ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇବାରେ ସହାୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ଏବେ ମଣିଷପଣିଆର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଆନ୍ଧ୍ରପ୍ରଦେଶର ଜଣେ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ମାତ୍ର ସ୍ବଳ୍ପ ସମୟ ମଧ୍ୟରେ ତାଙ୍କୁ ଏକ ନୂଆ ଟ୍ରାକ୍ଟର ଦେଇଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାର ଚାଷୀ ନାଗେଶ୍ବର ରାଓ, ତାଙ୍କର ଦୁଇ ଝିଅ ଭେନେଲା (ଦ୍ବାଦଶ ଶ୍ରେଣୀ), ଚନ୍ଦନା (ଦଶମ ଶ୍ରେଣୀ) ଓ ପତ୍ନୀ ଲଳିତାଙ୍କ ସହ ବିଲରେ ଚାଷ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ନାଗେଶ୍ବରଙ୍କ ଦୁଇ ଝିଅ ବଳଦ ଭଳି ଲଙ୍ଗଳ ଟାଣୁଥିବା ବେଳେ ନାଗେଶ୍ବର ହଳ କରୁଛନ୍ତି। ଲକ୍ଡାଉନ୍ ପରେ ନାଗେଶ୍ବରଙ୍କ ଏକମାତ୍ର ରୋଜଗାରର ପନ୍ଥା ଚା’ ଦୋକାନ ବନ୍ଦ ହୋଇଗଲା। ତେଣୁ ସେ ବାଧ୍ୟ ହୋଇ ନିଜ ଗାଁ ମହାରାଜୁଭରି ପାଲ୍ଲେକୁ ଫେରି ଟମାଟୋ ଚାଷ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବଳଦ କିଣିବାକୁ ପାଖରେ ଟଙ୍କା ନଥିବାରୁ ଚାଷ ପାଇଁ ସେ ଦୁଇ ଝିଅଙ୍କ ସାହାଯ୍ୟ ନେଇଥିଲେ। ଏହି ଭିଡିଓ ଦେଖିବା ପରେ ସୋନୁ ଏହି ପରିବାରକୁ ପ୍ରଥମେ ଦୁଇଟି ବଳଦ ଦେବେ ବୋଲି କଥା ଦେଇଥିଲେ। କିନ୍ତୁ ପରେ କିଛି ଘଣ୍ଟା ମଧ୍ୟରେ ସେମାନଙ୍କ ପାଖକୁ ଏକ ଟ୍ରାକ୍ଟର ପଠାଇଥିଲେ। ଏଥିସହ ଦୁଇ ଝିଅ ଏବେ କେବଳ ପଢ଼ା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସୋନୁଙ୍କ ଏହି ସହାୟତା ପରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏହି କୃଷକ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି।
ଚାଷୀଙ୍କୁ ଟ୍ରାକ୍ଟର ପଠାଇଲେ ସୋନୁ
/sambad/media/post_attachments/wp-content/uploads/2020/07/sonu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)