ଯୁଆଡ଼େ ଦେଖିବ ଖାଲ: ଡ୍ରେନ୍ ଉପରେ ଟାଇଲ୍ ବିଛା ହେଉଛି, ରାସ୍ତା କାମ ହେଉନି
ରାସ୍ତା ନିର୍ମାଣ ଏସ୍ଓପି ପ୍ରସ୍ତୁତ ନହେବା ମହଙ୍ଗା ପଡ଼ୁଛି, ବିଭାଗ ମଧ୍ୟରେ ସମନ୍ବୟ ନାହିଁ, ଭୋଗୁଛନ୍ତି ସାଧାରଣ ଲୋକ
ଭୁବନେଶ୍ବର: ଏବେ ବର୍ଷା ଋତୁ ଚାଲିଛି। ହେଲେ ରାଜଧାନୀର ଅଧିକାଂଶ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ। ଯେଉଁଠି ନଜର ପଡ଼ିବ, ସେଠି ଖାଲ। କେଉଁଠି ୬ମାସ ହେଲା ରାସ୍ତା ମରାମତି ହେବ ବୋଲି କୁହାଯାଉଛି, କିନ୍ତୁ ସେଠାରେ ବାଲି ମୁଠାଏ ପଡ଼ୁନି। ଆଉ କେଉଁଠି ଡ୍ରେନ୍ ଉପରେ ଟାଇଲ୍ ବିଛା ଚାଲିଛି। ରାଜ୍ୟ ସରକାରଙ୍କର କୌଣସି ବିଭାଗ ମଧ୍ୟରେ ତାଳମେଳ ରହୁ ନଥିବାରୁ ଏବେ ଅଧିକାଂଶ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ। ବର୍ଷା ଋତୁ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇଗଲାଣି। ସହିଦନଗରରୁ ଆରମ୍ଭ କରି ଲକ୍ଷ୍ମୀସାଗର, ଜନପଥରୁ ଆରମ୍ଭ କରି ବିଦ୍ୟୁତ୍ ମାର୍ଗ, ସତ୍ୟନଗର ପର୍ଯ୍ୟନ୍ତ ସବୁଠି ରାସ୍ତା ଖୋଳି ଛାଡ଼ି ଦିଆଯାଇଛି। ଲୋକ ଘରୁ ବାହାରିଲେ କୁଆଡ଼େ ଯିବେ ଜାଣିପାରୁନାହାନ୍ତି। ଏପରିକି ମାସ ମାସ ଧରି ଗାତ ଖୋଳା ହୋଇ ରହିଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ହେଲେ ଗାତ ଖୋଳୁଥିବା ବିଭାଗ ଚେତୁନି କି ରାସ୍ତା ନିର୍ମାଣ କରିବା ବିଭାଗ ଚେତୁନି।
ରାଜଧାନୀରେ ଏବେ ପାଣି ପାଇପ୍ ବିଛାଇବା ପାଇଁ ୱାଟ୍କୋ ବିଭିନ୍ନ ଅଞ୍ଚଳରେ ରାସ୍ତା ଖୋଳି ଚାଲିଛି। ସ୍ବେରେଜ୍ ବୋର୍ଡ ଓ ୱାଟ୍କୋ ବି ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ରାସ୍ତା ଖୋଳି ଚାଲିଛନ୍ତି। ଓପିଟିସିଏଲ୍ ଭୂତଳ କେବୁଲ୍ ବିଛାଇବା ପାଇଁ ରାସ୍ତା ଖୋଳୁଛି। କେଉଁଠି ବିଏମ୍ସି ତ କେଉଁଠି ପୂର୍ତ୍ତ ବିଭାଗ ଡ୍ରେନ୍ ନିର୍ମାଣ କରିବା ପାଇଁ ରାସ୍ତା ଖୋଳି ଦେଇଛନ୍ତି। ଯେଉଁଠି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ କର୍ତ୍ତୃପକ୍ଷ ଜନପଥକୁ ଅଧା ଖୋଳା ଅବସ୍ଥାରେ ଛାଡ଼ି ଦେଇଛନ୍ତି, ସେଠାରେ ବାକି ରାସ୍ତା ଅବସ୍ଥା କଥା ପଚାରୁଛି କିଏ। ବିଏମ୍ସିର ମୁଖିଆ ସ୍ମାର୍ଟ ଜନପଥର ମୁଖିଆ। ସ୍ମାର୍ଟ ଜନପଥ କାମକୁ ତାଗିଦ୍ କରି ପାରୁନଥିବାରୁ ସେ ବି ରାଜଧାନୀର ବାକି ରାସ୍ତା କିପରି ହେବା ଦରକାର, କିପରି ରାସ୍ତାରେ ଖାଲଖମା ରହିବନି; ସେନେଇ ମୁଣ୍ଡ ଖେଳାଉ ନାହାନ୍ତି। ରାଜଧାନୀରେ ଯେଉଁମାନେ ରାସ୍ତା ଖୋଳି କାମ କରିବେ, ସେମାନେ ବିଏମ୍ସିରୁ ଅନୁମତି ନେବା ଦରକାର ବୋଲି ନିୟମ ଅଛି। ହେଲେ କେହି ଏହାକୁ ମାନୁନାହାନ୍ତି। ବିନା ଅନୁମତିରେ ରାସ୍ତା ଖୋଳା ହୋଇ କାମ ହେଉଥିବାରୁ ବିଏମ୍ସିର ବାବୁମାନଙ୍କ ପାଖରେ ବି କେଉଁଠି ରାସ୍ତା ଖୋଳା ହେଲା, ମରାମତି ହେବା ଦରକାର କି ନାହିଁ ସେ ଖବର ରହୁନି। ଏପଟେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜଧାନୀର କେଉଁ ରାସ୍ତା କିପରି ନିର୍ମାଣ ହେବ, କିପରି ମରାମତି ହେବ, କିପରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହିବ, ସେନେଇ ଏସ୍ଓପି ପ୍ରସ୍ତୁତ କରିବାର ଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହା ହୋଇପାରିଲାନି। ଫଳରେ ରାଜଧାନୀରେ ଯେଉଁ ବିଭାଗଗୁଡ଼ିକ କାମ କରୁଛନ୍ତି, ସେମାନଙ୍କର କାହାର କାହା ଭିତରେ ସମନ୍ବୟ ରହୁନି।
ଏବେ ରାଜଧାନୀରେ ପୂର୍ତ୍ତ ବିଭାଗ ଅଧୀନରେ ପ୍ରାୟ ୫୦୦ କିମି ରାସ୍ତା ଥିବା ବେଳେ ସେଥିରୁ ବହୁ ରାସ୍ତା ଖାଲଖମାଭର୍ତ୍ତି। ଉଦାହରଣ ସ୍ବରୂପ, ଲକ୍ଷ୍ମୀସାଗରରୁ ଝାରପଡ଼ା ହୋଇ ଜଗନ୍ନାଥନଗର ପର୍ଯ୍ୟନ୍ତ ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଲକ୍ଷ୍ମୀସାଗର ଛକରୁ ଟ୍ରାଫିକ୍ ଟ୍ରେନିଂ ସେଣ୍ଟର୍ ମଧ୍ୟରେ ସ୍ବେରେଜ୍ କାମ ଚାଲିଛି। କିନ୍ତୁ ଟ୍ରାଫିକ୍ ଟ୍ରେନିଂ ସେଣ୍ଟର୍ରୁ ଝାରପଡ଼ା ଜେଲ୍ ଛକ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଅଛି। ଏଠାରେ କିଛି ରାସ୍ତାରେ ପିଚୁ ପଡ଼ିଥିଲେ ବି ରାସ୍ତା ନୂଆ କାମ ହୋଇଛି ବୋଲି କେହି କହିବେନି। ଝାରପଡ଼ା ଓଭରବ୍ରିଜ୍ ନିକଟରୁ ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ରାସ୍ତାରେ ସ୍ବେରେଜ୍ କାମ ୪ ମାସ ହେଲା ସରିଯାଇଥିଲେ ହେଁ ଏଠାରେ ରାସ୍ତା କାମ ହେଉନି। ଝାରପଡ଼ା ଛକରୁ ଜଗନ୍ନାଥ ନଗର ରାସ୍ତା ପିଚୁ ଓ କଙ୍କ୍ରିଟ୍ ଥିଲେ ହେଁ ଏଠାରେ ରାସ୍ତାରେ ଏମିତି ଖାଲ ସୃଷ୍ଟି ହୋଇଛି ଯେ ପଡ଼ିଲେ ଜଣେ ଖଣ୍ଡିଆ ଖାବରା ହୋଇ ଗୁରୁତର ହୋଇଯିବ।
ଏଠାରେ ପ୍ରଶ୍ନ ଉଠୁଛି, ପୂର୍ତ୍ତ ବିଭାଗର ଏହି ରାସ୍ତା ହୋଇଥିଲେ ହେଁ ପୂର୍ତ୍ତ ବିଭାଗ କାହିଁକି ଏହି ରାସ୍ତା କାମ କରୁନି। ଯଦି ସ୍ବେରେଜ୍ ବୋର୍ଡ/ୱାଟ୍କୋ ରାସ୍ତା କାମ କରିବେ, ତେବେ କାହିଁକି ତାଗିଦ୍ କରି କାମ କରାଯାଉନି? ଯଦି ଅନ୍ୟ କେହି ବିଭାଗ ପୂର୍ତ୍ତ ବିଭାଗ ରାସ୍ତା ଖୋଳୁଛନ୍ତି, ତେବେ ଉକ୍ତ ବିଭାଗର ଅଧିକାରୀ କେତେ ଦିନରେ କାମ ସରିବ ଏବଂ ରାସ୍ତା ଯେପରି ଥିଲା ସେମିତି କରିକି ଦେବେ ବୋଲି କାହିଁକି ଅଣ୍ଡରଟେକିଂ ଲେଖି ରଖୁନାହାନ୍ତି। ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ରହୁନି, ଯେଉଁଥିପାଇଁ ସାଧାରଣ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ଏପଟେ ଅଧିକାଂଶ ସ୍ଥାନରେ ଯେଉଁଠି ରାସ୍ତା ଭଲ ଅଛି, ସେଠାରେ ବାରମ୍ବାର ପିଚୁ ମଡ଼ା ଚାଲିଛି। ଡ୍ରେନ୍ ଉପରେ ଟାଇଲ୍ ବିଛା ଚାଲିଛି। ହେଲେ ଖରାପ ରାସ୍ତା କିପରି ତୁରନ୍ତ ମରାମତି ହେବ, କିପରି ରାସ୍ତା ଖୋଳିଥିବା ସଂସ୍ଥା ତୁରନ୍ତ ମରାମତି କରିବ ସେନେଇ କାହାର ନଜର ନାହିଁ।
ଏପଟେ ସ୍ବେରେଜ ବୋର୍ଡର ଜଣେ ଅଧିକାରୀଙ୍କୁ ରାସ୍ତା ଖୋଳିବା ପରେ ତୁରନ୍ତ ମରାମତି ନକରିବାର କାରଣ ପଚାରିବାରୁ ସେ କହିଥିଲେ ଯେ କେତେକ ସ୍ଥାନରେ ଆମେ ଯେଉଁ ବିଭାଗର ରାସ୍ତା ଖୋଳୁଛୁ, ସେହି ବିଭାଗକୁ ରାସ୍ତା ମରାମତି ଅର୍ଥ ଦେଇଦେଉଛୁ। କେତେକ ସ୍ଥାନରେ ଆମେ ମରାମତି କରୁଛୁ। କାମ ସରିବା ପରେ ଖୋଳା ଯାଇଥିବା ରାସ୍ତାରେ ମାଟି, ବାଲି ବସିବାକୁ ସମୟ ଲାଗିବ। ତେଣୁ ରାସ୍ତା ନିର୍ମାଣ ବିଳମ୍ବ ହେଉଛି। ଯଦି ସଙ୍ଗେସଙ୍ଗେ ରାସ୍ତା ନିର୍ମାଣ କରିଦେବୁ, ତେବେ ରାସ୍ତା ଅଳ୍ପ ଦିନରେ ଦବିଯିବ। ଯଦି ୮ରୁ ୧୦ ଦିନ ଖୋଳାଯାଇଥିବା ରାସ୍ତାରେ ପାଣି ପକାଯିବ, ତେବେ ବାଲି ମାଟି ବସିଯିବ। ଏହାପରେ କାମ କରାଯାଇପାରିବ। ପୂର୍ତ୍ତ ବିଭାଗ, ବିଏମ୍ସି କାହିଁକି କାମ ବିଳମ୍ବ କରୁଛନ୍ତି ଆମେ ଜାଣିନୁ।