ଖୁବ୍‌ଶୀଘ୍ର ହେବ ଟ୍ରାଫିକ୍‌ ଟ୍ରେନିଂ ପାର୍କ, ରହିବ ମଡେଲ ଟ୍ରାଫିକ୍‌ ପୋଷ୍ଟ

ଟ୍ରାଫିକ୍‌ ଆଇଲ୍ୟାଣ୍ଡର ବିବରଣୀ

ଭୁବନେଶ୍ବର: ଜନସାଧାରଣଙ୍କ ମଧ୍ୟରେ ଟ୍ରାଫିକ୍‌ ସଚେତନତା ଅଭାବରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଟ୍ରାଫିକ୍‌ରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେଉଛି। ଛାତ୍ରାବସ୍ଥାରୁ ଶିଶୁମାନଙ୍କୁ ସଚେତନ କରିବା ସହ ଟ୍ରାଫିକ୍‌ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଆଉ ପାଦେ ଆଗକୁ ଯିବାକୁ ଚିନ୍ତା କରୁଛି କମିସନରେଟ୍‌ ପୁଲିସ। ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଟ୍ରାଫିକ୍‌ ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ଏକ ଟ୍ରାଫିକ୍‌ ଟ୍ରେନିଂ ପାର୍କ ପାଇଁ ଯୋଜନା ହୋଇଛି। ଖୁବ୍‌ଶୀଘ୍ର ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଟ୍ରାଫିକ୍‌ ଟ୍ରେନିଂ ପାର୍କରେ ଟ୍ରାଫିକ୍‌ ବାବଦରେ ସମସ୍ତ ବିବରଣୀ ରହିବ। ଏଥିରେ ଏକ ମଡେଲ ଟ୍ରାଫିକ୍‌ ପୋଷ୍ଟ ରହିବ। ସଚଳ ସିଗ୍‌ନାଲ ଲାଇଟ୍‌ ସହ ଜେବ୍ରା କ୍ରସିଂ ଓ ଟ୍ରାଫିକ୍‌ ଆଇଲ୍ୟାଣ୍ଡ(ବିଭିନ୍ନ କୋଣରେ ରହିଥିବା ଅବ୍ୟବହୃତ ଜାଗା) ବିଷୟରେ ସୂଚନା ରହିବ। ଜେବ୍ରା କ୍ରସିଂ ନିୟମ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ହେବ। ବିଶେଷକରି ଟ୍ରାଫିକ୍‌ ଆଇଲ୍ୟାଣ୍ଡ ସମ୍ବନ୍ଧରେ ଅଧିକ ସୂଚନା ରହିବ। ଅନେକଙ୍କର ଏ ନେଇ ଧାରଣା ନ ଥିବାରୁ ଏହାର ଆବଶ୍ୟକତା ନେଇ ସଚେତନତା ସୃଷ୍ଟି କରାଯିବ। ଅଙ୍ଗାରକାମ୍ଳ ଗ୍ରହଣ କରି ଅଧିକ ପରିମାଣର ଅମ୍ଳଜାନ ଦେଉଥିବା ଗଛ ଏଥିରେ ଲାଗୁଥିବାରୁ ଏହାର ସୁରକ୍ଷା ପାଇଁ ସାଧାରଣ ଲୋକଙ୍କର ଥିବା କର୍ତ୍ତବ୍ୟ ସମ୍ବନ୍ଧରେ ଏଥି‌ରେ ସୂଚନା ରହିବ। ଟ୍ରାଫିକ୍‌ ନିୟମ ପାଳନ ଛଡ଼ା ସଡ଼କ ନିରାପତ୍ତା ନେଇ ମଧ୍ୟ ବ୍ୟାପକ ସୂଚନା ରହିବ। ‘ଗୁଡ୍‌ ସମରିଟାନ୍‌’ର କାମ ଓ ଆବଶ୍ୟକତା ନେଇ ବିବରଣୀ ଉପସ୍ଥାପନ କରାଯିବ। ପ୍ରତ୍ୟେକ ପଥଚାରୀ କିମ୍ବା ଚାଳକ କିଭଳି ଗୁଡ୍‌ ସମରିଟାନ୍‌ ହୋଇ ପୁରସ୍କୃତ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିବେ ସେ ନେଇ ସୂଚନା ଉପଲବ୍ଧ ହେବ। ଗାଡ଼ିର ଗତି ବାବଦରେ ସୂଚନା ସମେତ ବିଭିନ୍ନ ‘ରୋଡ୍‌ ଟ୍ରାଫିକ୍‌ ସାଇନ୍‌’ ବାବଦରେ ତଥ୍ୟ ଉପଲବ୍ଧ ହେବ।

ଏହି ପାର୍କରେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ନିରାପତ୍ତା ସପ୍ତାହ କିମ୍ବା ଅନ୍ୟାନ୍ୟ ଦିବସ ଛଡ଼ା ବିଭିନ୍ନ ସମୟରେ ସଚେତନ କରାଯିବ। ଛାତ୍ରାବସ୍ଥାରୁ ସେମାନେ ସଚେତନ ହେଲେ ଦୁର୍ଘଟଣା କମିବା ସହ ନିଜର ଓ ଅନ୍ୟର ଜୀବନ ରକ୍ଷା ହୋଇ ପାରିବ। ପୂର୍ବରୁ ଏଭଳି ବ୍ୟବସ୍ଥା ଏଜି ଛକରେ ଥିବା ଟ୍ରାଫିକ୍‌ ଥାନାରେ ରହିଥିଲା। ତେବେ ଅଳ୍ପ ଜାଗାରେ ଥିବାରୁ ଏଥିରେ ସମସ୍ତ ବ୍ୟବସ୍ଥାକୁ ପୂର୍ଣ୍ଣ ମାତ୍ରାରେ ଉପସ୍ଥାପନ କରିବା ସମ୍ଭବ ହୋଇନଥିଲା। ଏହି ପ୍ରସ୍ତାବ ଗୃହୀତ ହେଲେ କିମ୍ବା ଏହି ପାର୍କ କାର୍ଯ୍ୟକ୍ଷମ ହେଲେ ସଚେତନତା ପରିସର ବ୍ୟାପକ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର