ମା’କୁ ନାବାଳକ ପୁଅଙ୍କ ହତ୍ୟା ମାମଲା : ମୃତଦେହ ନେବାକୁ କେହି ଆସୁନାହାନ୍ତି

ନରହତ୍ୟା ଅପରାଧରେ ଆ‌ଜୀବନ ଜେଲ ଦଣ୍ଡ ଭୋଗୁଛି ବାପା
ସୁଧାର ଗୃହକୁ ଗଲେ ଦୁଇ ଭାଇ

ଭୁବନେଶ୍ବର : ଏୟାର୍‌ଫିଲ୍ଡ ଥାନା ଅନ୍ତର୍ଗତ ପଧାନସାହିସ୍ଥିତ ଅର୍କିଡ୍ ଆପାର୍ଟମେଣ୍ଟରେ ମା’ ବିନୋଦିନୀ ମିଶ୍ରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କର ନିଜ ଦୁଇ ନାବାଳକ ପୁଅଙ୍କୁ ଆଜି ପୁଲିସ ଜୁଭେନାଇଲ୍ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଥିଲା। ପରେ ସେମାନଙ୍କୁ ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ସେମାନଙ୍କ ଜାମିନ୍‌ ଆବେଦନ କରିବାକୁ କୌଣସି ଆଇନଜୀବୀଙ୍କୁ ପରିବାର ପକ୍ଷରୁ ନିୟୋଜିତ କରାଯାଇନଥିଲା। ଦୁଇ ନାବାଳକଙ୍କ ବାପା ଏବେ ନରହତ୍ୟା ଅପରାଧରେ ପୁରୀ ଜେଲ୍‌ରେ ଆଜୀବନ ଜେଲ୍‌ ଦଣ୍ଡ ଭୋଗୁଥିବା ବେଳେ ତାଙ୍କ ପରିବାରର ଆଉ କାହା ସମ୍ପର୍କରେ କିଛି ସୂଚନା ମିଳି ନାହିଁ। କେବଳ ସେତିକି ନୁହେଁ, ମୃତ ବିନୋଦିନୀଙ୍କ ଶବ ସେମିତି ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ସାଇତା ହୋଇ ରହିଛି। ବାପଘର କିମ୍ବା ଶ୍ବଶୁର ଘର ପକ୍ଷରୁ କେହି ସତ୍କାର କରିବା ପାଇଁ ତାଙ୍କ ମୃତଦେହକୁ ନେଇନାହାନ୍ତି। ତେଣୁ ଆଉ ଗୋଟିଏ ଦିନ ପରେ ପୁଲିସ ବାଧ୍ୟ ହୋଇ ନିଜ ପକ୍ଷରୁ ଶବ ସତ୍କାର କରାଇବ ବୋଲି ସୂଚନା ମିଳିଛି। ତେଣୁ ମୃତ ବିନୋଦିନୀଙ୍କ ପରିବାରକୁ ନେଇ ସାଧାରଣରେ ନାନା କଥା ଆଲୋଚନା ହେଉଛି।

ପୁଲିସ ସୂଚନାନୁସାରେ, ମିଛ କହି ବିନୋଦିନୀ ଅର୍କିଡ୍‌ ଆପାର୍ଟମେଣ୍ଟରେ ଘର ଭଡ଼ା ନେଇଥିଲେ। ତାଙ୍କ ସ୍ବାମୀ ନିହାର ରଞ୍ଜନ ପ୍ରଧାନ ରାଉରକେଲାରେ ଚାକିରି କରନ୍ତି ବୋଲି ସେ ମିଛ କହିଥିଲେ। ପ୍ରକୃତରେ ନିହାର ଏବେ ପୁରୀ ଜେଲ୍‌‌ରେ ସଜ୍ଜା କାଟୁଛନ୍ତି। ୨୦୧୧ ମସିହାରେ ବ୍ରହ୍ମଗିରିରେ ଭୋଜି କରୁଥିବା ବେଳେ ଏକ ଗଣ୍ଡଗୋଳ ଘଟିଥିଲା ଓ ସେ ଅମିତ୍‌ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଉକ୍ତ ମାମଲାରେ ନିହାରଙ୍କୁ ଆଜୀବନ କାରାବାସ ଦଣ୍ଡ ହୋଇଛି। ତେଣୁ ସତ କହିଲେ ବିନୋଦିନୀଙ୍କୁ ଘର ଭଡ଼ା ମିଳିବା କଷ୍ଟ ହେବ ବୋଲି ସେ ବିଭିନ୍ନ ସ୍ଥାନରେ ମିଛ କହି ଘର ଭଡ଼ା ନେଉଥିଲେ। ଆଜି ଅଭିଯୁକ୍ତ ଦୁଇ ଭାଇଙ୍କୁ ପଚରାଉଚରା କରିବା ପରେ ପୁଲିସ ନିହାରଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଆଜି ପୁଲିସର ଗୋଟିଏ ଟିମ୍ ପୁରୀ ଜେଲ ଯାଇ ନିହାରଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଛି। ପୂର୍ବରୁ ନିହାର ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ରାଜଧାନୀର କିଛି ଥାନାରେ ତାଙ୍କ ନାମରେ ଠକେଇ ଅଭିଯୋଗ ରହିଥିବା ଜଣାପଡ଼ିଛି। ଆଜି ଏ ବାବଦରେ ଅର୍କିଡ୍‌ ଆପାର୍ଟମେଣ୍ଟରେ ଖବର ପହଞ୍ଚିବା ପରେ କଲୋନିବାସୀ ଭୟଭୀତ ହୋଇପଡ଼ିଥିଲେ। ଏକ ଭୟଙ୍କର ପରିବାର ସେମାନଙ୍କ ସହ ରହିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସୌଭାଗ୍ୟକୁ ଅନ୍ୟ କାହାର କିଛି କ୍ଷତି ହେବା ପୂର୍ବରୁ ସେମାନେ ନିଜକୁ ନିଜେ ଫସି ଯାଇଥିବାରୁ କଲୋନିବାସୀ ଆଶ୍ବସ୍ତ ହୋଇଛନ୍ତି। ଅପରାଧ ପୃଷ୍ଠଭୂମିରୁ ଆସିଥିବା ପରିବାର ହୁଏତ କେତେବେଳେ କଲୋନିରେ କିଛି ଅଘଟଣ ଘଟାଇଥାଆନ୍ତେ ବୋଲି ସେମାନେ ଆଶଙ୍କା କରିଛନ୍ତି।

ସିଗାରେଟ୍‌ ନେଲା ବିନୋଦିନୀଙ୍କ ଜୀବନ
ଏହି ହତ୍ୟାକାଣ୍ଡ ପଛରେ ଥିବା କାରଣ ସମ୍ପର୍କରେ ଆଜି ଅଭିଯୁକ୍ତ ନାବାଳକଦ୍ବୟ ପୁଲିସକୁ ବିସ୍ତୃତ ଭାବେ କହିଛନ୍ତି। ମଦ ପିଇ ମାରପିଟ୍‌ କରିବା ସହ ଘରର ସବୁ କାମ ସେମାନଙ୍କ ହାତରେ ବିନୋଦିନୀ କରାଉଥିଲେ। ଲୁଗାପଟା ସଫା କରିବାଠାରୁ ଆରମ୍ଭ କରି ବାସନ ମାଜିବା ପର୍ଯ୍ୟନ୍ତ ସବୁ କାମ ପିଲା ଦୁହେଁ କରୁଥିଲେ। ବିଳମ୍ବିତ ରାତିରେ ଘରକୁ ନିଶାରେ ଚୁର୍‌ ହୋଇ ଆସୁଥିଲେ ଓ ବିନା କାରଣରେ ମାର୍‌ଧର କରୁଥିଲେ। ଘଟଣା ଦିନ ଅର୍ଥାତ୍‌ ୧୬ ତାରିଖ ରାତିରେ ସେ ଘରକୁ ଫେରିବା ପରେ ବଡ଼ ପୁଅକୁ ସିଗାରେଟ୍‌ ପାଇଁ ବଜାରକୁ ପଠାଇଥିଲେ। କିନ୍ତୁ ସେ ବଜାରକୁ ଯିବା ପାଇଁ ରାଜି ହୋଇନଥିଲେ। ତେଣୁ ମଦ ନିଶାରେ ଟଳମଳ ହେଉଥିବା ବିନୋ‌ଦିନୀ ତାକୁ ପିଟିଥିଲେ। ଫଳରେ ହଠାତ୍ ତା’ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ପାଖ ଘରେ ଥିବା ଶାବଳ ଆଣି ସେ ବିନୋଦିନୀଙ୍କ ମୁଣ୍ଡକୁ ପିଟିଥିଲା। ଦୁଇ ପାହାର ପରେ ବିନୋଦିନୀ ସେଇଠି ଟଳି ପଡ଼ିଥିଲେ। ବଡ଼ ଧରଣର ଅଘଟଣ ଘଟିଯିବା ଆଶଙ୍କାରେ ଦୁଇ ଭାଇ ଘରୁ ପଳାଇଥିଲେ। ସେମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପଡ଼ୋଶୀ ଅଙ୍କଲ ଆଲାମ୍‌ଙ୍କୁ ଫୋନ୍‌ କରି ଜଣାଇଥିଲେ। ମା’ଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଲେ, ସେ ହୁଏତ ବଞ୍ଚିଯିବେ ବୋଲି ଆଶା କରି ଦୁଇ ଭାଇ ତାଙ୍କୁ ଜଣାଇଥିଲେ। କିନ୍ତୁ ବିଳମ୍ବ ହେବାରୁ ସେମାନେ ମା’ ମରିଯାଇଥିବା ଭୟରେ ଫେରାର୍ ହେବାକୁ ଉଦ୍ୟମ କରିଥିଲେ।

ତିନି ମାସ ତଳେ ପାରୋଲ୍‌ରେ ଆସିଥି‌ଲେ ନିହାର
ବିନୋଦିନୀ ଓ ତାଙ୍କ ଦୁଇ ପୁଅ ଅର୍କିଡ୍ ଆପାର୍ଟମେଣ୍ଟରେ ରହିବା ପୂର୍ବରୁ ନିକଟସ୍ଥ ଅନ୍ୟ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ପୁରୀ ଜେଲରେ ନରହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ବିନୋଦିନୀଙ୍କ ସ୍ବାମୀ ନିହାର ତିନି ମାସ ତଳେ ବୁଲିବାକୁ ଆସିଥିଲେ। ଲକ୍‌ଡାଉନ ସମୟରେ ପାରୋଲ୍‌ରେ ଆସି ପୁଣି ଜେଲକୁ ଫେରି ଯାଇଥିଲେ। ବିନୋଦିନୀଙ୍କ ମଦ୍ୟପାନ ଓ ନିହାରଙ୍କ ଜେଲ୍‌ କଥା ଜଣାପଡ଼ିବା ପରେ ଉକ୍ତ ଫ୍ଲାଟ ମାଲିକଙ୍କ ସହ ବିନୋଦିନୀଙ୍କର ପାଟିତୁଣ୍ଡ ହୋଇଥିଲା। ତେଣୁ ଉକ୍ତ ଫ୍ଲାଟ୍‌ ଛାଡ଼ି ସେମାନେ ଅର୍କିଡ୍‌ ଆପାର୍ଟମେଣ୍ଟରେ ରହିଥିଲେ ଓ ନିହାର ରାଉରକେଲାରେ ଚାକିରି କରନ୍ତି ବୋଲି ମିଛ କହିଥିଲେ।

ସମ୍ବନ୍ଧିତ ଖବର