ପର ହେଲା ପୁଅ : ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଲା

ଚନ୍ଦ୍ରଶେଖରପୁର : ପୁଅଟିଏ ପାଇଁ ବାପା-ମା’ କେ‌ତେ ଦେବଦେବୀଙ୍କୁ ମନାସିଥା’ନ୍ତି। ବୃଦ୍ଧାବସ୍ଥାରେ ପୁଅ ସେମାନଙ୍କ ସାହା ହେବ। ତାକୁ ଭଲ ମଣିଷଟିଏ କରିବା ପାଇଁ ଜୀବନର ସମସ୍ତ ରୋଜଗାର ଓ ସଞ୍ଚିତ ଅର୍ଥ ପାଣି ଭଳି ବୁହାଇଦିଅନ୍ତି। ହେଲେ ଦିନେ ହାତ ଧରି ବାଟ ଚାଲିବା ଶିଖାଇଥିବା ପୁଅ ଯେତେବେ‌ଳେ ବୃଦ୍ଧ ବାପାର ହାତ ଧରି ଘରୁ ବାହାର କରିଦିଏ ସେତେବେଳେ ସତେ ଯେପରି ବାପା ମୁଣ୍ଡରେ ପାହାଡ଼ ଛିଣ୍ଡିପଡ଼େ। ନିଜ ରକ୍ତକୁ ସିନା ଦୋଷ ଦେଇପାରେନି ହେଲେ କପାଳରେ ହାତଦେଇ କର୍ମକୁ ନିନ୍ଦିବା ଛଡ଼ା ତା’ ପାଖରେ ଅନ୍ୟ ଚାରା ନଥାଏ। ଏଭଳି ଏକ ଅମାନବୀୟ ଘଟଣା ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଅଞ୍ଚଳରେ ଘଟିଛି। ପୁଅ-ବୋହୂ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଇଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ରକରି ମଞ୍ଚେଶ୍ବର ଥାନା ଅଧୀନ ଧିରିକୁଟି ବସ୍ତିର ଜଣେ ଯୁବକ ଓ ତାଙ୍କ ସ୍ତ୍ରୀ ବୃଦ୍ଧ ବାପାଙ୍କୁ ଘରୁ ତଡ଼ିଦେଲେ। ଶୀତ, କାକରରେ ବୃଦ୍ଧ ଜୟକୃଷ୍ଣ ଜେନା ଅନ୍ୟ ଉପାୟ ନପାଇ ୩ଦିନ ହେ‌ଲା ବସ୍ତି‌ର ଠାକୁରାଣି ପିଣ୍ଡାରେ ଆଶ୍ରୟ ନେଉଛନ୍ତି। ବୃଦ୍ଧ ଜୟକୃଷ୍ଣ ଶୀତରେ ଥରୁଥିବା ଦେଖି ଜଣେ ସ‌ହୃଦୟ ବ୍ୟକ୍ତି ଘୋଡ଼ିହେବା ପାଇଁ ପୁରୁଣା କମ୍ବଳଟିଏ ଦେଇଛନ୍ତି। କିଛିଦିନ ହେଲା ସେ ଖାଇବା ନପାଇ ବାରଦୁଆର ହେଉଛନ୍ତି।

ଏନେଇ ବସ୍ତିର କିଛି ବ୍ୟକ୍ତି ଜୟକୃଷ୍ଣଙ୍କୁ ବୃଦ୍ଧାଶ୍ରମ ପଠାଇବାକୁ ଯୋଗାଯୋଗ କରୁଥିବା ଜଣାପଡ଼ିଛି। ବାପା ଶୀତ, କାକାରରେ ଖୋଲା ଆକାଶ ତଳେ ଆଶ୍ରା ଖୋଜୁଥିବା ବେଳେ ପୂଅ-ବୋହୂ ଘରେ ବେଶ୍‌ ଆରାମରେ ରହିଛନ୍ତି। ଏହି ଘଟଣାକୁ ସ୍ଥାନୀୟ ବସ୍ତି ବାସିନ୍ଦା ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର