କରୋନାକୁ ନେଇ ଗୀତ: ଝିଅ ନୁହେଁ ତୁ କରୋନା ଭାଇରସ…ଗୀତକୁ ନିଷିଦ୍ଧ କରିବାକୁ ଦାବି

ଭୁବନେଶ୍ବର: ‘କରୋନା’କୁ ବିଶ୍ବ ମହାମାରୀ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ଓ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। କରୋନା ନାଁ ଶୁଣିଲେ ଦେହରେ ଛନକା ପଶିଯାଉଛି। ମାତ୍ର ‘କରୋନା’ ଶବ୍ଦକୁ ନେଇ ଶିବ ଅଡିଓ ନାମକ ଏକ ସଂସ୍ଥା ଏକ ଗୀତ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ିଛି। ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’ ନାମକ ଏହି ଗୀତ ୟୁ-ଟ୍ୟୁବ୍‌‌‌‌ରେ ଆସିବା ପରେ ଏହାକୁ ଅନେକ ବିରୋଧ କରିଛନ୍ତି। କରୋନା ଶବ୍ଦଟି ଏବେ ସମସ୍ତଙ୍କୁ ଆତଙ୍କିତ କରୁଥିବା ବେଳେ ଏ ଗୀତଟିକୁ ଗାଇଥିବା କଣ୍ଠଶିଳ୍ପୀ କେମିତି ଏହାକୁ ମଉଜ କରିବା ଉଦ୍ଦେଶ୍ୟରେ ବ୍ୟବହାର କଲେ, ସେନେଇ ବହୁ ବିରୋଧାଭାସ ପ୍ରତିକ୍ରିୟା ପୋଷ୍ଟ କରାଯାଇଛି।

ଗୀତଟିକୁ ପବିତ୍ର ଲେଖିଥିବା ବେ‌ଳେ ଗଣେଶ ପ୍ରସାଦ ଏହାକୁ ସଂଗୀତରେ ସଜାଇଛନ୍ତି। ଏନେଇ ଲୋକପ୍ରିୟ ସଂଗୀତ ନିର୍ଦେଶକ ମଳୟ ମିଶ୍ରଙ୍କ କହିବା ମୁତାବକ, କରୋନା ଭୂତାଣୁକୁ ନେଇ ସମଗ୍ର ବିଶ୍ବବାସୀ ଭୟଭୀତ ଥିବା ବେଳେ ସେଇ ଶବ୍ଦକୁ ନେଇ ମନୋରଂଜନଧର୍ମୀ ଉତ୍ପାଦ ଭାବେ ଭେଟିଦେବା ମୋ ମତରେ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ସଂସ୍କୃତି ଓ ସଂସ୍କୃତି ତଥା ସିନେ କ୍ରିଟିକ୍‌ ଆସୋସିଏସନ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ଦିଲ୍ଲୀପ ହାଲି ମଧ୍ୟ ଏହାର ବିରୋଧ କରି କହିଛନ୍ତି ଯେ କରୋନାକୁ ନେଇ ଏବେ ଭୟର ବାତାବରଣ ଥିବା ବେଳେ କରୋନାକୁ ନେଇ ଗୀତ ଲେଖିବା, ଏହାକୁ ଗାଇବା ଓ ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଏପରି ଅରୁଚିକର ଗୀତ ପ୍ରସ୍ତୁତ କରିଥିବାରୁ ପ୍ରଯୋଜନା ସଂସ୍ଥା କ୍ଷମା ମାଗୁ ଏବଂ ଏହି ଗୀତକୁ ତୁରନ୍ତ ବ୍ୟାନ କରାଯାଉ। କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଉଥିବା ବେଳେ ଏଭଳି ଗୀତ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠନା ନିଆଯିବ ନାହିଁ ବୋଲି ଶ୍ରୀ ହାଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର