‘ସୋନୁ ହେଲା ସୁନା ପିଲା’, ‘ଧୂଆଁ ଓ ଅନ୍ୟାନ୍ୟ ଗଳ୍ପ’ ଲୋକାର୍ପିତ

‘ଅଭିଜ୍ଞତାର ପଙ୍କରେ ସାହିତ୍ୟର ପଦ୍ମ ଫୁଟିଥାଏ’

ଭୁବନେଶ୍ବର: କଣ୍ଠଶିଳ୍ପୀ ତଥା ସାହିତ୍ୟିକା ଛନ୍ଦା ମିଶ୍ରଙ୍କ ଦୁଇଟି ଗଳ୍ପ ସଂକଳନ ଆଜି ରାଜ୍ୟ ସଂଗ୍ରହାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଶିଶୁମାନଙ୍କ ପାଇଁ ପଶ୍ଚିମା ପବ୍ଲିକେସନ୍‌ ପକ୍ଷରୁ ‘ସୋନୁ ହେଲା ସୁନା ପିଲା’ ଓ ସମସ୍ତ ବର୍ଗର ପାଠକମାନଙ୍କ ପାଇଁ ଶାନ୍ତିସେନା ପ୍ରକାଶନୀ ପକ୍ଷରୁ ‘ଧୂଆଁ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ ହୋଇଥିଲା। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ବରଞ୍ଜନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ଓ ଅବସରପ୍ରାପ୍ତ ପ୍ରଶାସକ ତଥା ସାହିତ୍ୟିକ ବିଜୟ ନାୟକ ବକ୍ତା ଭାବେ ଯୋଗ ଦେଇ ମତ ରଖିଥିଲେ।

‘ଧୂଆଁ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ସମ୍ପର୍କରେ କଥାକାର ଶ୍ରୀ ଦାସ କହିଲେ, ଶ୍ରୀମତୀ ମିଶ୍ରଙ୍କ ଏହି ପୁସ୍ତକଟି ସାମାଜିକ ଓ ପାରିବାରିକ ଜୀବନର କଥା କହିବା ସହ ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ବିରୋଧ କରିଛି। ଏଥିସହ ମଣିଷର ଶକ୍ତି ବାହାରେ ଯେ ଏକ ଐଶ୍ବରୀୟ ଶକ୍ତି ଓ ଆଧ୍ୟାତ୍ମିକ ଚେତନା ରହିଛି, ତାହାକୁ ସେ ପୁସ୍ତକ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିଛନ୍ତି। ସାଧାରଣତଃ ସାହିତ୍ୟକୁ ୨ ଭାଗରେ ବଣ୍ଟାଯାଇଛି। ଗୋଟିଏ ଯଥାର୍ଥବାଦୀ ସାହିତ୍ୟ ଓ ଅନ୍ୟଟି ଆଦର୍ଶବାଦୀ ସାହିତ୍ୟ। ବୀଭତ୍ସ ହେଉ ବା ଅଶ୍ଳୀଳ, ଭଲ ହେଉ ବା ମନ୍ଦ; ଯଥାର୍ଥବାଦୀ ସାହିତ୍ୟିକମାନେ କ୍ୟାମେରା ଭଳି ଜୀବନରେ ଘଟିଯାଉଥିବା ସମସ୍ତ ଘଟଣାକୁ ଦେଖାଇବାକୁ ଚାହାନ୍ତି। କିନ୍ତୁ ଆଦର୍ଶବାଦୀ ସାହିତ୍ୟିକମାନଙ୍କ ମତରେ, ‘ଆଇନା’ ଭଳି ଯାହା ଅଛି ତାହା ଦେଖାଇବା ସାହିତ୍ୟର ଧର୍ମ ନୁହେଁ, ପ୍ରକାଶ ଆଣିବାର ଦାୟିତ୍ବ ବି ସାହିତ୍ୟର। କିନ୍ତୁ ଜଣେ ସମର୍ଥ ସାହିତ୍ୟିକ ଏହି ଯଥାର୍ଥବାଦ ଓ ଆଦର୍ଶବାଦ ମଧ୍ୟରେ ସମନ୍ବୟ ଆଣିପାରେ। ଭଲ ଗପ ଲେଖିବାକୁ ହେଲେ ଅନୁଭବ ରହିବା ଆବଶ୍ୟକ। କାରଣ ଅଭିଜ୍ଞତାର ପଙ୍କରେ ହିଁ ସାହିତ୍ୟର ପଦ୍ମ ଫୁଟିପାରେ ବୋଲି ଶ୍ରୀ ଦାସ କହିଛନ୍ତି।

ପୁସ୍ତକ ‘ସୋନୁ ହେଲା ସୁନା ପିଲା’ ସମ୍ପର୍କରେ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ନାୟକ କହିଲେ, ଅନେକ ସମୟରେ ଓଡ଼ିଆ ସାହିତ୍ୟରେ ଶିଶୁ ସାହିତ୍ୟର ବିପୁଳତା ନାହିଁ ବୋଲି ଅଭି‌ଯୋଗ ହୁଏ। କିନ୍ତୁ ପିଲା ଦିନେ ଆମେ ପଢ଼ୁଥିବା ‘ଆ… ଜହ୍ନମାମୁଁ ସରଗଶଶି…ଠାରୁ ଆରମ୍ଭ କରି ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ… ହେଉ ଅବା କାଳିଆ ଘୋଡ଼ାରେ ଚଢ଼ିବି… ଆଦି ଲେଖା ଓଡ଼ିଆ ସାହିତ୍ୟକୁ ପ୍ରାଚୁର୍ଯ୍ୟମୟ କରିଛି। ଏବେ ବି ଅନେକ ଲେଖକ ଶିଶୁ ସାହିତ୍ୟ ରଚନାରେ ସିଦ୍ଧହସ୍ତ। ଶ୍ରୀ ନାୟକ କହିଛନ୍ତି, ଶିଶୁଙ୍କ ପାଇଁ ଲେଖିବା ବେଳେ ଲେଖକକୁ ସମ୍ବେଦନଶୀଳ ଓ ଦାୟିତ୍ବବାନ ହେବାକୁ ପଡ଼େ। ଶିଶୁଲେଖା ଶିଶୁମାନଙ୍କ ଭିତରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଶ୍ରୀ ନାୟକ କହିଥିଲେ। ସଭାପତିତ୍ବ ଅଭିଭାଷଣରେ ଅଧ୍ୟାପକ ବିଶ୍ବରଞ୍ଜନ କହିଲେ, ଛନ୍ଦା ଜଣେ ବୁଦ୍ଧିମତୀ ଲେଖିକା। ଶିଶୁମାନଙ୍କ ପାଇଁ ନିଜ ଲେଖାରେ, ସେ ସରଳ ଓ ମଜା ଛଳରେ ଗୁଢ଼ କଥାମାନ କହିଦିଅନ୍ତି। ସେହିଭଳି ‘ଧୂଆଁ ଓ ଅନ୍ୟାନ୍ୟ ଗଳ୍ପ’ରେ ସେ ପ୍ରଦୂଷଣଜନିତ ଧୂଆଁରେ ପାଠକଙ୍କୁ ଅଣନିଶ୍ବାସୀ କରିନାହାନ୍ତି; ବରଂ ଧୂପକାଠିର ଧୂଆଁରେ ଆଶ୍ବସ୍ତ କରିଥିବା ସେ କହିଛନ୍ତି। ଲେଖକ ବିପିନ ମହା‌ନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଙ୍ଗୀତ ମାଧ୍ୟମରେ ଲେଖିକା ଶ୍ରୀମତୀ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଦୁଇ ପୁସ୍ତକ ପ୍ରକାଶକ ଅଶୋକ ମହାନ୍ତି ଓ ରଜତରଶ୍ମି ସ୍ବାଇଁ, ବିଶିଷ୍ଟ ପ୍ରଯୋଜକ ସବ୍ୟସାଚ୍ଚୀ ମହାପାତ୍ର, ସାହିତ୍ୟିକ ବିଜୟାନନ୍ଦ ସିଂହ ଓ ଗାଳ୍ପିକା ହିରଣ୍ମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର