ସବ୍ୟଙ୍କୁ ଭେଟିବାକୁ ସୋନୁ ସୁଦ୍‌ ବ୍ୟାକୁଳ

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟକୁ ଫେରାଇବା ପାଇଁ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ସମଗ୍ର ଦେଶରୁ ପ୍ରଶଂସାର ସୁଅ ଛୁଟୁଛି। ସେହିଭଳି ଓଡ଼ିଆ ଶ୍ରମିକଙ୍କ ପାଇଁ ଏଭଳି ମହତ୍‌ ଉଦ୍ୟମ ନିମନ୍ତେ ସବ୍ୟସାଚୀଙ୍କୁ ସୋନୁଙ୍କ ସହ ତୁଳନା କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋନୁ ସୁଦ ସବ୍ୟସାଚୀଙ୍କୁ ତାଙ୍କର ଏହି କାର୍ଯ୍ୟ ପାଇଁ ଖୁବ ପ୍ରଶଂସା କରିଛନ୍ତି। ଏପରିକି ସବ୍ୟସାଚୀଙ୍କୁ ଭେଟିବାକୁ ସେ ବ୍ୟଗ୍ର ବୋଲି ଟ୍ବିଟ୍‌ କରିଛନ୍ତି।

ସୋନୁ ଆଜି ରାତିରେ ସବ୍ୟସାଚୀଙ୍କୁ ଟ୍ବିଟ କରି କହିଥିଲେ, ମୋ ଭାଇ ସବ୍ୟ, ତୁମ ପାଇଁ ଗର୍ବିତ। ଆମକୁ ତୁମ ଭଳି ବ୍ୟକ୍ତିତ୍ବ ଆହୁରି ଲୋଡ଼ା। ଏହାର ଜବାବରେ ସବ୍ୟସାଚୀ ଟ୍ବିଟ କରିଥି‌ଲେ, ସୋନୁ ସୁଦ ଭାଇ ତୁମର ଶୁଭେଚ୍ଛା ପାଇଁ ବହୁତ ଧନ୍ୟବାଦ। ତେବେ ମୋ’ର ତୁମ ପାଇଁ ଏକ ପ୍ରଶ୍ନ ଅଛି। ସେ ନିଜେ ଦୁଇଟି ମୋବାଇଲ୍‌ କାନରେ ଲଗାଇ କଥା ହେବାର ଫଟୋ ସେୟାର କରି ଲେଖିଛନ୍ତି, ଭାଇ ଓଡ଼ିଶାରେ ଏହି କାମ କରିବା ବେଳେ ଏହା ହେଉଛି ମୋ’ର ଅବସ୍ଥା। ଆପଣ ସମଗ୍ର ଦେଶକୁ କେମିତି ଏଭଳି ସେବା ଦେଉଛନ୍ତି। ମୁଁ ତୁମକୁ ଓ ତୁମ ବ୍ୟାପକ ପରିବାରକୁ ଭେଟିବାକୁ ଅପେକ୍ଷା ରଖୁଛି। ଅଟକି ଯାଅ ନାହିଁ। କାମର ଗତି ବଢ଼ିଚାଲୁ। ଏହାର ଜବାବରେ ସୋନୁ ସୁଦ୍‌ ଲେଖିଛନ୍ତି,ଭାଇ.. ଯେବେ ତୁମ ସହ ସମଗ୍ର ଦେଶର ଶୁଭେଚ୍ଛା ସାଥିରେ ଅଛି ସେତେବେଳେ କୌଣସି ବି କଥା ଅସମ୍ଭବ ନୁହେଁ। ଆମେ ପ୍ରତିଟି ଶ୍ରମିକଙ୍କୁ ସେମାନଙ୍କ ପରିବାରକୁ ଫେରାଇବା ପାଇଁ ପ୍ରତିବଦ୍ଧ ହେବା। ଏଥିସହ ସେ ଏକଥା ବି ଉ‌ଲ୍ଲେଖ କରିଛନ୍ତି, ଭାଇ ମୁଁ ତୁମକୁ ଭେଟିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ। ତୁମେ ତୁମର ଏହି ମହତ କାମ ଜାରି ରଖ। ଦୁହିଁଙ୍କର ଏହି ଟ୍ବିଟ୍‌କୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଦୟାନିଧି ଦହିମା ନାମକ ଜଣେ ବ୍ୟକ୍ତି ସବ୍ୟ ଓ ସୋନୁଙ୍କ ଫଟୋକୁ ଯୋଡ଼ି ଏକ ଟ୍ବିଟ ସେୟାର କରି ଲେଖିଛନ୍ତି, ଓଡ଼ିଆ ଫିଲ୍ମ ସୁପରଷ୍ଟାର ସବ୍ୟସାଚୀ ସୋନୁ ସୁଦଙ୍କ ଭଳି ମହତ୍‌ କାମ କରି ଚାଲିଛନ୍ତି। ମାତ୍ର ସେ ଆଲୋଚନାକୁ ଆସି ନାହାନ୍ତି। ଆମେ ତାଙ୍କୁ କୃତଜ୍ଞତା ଜଣାଇବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର