‘କୌଣସି କାମ ଅଧାରେ ଛାଡ଼ିବାକୁ ପସନ୍ଦ କରେନି’

ଭୁବନେଶ୍ବର: ୨୦୦୭ ମସିହାରେ ନିଜର ଡେବ୍ୟୁ ଚଳଚ୍ଚିତ୍ର ‘ସାୱରିୟା’ ମାଧ୍ୟମରେ ସୋନମ୍‌ କେ. ଆହୁଜା ଦର୍ଶକଙ୍କ ହୃଦୟ ଜିଣିଥିଲେ। ମାତ୍ର ଚଳଚ୍ଚିତ୍ରଟି ସେତେଟା ସଫଳତା ପାଇନଥିଲା।‌ ହେଲେ ସେ ନ ଅଟକି ଆଗକୁ ବଢ଼ିଚାଲିଥିଲେ। ୨୦୧୦ ମସିହାରେ ‘ଆଇ ହେଟ୍‌ ଲଭ ଷ୍ଟୋରିଜ୍‌’ରେ ତାଙ୍କୁ ଅନେକ ସଫଳତା ମିଳିଥିଲା। ଏହାପରେ ୨୦୧୩ରେ ଚଳଚ୍ଚିତ୍ର ‘ରାଞ୍ଝନା’ ଏବଂ ୨୦୧୫ରେ ‘ପ୍ରେମ୍‌ ରତନ ଧନ୍‌ ପାୟୋ’ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲା। ଆସନ୍ତା ୨୦ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ଜୋୟା ଫାକ୍ଟର’ପାଇଁ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ଚଳଚ୍ଚିତ୍ରଟିକୁ ଦର୍ଶକଙ୍କ ମନକୁ ନିଶ୍ଚିତ ଛୁଇଁବ ବୋଲି ଆଜି ରଘୁନାଥପୁର ସ୍ଥିତ ଲାଲ୍‌ଚାନ୍ଦର ଫ୍ଲାଗସିପ୍‌ ‌ସୋ’ରୁମ୍‌ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସୋନମ୍‌ ଆଶାବ୍ୟକ୍ତ କରିଛନ୍ତି।

ଓଡ଼ିଶା ଗସ୍ତ କେମିତି ଲାଗୁଛି?
ମୁଁ ପ୍ରଥମ ଥର ଓଡ଼ିଶା ଆସିଛି। କିନ୍ତୁ ଓଡ଼ିଶା ମୋତେ ବହୁତ ଭଲଲାଗେ। ଜଣେ କଳାକାରଙ୍କ ପ୍ରତି କିଭଳି ଭଲ ପାଇବା ଓ ସମ୍ମାନ ରହିବା ଦରକାର ତାହା ଓଡ଼ିଶା ‌ଲୋକଙ୍କ ଉତ୍ସାହ ଦେଖିବା ପରେ ଜଣାପଡ଼ୁଛି। ଲୋକଙ୍କ ଉତ୍ସାହ ଓ ଭଲପାଇବା ଦେଖି ମୋତେ ବହୁତ ଖୁସି ଲାଗୁଛି। ବିଶେଷ କରି ଭୁବନେଶ୍ବର ଟ୍ରାଫିକ୍‌ ବ୍ୟବସ୍ଥା ବହୁତ ଭଲ। ଦିଲ୍ଲୀ କିମ୍ବା ମୁମ୍ବାଇ ଭଳି ଏଠି ଜାମ ପରିସ୍ଥିତି ନାହିଁ। ସେମିତି ଏଠାକାର ପରିବେଶ ବେଶ ସବୁଜମୟ।
ଆଗାମୀ ଦିନରେ ଓଡ଼ିଶା ଆସିଲେ କେଉଁ ସ୍ଥାନକୁ ଯିବାକୁ ପସନ୍ଦ କରିବେ?
ମୁଁ ଆଗାମୀ ଦିନରେ ଓଡ଼ିଶା ‌ଆସିଲେ ପୁରୀ ଯିବାକୁ ପସନ୍ଦ କରିବି। ଜଗନ୍ନାଥଙ୍କ ଦର୍ଶନ କରିବି। ପୁରୀକୁ ଆସିବା ପାଇଁ ମୋର ଅନେକ ଆଗରୁ ପ୍ଲାନିଂ ରହିଛି। ଆଗମୀ ଦିନରେ ନିଶ୍ଚିତ ପୁରୀ ଆସିବି।
ଓଡ଼ିଶାର କଳାକାରଙ୍କୁ କ’ଣ କହିବେ?
ଓଡ଼ିଶାର କଳାକାରମାନେ ବହୁତ ଭଲ। ତେବେ ମୋର ଅନେକ ଓଡ଼ିଆ ଟେକ୍ନିସିଆନ୍‌ଙ୍କ ସହ ଘନିଷ୍ଠତା ରହିଛି। ସେମାନଙ୍କ କାର୍ଯ୍ୟଶୈଳୀ ବେଶ୍‌ ଉଚ୍ଚକୋଟୀର। ସେମାନଙ୍କ ଠାରୁ ମୁଁ ଓଡ଼ିଶା ବିଷୟରେ ଅନେକ କଥା ଜାଣିବାକୁ ପାଏ।
ଆପଣଙ୍କ ସଫଳତା ପଛର ରହସ୍ୟ କ’ଣ?
କୌଣସି କାମ ଅଧାରେ ଛାଡ଼ିବାକୁ ପସନ୍ଦ କରେନି। ସେଥିରେ ମତେ ସଫଳତା ମିଳୁ କି ସଫଳତା ନମିଳୁ ଏଥିପାଇଁ ମୁଁ ବିବ୍ରତ ନଥାଏ। କାମକୁ ସମ୍ପୂର୍ଣ୍ଣ କରିବା ପାର୍ଯ୍ୟନ୍ତ ମୁଁ ସମସ୍ତ ଚେଷ୍ଟା କରିଥାଏ। କୌଣସି ବି କାମକୁ ସମ୍ପୂର୍ଣ୍ଣ କରିବା ହିଁ ମୋର ସଫଳତା।

ସମ୍ବନ୍ଧିତ ଖବର