ମଦ ନିଶାରେ ପୁଅକୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଛାଡ଼ିଦେଲା ପୁଲିସ

ଚନ୍ଦ୍ରଶେଖରପୁର: ମଦ ନିଶାରେ ପୁଅକୁ ଢାଳରେ ପିଟି ହତ୍ୟା କରିବା ଘଟଣା ଆଜି ନୂଆ ମୋଡ଼ ନେଇଛି। ହତ୍ୟା ନୁହେଁ, ଝାଡ଼ାବାନ୍ତି ଯୋଗୁଁ ପିଲାଟିର ମୃତ୍ୟୁ ହୋଇଥିବା ଦର୍ଶାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଗତକାଲି ଅଟକ ରଖିଥିବା ଅଭିଯୁକ୍ତ ସାବତ ବାପା ଦାଶରଥି ଟୁଡୁକୁ ଆଜି ଛାଡ଼ି ଦେଇଛି। ତେବେ ଏହାକୁ କେନ୍ଦ୍ର କରି ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସଂଧ୍ୟାରେ ବସ୍ତିବାସିନ୍ଦା ସାହିରେ ସଭା କରି ଅଭିଯୁକ୍ତକୁ ଏକଘରିଆ କରି ଦେଇଥିବା ଜଣାଯାଇଛି। ଅପରପକ୍ଷେ ପୁଲିସ ଏହି ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ଏ ସଂପର୍କରେ ମଞ୍ଚେଶ୍ବର ଥାନ ପୁଲିସ୍ କହିଛି ଯେ ଘଟଣାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ରିପୋର୍ଟକୁ ଆଧାର କରି ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହତ୍ୟା ପ୍ରମାଣ ମିଳିଲେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଆଇଆଇସି ଯତୀନ୍ଦ୍ର ନାଥ ସେଠୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦାଶରଥି ଗତକାଲି ଭୋର୍‌ରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ନିଜ ୫ ବର୍ଷୀୟ ସାବତ ପୁଅକୁ ଢାଳରେ ପିଟି ପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର