଆକ୍ରାନ୍ତ ଜଣେ ଯୁବକ ଗ୍ରାମକୁ ଆସିବା ନେଇ କାକରୁଦ୍ରପୁର ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଗୃହ ସଂଗରୋଧରେ ରହିବା ପାଇଁ ସେ କୋଭିଡ ଆମ୍ବୁଲାନ୍ସରେ ଗ୍ରାମକୁ ଫେରୁଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବହୁ ଗ୍ରାମବାସୀ ସ୍ଥାନୀୟ ନିମାପଡ଼ା ବ୍ରାଞ୍ଚ କେନାଲ ବ୍ରିଜ ନିକଟରେ ରୁଣ୍ଡ ହୋଇଥିଲେ। ଆମ୍ବୁଲାନ୍ସ ପହଞ୍ଚିବା କ୍ଷଣି ତାକୁ ଅଟକାଇ ପ୍ରତିବାଦ କରିଥିଲେ। କୌଣସି ବି ପରିସ୍ଥିତିରେ ଆମ୍ବୁଲାନ୍ସକୁ ଗାଁ ଭିତରକୁ ପୂରାଇ ଦେବେ ନାହିଁ କହି ପାଟିତୁଣ୍ଡ କରିଥିଲେ। ବ୍ଲକ୍‌ ପ୍ରଶାସନ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା। ଶେଷରେ ଆମ୍ବୁଲାନ୍ସ ଆକ୍ରାନ୍ତ ଯୁବକଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଇବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର