କଟକ: ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସଞ୍ଜୟ କୁମାର ସାହୁ ଆଉ ନାହାନ୍ତି। ଆଜି ଅପରାହ୍ଣ ୨ଟାରେ କଟକ ବଡ଼ମେଡିକାଲରେ ୫୮ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ସ୍ବର୍ଗତ ସାହୁ କିଡ୍ନୀ ଓ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ କିଛି ଦିନ ତଳେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ପୁରବୀ ସାହୁ, ଏକମାତ୍ର ପୁଅ ଶାଶ୍ବତଙ୍କ ସମେତ ବାପା, ସାନଭାଇ ଉପସ୍ଥିତ ଥିଲେ। ଖବର ପାଇ ଗୀତିକାର ପଞ୍ଚାନନ ନାୟକ, ଦିଲ୍ଲୀପ ଜେନା, ଅରୁଣ ମନ୍ତ୍ରୀ, କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, କରୁଣାକର, କୁମାର ବାପି, ରଶ୍ମୀ ରଞ୍ଜନ ପଣ୍ଡା, ଜିତୁ ସାବତ, ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ, ଦୀପକ କୁମାର, ନିଖିଳ ଉତ୍କଳ ସଂଗୀତ ଶିଳ୍ପୀ ପରିଷଦର ଯୁଗ୍ମ ସଂପାଦକ ପଣ୍ଡିତ ନିରଦ ଆର୍ଯ୍ୟ ପ୍ରମୁଖ କଟକ ବଡ଼ ମେଡିକାଲରେ ତାଙ୍କ ଶେଷଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ ଢ଼େଙ୍କାନାଳ ପଦ୍ମବଜାର ମଣ୍ଡପସାହି ପୈତୃକ ବାସଭବନକୁ ନିଆଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ଶାଶ୍ବତ ମୁଖାଗ୍ନି ଦେଇଥିଲେ।
କଟକ ସହରର ଝାଞ୍ଜିରୀମଙ୍ଗଳା ଲୁଣିଆସାହି ମିଶ୍ରଲେନ୍ରେ ରହୁଥିବା ସ୍ବର୍ଗତ ସାହୁ ୧୯୮୪ରୁ ସଂଗୀତ ନିର୍ଦ୍ଦେଶକ ଭାବେ ଜୀବନ ଆରମ୍ଭ କରିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଭଜନ ‘ପଇଡ ଭିତରେ ପାଣି ଲୋ ଘରମଣି...’ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ତୁଳସୀ ତୁଳସୀ ବାସୁଛି..., କହ୍ନେଇ ଖାଇଛି ମାଟି..., ମେଘନାଦ ପାଚେରି..., ସୁନା ଥାଳିଆ..., ରାମାୟଣ ମହାଭାରତ ପଢ଼ିଛି କେତେ ଶୁଣିଛି କେତେ... ଭଳି ଭଜନ, ରଙ୍ଗବତୀ ରଙ୍ଗେଇ ନାନି.. ଭଳି ଆଧୁନିକ ଗୀତରେ ନିର୍ଦ୍ଦେଶନା ଦେଇ ସେ ଆଗଧାଡ଼ିର ସଂଗୀତ ନିର୍ଦ୍ଦେଶକ ଭାବେ ପରିଗଣିତ େହାଇଥିଲେ। ଅଭିଜତ ମଜୁମ୍ଦାର, ଶୈଳଭାମା, ଅଞ୍ଜଳି ମିଶ୍ରଙ୍କ ଭଳି ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କୁ ସ୍ବର୍ଗତ ସାହୁ ସୁଯୋଗ ଦେଇ ଲୋକପ୍ରିୟ କରାଇଥିଲେ। ତାଙ୍କ ନିେର୍ଦ୍ଦଶନାରେ ସୋନୁ ନିଗମ, ମହମ୍ମଦ ଅଜିଜ୍, ଇରା ମହାନ୍ତିଙ୍କ ଭଳି କଣ୍ଠଶିଳ୍ପୀ ଗୀତ ଗାଇଛନ୍ତି।
ସଂଗୀତ ନିର୍ଦ୍ଦେଶକ ସଞ୍ଜୟ ସାହୁଙ୍କ ପରଲୋକ
/sambad/media/post_attachments/wp-content/uploads/2019/03/Untitled-13-16.jpg)