ଖଣ୍ଡଗିରି: ବାପାଙ୍କ ପୁସ୍ତକ ଉନ୍ମୋଚନ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ। ବିଶି‌ଷ୍ଟ ଅତିଥିମ‌ାନେ ନିମନ୍ତ୍ରିତ ହୋଇଥିବାରୁ ସେମାନଙ୍କ ସେବାରେ ଯେମିତି କିଛି ଅବହେଳା ନ ହୁଏ ସେଥିପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ। ଅତିଥିଙ୍କୁ ମଞ୍ଚକୁ ପାଛୋଟି ନେବା, ଅନ୍ୟମାନଙ୍କୁ ଚେୟାର ଯୋଗାଇ ଦେବା, ପୁସ୍ତକ ଉନ୍ମୋଚନ କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ, ସମସ୍ତଙ୍କ କଥା ବୁଝୁଥିଲେ ସେ। ହେଲେ ବାପାଙ୍କ ପୁସ୍ତକ ଲୋକାର୍ପଣ ସରୁସରୁ ଟଳିପଡ଼ିଲେ ପୁଅ। ଆଉ ସଙ୍ଗେ ସଙ୍ଗେ ବାପାଙ୍କ ଆଖି ଆଗରେ ଚାଲିଗଲ‌ା ପୁଅର ଜୀବନ। ଆଜି ବୁଦ୍ଧମନ୍ଦିର ପରିସରରେ ପାଇକ ଗୁରୁ କେଦାରନାଥ ଦାସଙ୍କ ରଚିତ  ପୁସ୍ତକ ‘ପାଇକ ଆଖଡ଼ା’ ପୁସ୍ତକର ଲୋକାର୍ପଣ ଉତ୍ସବରେ ଏଭଳି ଦୁଃଖଦ ଘଟଣା ସମସ୍ତଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା। ପୁସ୍ତକ ଉନ୍ମୋଚନ ପରି ଏକ ସ୍ମରଣୀୟ ମୂହୁର୍ତ୍ତରେ ଗୋଟିଏ ଜୀବନ ଚାଲିଯିବାକୁ କେହି ବି ସହଜରେ ଗ୍ରହଣ କରିପାରି ନଥିଲେ।

Advertisment

ଘଟଣା ଥିଲା ଏମିତି, ପାଇକ ଗୁରୁ କେଦାରନାଥ ଦାସଙ୍କ ରଚୟିତ ପୁସ୍ତକ ‘ପାଇକ ଆଖଡ଼ା’ ଲୋକାର୍ପଣ ଉତ୍ସବ ପୂର୍ବାହ୍ନ ୧୧ଟାରେ ଥିଲା। ସେହି ଅନୁଯାୟୀ ଅତିଥିମାନେ ପହଞ୍ଚିବା ସହ ସୁରୁଖୁରରେ କାର୍ଯ୍ୟକ୍ରମ ଆଗକୁ ବଢ଼ି ଚାଲିଥିଲା। କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ବ ତାଙ୍କ ବଡ଼ ପୁଅ ସମରଜିତ ନାୟକ(୪୨) ନେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ହଠାତ୍‌ ସମରଜିତ୍‌ ସେଠାରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ତାଙ୍କୁ ସଙ୍ଗେ ସଙ୍ଗେ ୟୁନିଟ୍‌-୪ସ୍ଥିତ କର କ୍ଲିନିକ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ପୁଅର ମୃତ୍ୟୁ ଖବର ଜାଣିବା ପରେ ଶ୍ରୀ ଦାସ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ସେଠାରେ ହିଁ ଭର୍ତ୍ତି କରାଯାଇଛି। ପୂର୍ବରୁ ଶ୍ରୀ ଦାସଙ୍କ ପତ୍ନୀ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ି ଗ୍ରାମରେ ରହୁଥିବା ସମରଜିତ୍‌ ଏକ ବେସରକାରୀ ନିର୍ମାଣ କମ୍ପାନିରେ କାର୍ଯ୍ୟ କରୁଥିଲେ।