ମା’କୁ ନାବାଳକ ପୁଅଙ୍କ ହତ୍ୟା ମାମଲା : ଶବ ସତ୍କାର କରିବ କିଏ?

ମୋଷ୍ଟଓ୍ୱାଣ୍ଟେଡ୍‌ ଥିଲା ନିହାର

ଭୁବନେଶ୍ୱର : ଶାବଳରେ ପିଟି ମା’କୁ ନାବାଳକ ପୁଅଙ୍କ ହତ୍ୟା ମାମଲା ଘଟଣାକୁ ତିନି ଦିନ ବିତି ଗଲାଣି। କିନ୍ତୁ ମୃତ ବିନୋଦିନୀ ମିଶ୍ରଙ୍କ ଶବ ସେମିତି ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ପଡ଼ି ରହିଛି। ପୁଲିସଠାରୁ ଖବର ପାଇବା ପରେ ମଧ୍ୟ ବାପଘର କିମ୍ବା ଶ୍ବଶୁର ଘର ପକ୍ଷରୁ କେହି ଶବ ସତ୍କାର କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସ୍ବାମୀ ନିହାର ପ୍ରଧାନ ନରହତ୍ୟା ଅପରାଧରେ ପୁରୀ ଜେଲ୍‌ରେ ଆଜୀବନ ସଜ୍ଜା କାଟୁଥିଲେ ମଧ୍ୟ ସ୍ତ୍ରୀଙ୍କ ଶବ ସତ୍କାର ପାଇଁ ଜେଲ୍‌ରୁ ଆସିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗିନଥିବା ଜଣାପଡ଼ିଛି। ଦୁଇ ନାବାଳକ ପୁଅଙ୍କୁ ମା’ ହତ୍ୟା ଅଭିଯୋଗରେ ବାଳ ସୁଧାର ଗୃହକୁ ପୁଲିସ ପଠାଇ ସାରିଛି। ତେଣୁ ଏବେ ପ୍ରଶ୍ନ ଉଠୁଛି, ବିନୋଦିନୀଙ୍କ ମୃତଦେହର ସତ୍କାର ହେବ କେମିତି। ପୁଅ ବାଳସୁଧାର ଗୃହରେ ଓ ସ୍ବାମୀ ଜେଲ୍‌ରେ ଥିବାରୁ ବିନୋଦିନୀଙ୍କ ମୁହଁରେ ନିଆଁ ଦେବ କିଏ? ତେବେ ପୁଲିସ ଆସନ୍ତାକାଲି ପର୍ଯ୍ୟନ୍ତ ଅପେକ୍ଷା କରିବ ବୋଲି ସୂଚନା ମିଳିଛି। ଏବେ ଏହା ଏକ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ନିହାର ଓ ବିନୋଦିନୀଙ୍କ ଦାମ୍ପତ୍ୟ ଜୀବନକୁ ନେଇ ନାନା କଥା ଆଲୋଚନା ହେଉଛି। ଏଥିପାଇଁ ନିହାରଙ୍କ ଅପରାଧ ଜୀବନକୁ ନେଇ ଚର୍ଚ୍ଚା ହେଉଛି।

ମୋଷ୍ଟଓ୍ୱାଣ୍ଟେଡ୍‌ ଥିଲା ନିହାର
ଏକଦା ପୁଲିସ ପାଇଁ ନିହାର ଥିଲା ମୋଷ୍ଟ ୱାଣ୍ଟେଡ୍‌। ତା’ର ଅପରାଧ ରେକର୍ଡ ବେଶ୍ ଲମ୍ବା। ୨୦୦୩ରୁ ସେ ଅପରାଧ ଜଗତରେ ପାଦ ଥାପିଥିଲା। ରାଜଧାନୀରେ ସୁନ୍ଦରୀ ଯୁବତୀଙ୍କୁ ମୋହରା କରି ସେ ଲୋକଙ୍କୁ ଲୁଟୁଥିଲା। ଏମିତି ମାମଲାରେ‌ ସେ ନୟାପଲ୍ଲୀ ଥାନା ପୁଲିସ ହାତରେ ଧରା ପଡ଼ି ଜେଲ୍ ଯାଇଥିଲା। ଜେଲ୍‌ରୁ ଫେରିବା ପରେ ଲୁଟ୍, ଛିନ୍‌ତାଇ, ରାହାଜାନି, ଡକାୟତି ଭଳି ବଡ଼ ଘଟଣା ଘଟାଇଥିଲା। ପୁରୀ, କଟକ, ଭୁବନେଶ୍ବର, ଗଞ୍ଜାମ ଜିଲ୍ଲାରେ ବେଶ୍ ସକ୍ରିୟ ଥିଲା ନିହାର ଗ୍ୟାଙ୍ଗ୍‌। ୨୦୧୧ ମେ ୧୩ ତାରିଖରେ ବ୍ରହ୍ମଗିରିରେ ଭୋଜି ଚାଲୁଥିବା ବେଳେ ଅମିତ ପ୍ରଧାନ ନାମକ ଜଣେ ଯୁବକକୁ ହତ୍ୟା କରି ସେ ଫେରାର୍ ହୋଇଯାଇଥିଲା। ସେହି ବର୍ଷ ଜୁନ୍ ୮ ତାରିଖରେ ଭିଏସ୍ଏସ୍ ନଗରରେ ବ୍ୟବସାୟୀ ଅଶୋକ ସାହୁଙ୍କୁ ଗୁଳି କରିଥିଲେ ନିହାର ଓ ତା ସହଯୋଗୀ ବ୍ରହ୍ମାନନ୍ଦ ପାଢ଼ୀ। ପୁଲିସ ବ୍ରହ୍ମାନନ୍ଦକୁ ଗିରଫ କରିଥିବା ବେଳେ ନିହାର ଫେରାର୍‌ ଥିଲା। ତେଣୁ ପୁଲିସ ପାଇଁ ସେ ମୋଷ୍ଟଵାଣ୍ଟେଡ୍ ପାଲଟି ଯାଇଥିଲା ଓ ତା ନାଁରେ ଜାମିନବିହୀନ ପରଵାନା ବାହାରିଥିଲା। ସେହି ବର୍ଷ ସେପ୍ଟେମ୍ବର ୩ ତାରିଖରେ ସେ ସୈନିକ ସ୍କୁଲ ନିକଟ ଗଜପତିନଗରରେ ଏକ ଡକାୟତି ଯୋଜନା କରୁଥିବା ବେଳେ ଇନ୍‌ସ୍ପେକ୍ଟର ଆଲୋକ ଜେନା ତାକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର