ଭୁବନେଶ୍ବରରୁ ସୋନପୁର ସରପଞ୍ଚ ଗିରଫ ମାମଲା, ସଙ୍ଗରୋଧ ଛଳରେ ଆତ୍ମଗୋପନ

ଚନ୍ଦ୍ରଶେଖରପୁର: ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜିର ସରପଞ୍ଚ ବନମାଳୀ ସା’ଙ୍କୁ ଭୁବନେଶ୍ବରରୁ ଗିରଫ କରାଯିବା ପରେ ତାଙ୍କ ଆତ୍ମଗୋପନକୁ ନେଇ ନାନା କଥା ଆଲୋଚନା ହେଉଛି। ରାଜଧାନୀରେ ଲୁଚି ରହିବା ପାଇଁ ତାଙ୍କୁ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁଲିସ ଠାବ କରିପାରିନାହିଁ। ସେହିଭଳି ଅଭିଯୁକ୍ତ ବନମାଳୀ ଯେଉଁ କାର୍‌ରେ ଭୁବନେଶ୍ବର ଆସିଥିଲେ, ତା’ର ମଧ୍ୟ ପତ୍ତା ମିଳିନାହିଁ। ସେ ଆତ୍ମଗୋପନ କରିଥିବା ଘରର ମାଲିକ କିମ୍ବା କେୟାର୍‌ଟେକରଙ୍କୁ ପୁଲିସ ଗିରଫ କରିନଥିବାରୁ ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି।

ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ବନମାଳୀ ଜଣେ ପ୍ରବାସୀ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। କେବଳ ସୋନପୁର ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟ ପାଇଁ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଅଭିଯୁକ୍ତ ବନମାଳୀ ଗିରଫ ଭୟରେ ସେଠାରୁ ଖସି ପଳାଇ ଆସିଥିଲେ। ସେ ପଟିଆ ଅଞ୍ଚଳର ସାହୁ କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ଜଣେ ପ୍ରବାସୀ ହିସାବରେ ସଙ୍ଗରୋଧରେ ରହିଥିଲେ। ଉକ୍ତ ଆପାର୍ଟମେଣ୍ଟର ବାସିନ୍ଦାମାନେ ତାଙ୍କୁ ଚିହ୍ନି ନଥିଲେ। ତେଣୁ ସେ ଏକ ସଂଗିନ୍ ମାମଲାର ଅଭିଯୁକ୍ତ ହୋଇଥିଲେ ମଧ୍ୟ ସେଠାରେ ସଙ୍ଗରୋଧ ଛଳରେ ଆତ୍ମଗୋପନ କରିବା ତାଙ୍କ ପାଇଁ ସହଜ ହୋଇଥିଲା। କିନ୍ତୁ ୫ ଦିନ ପରେ ହଠାତ୍ ସୋନପୁର ପୁଲିସ ଭୁବନେଶ୍ବର ପୁଲିସ ସହଯୋଗରେ ସେଠାରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କୁ ଉକ୍ତ ଆପାର୍ଟମେଣ୍ଟରୁ ପୁଲିସ ଉଠାଇ ନେବା ପରେ ସେଠିକାର ବାସିନ୍ଦାମାନେ ବିସ୍ମିତ ହୋଇପଡ଼ିଥିଲେ। ସୂଚନାନୁସାରେ ଉକ୍ତ ଘରଟି ସୋନପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ଓ ପଟିଆ ଅଞ୍ଚଳର ଜଣେ କେୟାର୍‌ଟେକର ଏହାକୁ ଜଗି ରହିଛନ୍ତି। ଘରର ମାଲିକ ଜାଣିଶୁଣି ତାଙ୍କୁ ଲୁଚିବା ପାଇଁ ସୁଯୋଗ ଦେଇଥିଲେ କି ନାହିଁ, ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇନାହିଁ। ସେହିଭଳି ଏହି ମାମଲାରେ ଘରର କେୟାର୍‌ଟେକରଙ୍କ ଭୂମିକା ମଧ୍ୟ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର