‘ଝରକା ବାହାରେ ସ୍କୁଲ କଟିଥିଲା’ : ସୋନମ୍ ୱାଙ୍ଗଚୁକ୍

ସୋନମ୍ ୱାଙ୍ଗଚୁକ୍। ନାଁଟି ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। ତେବେ ଚର୍ଚ୍ଚିତ ‘ଥ୍ରି ଇଡିଏଟ୍‌’ ସିନେମାରେ ଅମିର ଖାନ୍‌ ଯେଉଁ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଥିଲେ ସେ ହିଁ ଥିଲେ ସୋନମ୍ ୱାଙ୍ଗଚୁକ୍‌। ଶିକ୍ଷାକ୍ଷେତ୍ରରେ କିଛି କରି ଦେଖାଇବାକୁ ସେ ସର୍ବଦା ଉଦ୍ୟମ କରିଛନ୍ତି। ଯେଉଁଥିପାଇଁ ୨୦୧୮ର ରମନ୍ ମ୍ୟାଗସେସ୍‌ ପୁରସ୍କାର ହାସଲ କରିଛନ୍ତି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପରିଚିତ ହୋଇଛନ୍ତି।

ଲଦାଖ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିଥିବା ଶ୍ରୀ ୱାଙ୍ଗଚୁକ୍‌ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୂ ଆସିଥିବା ଅବସରରେ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ।

ଯେଉଁ ଛାତ୍ରଛାତ୍ରୀ ପାଠପଢ଼ାରେ ବିଫଳ ହେଉଛନ୍ତି ‌ସେମାନଙ୍କ ଉଦ୍ଦେଶ୍ୟରେ କ’ଣ କହିବେ?

-ଯିଏ ବିଫଳ ହୋଇନି ସେ ସଫଳତାର ସ୍ୱାଦ ଚାଖିପାରିବ ନାହିଁ। ପ୍ରତି କ୍ଷେତ୍ରରେ ବିଫଳତା ଆସେ। ତାହାକୁ ସାମ୍ନା କରିବାକୁ ପଡ଼ିବ। କଠିନ ପରିଶ୍ରମ କରିବାକୁ ହେବ। ନ ହେଲେ ସଫଳତା ମିଳି ପାରିବ ନାହିଁ।

ଛାତ୍ର ଜୀବନ କିଭଳି କଟିଥିଲା?
-ପିଲାଟି ଦିନରୁ ପରିବାରରେ ଅର୍ଥାଭାବ ଲାଗି ରହିଥିଲା। ଯେଉଁଥିପାଇଁ ଛାତ୍ର ଜୀବନରେ ଅନେକ ସମୟ ବିଦ୍ୟାଳୟର ଝରକା ବାହାରେ କଟିଥିଲା। ଶ୍ରେଣୀ‌ରେ ଶିକ୍ଷକ ପଢ଼ାଉଥିବା ବେଳେ ବାହାରେ ରହି ତାହାକୁ ଶୁଣୁଥିଲି। ପରବର୍ତୀ ସମୟରେ ଖାତାରେ ଲେଖୁଥିଲି। ସେହି ମୁହୂର୍ତ୍ତରୁ ଯେଉଁ ପ୍ରେରଣା ପାଇଥିଲି ତାହା ଆଜି ମୋତେ ସଫଳ ଛାତ୍ର ଭାବେ ଗଢ଼ି ତୋଳିଛି।

କ’ଣ କଲେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିପାରିବ?
-ଶିକ୍ଷାଦାନ ପ୍ରଣାଳୀକୁ ପ୍ରଥମେ ସରଳ କରିବାକୁ ହେବ। ଛାତ୍ରଛାତ୍ରୀଙ୍କୁ ନିଜ ଇଚ୍ଛା ତଥା ଆଗ୍ରହ ଥିବା ବିଷୟ ପ୍ରତି ପ୍ରବର୍ତ୍ତାଇବାକୁ ପଡ଼ିବ। ପ୍ରାଥମିକସ୍ତରରୁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ମିଳିବା ଦରକାର। ଅଭିଭାବକ ମଧ୍ୟ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି।

ଲଦାଖ ଅଞ୍ଚଳରେ ଯେଉଁ ନୂତନ ସଭ୍ୟତା ସୃଷ୍ଟି କରିଛନ୍ତି, ତାହା ବିଶ୍ୱକୁ ଦିଗଦର୍ଶନ ଦେଇପାରିବ କି?
-ଏପର୍ଯ୍ୟନ୍ତ ସଭ୍ୟତା ସୃଷ୍ଟି କରିବାରେ ସଫଳ ହୋଇ ନାହୁଁ। ଆହୁରି ଅନେକ ବାଟ ଯିବାର ଅଛି। ବର୍ତମାନର ଯୁବ ଓ ଛାତ୍ରମାନେ ସରଳ ଜୀବନଯାପନ କରିବା ସହ ଜଳବାୟୁ ପରିବର୍ତ୍ତନର ପ୍ରବର୍ତ୍ତକ ହେବା ଆବଶ୍ୟକ। ଏହାପୂର୍ବରୁ ସ୍ୱେଚ୍ଛାସେବୀ ଭାବେ ସେମାନେ ସାଧାରଣ ଜନତାଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ଦରକାର। ପ୍ରକୃତିର ସରଳ ନିୟମକୁ ବୁଝି ଏକ ନୂତନ ପଥ ଅନୁସରଣ କରିବାକୁ ହେବ। ଯେଉଁଦିନ ଏହି ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରିବ ସେଦିନ ହିଁ ହେବ ଆମର ବଡ଼ ସଫଳତା।

ଲଦାଖ ପାଇଁ ଆପଣଙ୍କର ଭବିଷ୍ୟତ ଯୋଜନା କ’ଣ?
-ଲଦାଖବାସୀଙ୍କୁ ସରଳ, ଜ୍ଞାନ ଆହରଣ ଓ ଆତ୍ମନିର୍ଭରଶୀଳ କରିବାକୁ ହେବ। ଯେଉଁମାନେ କି ସାରା ଭାରତରେ ଉଦାହରଣ ସୃଷ୍ଟି କରିବେ। ଏହା ବିଶ୍ୱ ପାଇଁ ଦିଗଦର୍ଶନ ପ୍ରଦାନ କରିବ।

‘କୌନ୍‌ ବନେଗା କରୋଡପତି’ରେ ଅମିତାଭ ବଚ୍ଚନଙ୍କ ସହ ଆପଣଙ୍କର ଅନୁଭୂତି କିଭଳି ଥିଲା?
-ମୁଁ ବାସ୍ତବ ଜୀବନରେ ବିଶ୍ୱାସ କରେ। ରିଲ୍ ଲାଇଫ୍‌ରେ ନୁହେଁ।

ସମ୍ବନ୍ଧିତ ଖବର